BJD Bijuli 480×75 Mob

ବାଲିଯାତ୍ରାକୁ ମନେ ପକାଇଲେ, ବିଜୁଙ୍କୁ ଭୁଲିଗଲେ ମୋଦୀ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଭାରତ-ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବହୁ ପୁରୁଣା। ଆଉ ଏହି ସମ୍ପର୍କକୁ ମଜଭୁତ କରିବାରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି। ଇଣ୍ଡୋନେସିଆ ଓ ଓଡ଼ିଶାର ସମ୍ପର୍କ ପ୍ରାଚୀନ କାଳରୁ ବାଣିଜ୍ୟ ସଂସ୍କୃତି ଓ ଆଧୁନିକ ଯୁଗରେ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ସାହାସିକତା ସହ ଜଡିତ। ସଂଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି। ସେଠାରେ ନିଜ ଅଭିଭାଷଣରେ ମୋଦୀ ବାଲିଯାତ୍ରା ବିଷୟରେ ଉଲ୍ଲେଖ କରିଥିଲେ ଓ ଗତ ୨୬ ମଇ କଟକ ବାଲିଯାତ୍ରା ପଡ଼ିଆରେ ଦଳୀୟ ରାଲିର ଅନୁଭୂତିକୁ ବଖାଣିଥିଲେ। ମାତ୍ର ମୋଦୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭୁଲି ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲିଯାତ୍ରାକୁ ମନେପକାଇବା ଓ ବିଜୁ ପଟ୍ଟନାୟକଙ୍କୁ ଭୁଲିଯିବା ଘଟଣାକୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ରାଜନୈତିକ କାରଣରୁ ବୋଧେ ମୋଦୀ ବିଜୁଙ୍କୁ ଭୁଲିଗଲେ ବୋଲି କୁହାଯାଉଛି। ବିଜୁଙ୍କ ପୁଅ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିଜେପି ନୀତି ଓ ଆଦର୍ଶକୁ ବିରୋଧ କରୁଛନ୍ତି।

ମୋଦୀ ନିଜ ଅଭିଭାଷଣରେ କହିଥିଲେ ଯେ ବାଲିଯାତ୍ରାର ଏକ ସାଂସ୍କୃତିକ ମହତ୍ୱ ରହିଛି। ଏହି ଯାତ୍ରା ପ୍ରାଚୀନ କାଳରୁ ଭାରତ-ଇଣ୍ଡୋନେସିଆକୁ ଯୋଡ଼ି ରଖିଛି। ଏହି ଉତ୍ସବ ମହାନଦୀ ସଂଲଗ୍ନ କଟକର ଗଡ଼ଗଡ଼ିଆ ଘାଟରେ ପାଳନ କରାଯାଇଥାଏ। ଓଡ଼ିଶାର ସାଧବ ପୁଅଙ୍କ ନୌଯାତ୍ରାର ସ୍ମୃତିକୁ ମନେପକାଇ ଏହି ଉତ୍ସବ ପାଳନ କରାଯାଇଥାଏ। ପ୍ରାଚୀନ କାଳରେ ସେହି ଦିନ ଓଡ଼ିଶାର ସାଧବ ପୁଅ ନୌବାଣିଜ୍ୟ ପାଇଁ ଇଣ୍ଡୋନେସିଆ, ବାଲି ଓ ସୁମାତ୍ରାକୁ ନୌଯାତ୍ରା କରୁଥିଲେ। ଏହି ନୌଯାତ୍ରାରୁ ବାଣିଜ୍ୟ ବୃଦ୍ଧି ସହ ସଂସ୍କୃତିର ପ୍ରସାର ହେଉଥିଲା। ଓଡ଼ିଶା ସାଧବପୁଅ ବିଶାଳ ଆକାରର ଜାହାଜରେ ଯାତ୍ରା କରୁଥିଲେ। ଏହି ଜାହାଜକୁ ବୋଇତ କୁହାଯାଏ। କାର୍ତ୍ତିକ ପୂର୍ଣ୍ଣିମାରେ ମହାନଦୀର ଗଡ଼ଗଡ଼ିଆ ଘାଟରେ ପାଳିତ ହେଉଥିବା ବାଲିଯାତ୍ରା ଉତ୍କଳ ନୌବାଣିଜ୍ୟର ସ୍ୱର୍ଣ୍ଣିମ ସ୍ମାରକ ଅଟେ। ମହାନଦୀ ତଟରେ ଏକ ନୌବାଣିଜ୍ୟ ସଂଗ୍ରହାଳୟ ବି ରହିଛି। କିନ୍ତୁ ମୋଦୀଙ୍କ ପୂର୍ଣ୍ଣ ଅଭିଭାଷଣରେ ବିଜୁ ସ୍ଥାନ ପାଇନଥିଲେ।

ଉଲ୍ଲେଖ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ୧୯୪୭ରେ ଡଚଙ୍କ କବଳରୁ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀଙ୍କୁ ମୁକ୍ତ କରିବାର ଦାୟିତ୍ୱ ବିଜୁ ପଟ୍ଟନାୟକଙ୍କୁ ଅର୍ପଣ କରିଥିଲେ। ବିଜୁ ପଟ୍ଟନାୟକ ନିଜ ଡାକୋଟା ଡିସି-୩ ବିମାନ ଯୋଗେ ସିଙ୍ଗାପୁର ଦେଇ ଜାକାର୍ତ୍ତାରେ ପହଞ୍ଚିଥିଲେ। ସେଠାରେ ବିଜୁ ନିଜ ଜୀବନ ସହ ଖେଳି ପ୍ରଧାନମନ୍ତ୍ରୀ ସୁତାନ ସାଜାହିରଙ୍କୁ ଡଚ ସୈନ୍ୟଙ୍କ କବଳରୁ ଖସାଇ ଆଣିବାରେ ସଫଳ ହୋଇଥିଲେ। ଏହି ସାହାସିକତା ପାଇଁ ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆ ସରକାର ଭୂମିପୁତ୍ର ଉପାଧି ପ୍ରଦାନ କରିଥିଲେ। ଏହାପରେ ୧୯୯୬ରେ ଇଣ୍ଡୋନେସିଆ ସରକାର ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ବିନତାଙ୍ଗ ଜା ଶା ଉତ୍‍ମା ପ୍ରଦାନ କରିଥିଲେ। ଏପରିକି ବିଜୁ ପଟ୍ଟନାୟକ ସୁକର୍ଣ୍ଣୋଙ୍କ ଝିଅର ‘ମେଘାବତୀ’ ବୋଲି ନାମକରଣ କରିଥିଲେ। ଏତେ ସବୁ ଅବଦାନ ପରେ ବି ମୋଦୀ ବିଜୁଙ୍କୁ ଭୁଲିଯିବା ଘଟଣାକୁ ଓଡ଼ିଶାବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି।

Leave A Reply