୪ର୍ଥ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ମୋଦି ସରକାରଙ୍କ ପ୍ରସ୍ତୁତି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ମେ ୨୬ ତାରିଖରେ କ୍ଷମତାର ୪ବର୍ଷ ପୂରଣ କରିବାକୁ ଯାଉଛି। ଏହି ୪ବର୍ଷର ଶାସନ କାଳରେ ସରକାର ହାସଲ କରିଥିବା ସଫଳତାକୁ ପ୍ରଚାର ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି। ସଫଳତାର ପ୍ରଚାର ସହିତ ୨୦୧୯ ଲୋକସଭା ନିର୍ବାଚନ ପାଇଁ ସରକାର ଓ ବିଜେପି ପକ୍ଷରୁ ଅନେକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବର୍ଷପୂର୍ତ୍ତି ଉତ୍ସବ ପାଳନ ଲାଗି ଅନେକ ଟ୍ୟାଗ ଲାଇନ ସ୍ଥିର କରାଯାଇଛି ଯେପରିକି ‘ମଞ୍ଜିଲ ଆ ରହି ହେ ପାସ୍‍’, ‘ଦେଶ କା ବଡତା ଜାତା ବିଶ୍ୱାସ; ସାଫ ନିୟତା, ସହି ବିକାଶ’। ଏହି ଟ୍ୟାଗ ଲାଇନ ନାମରେ ପ୍ରଚାର କାର୍ଯ୍ୟକ୍ରମ ହେବ। ଏହା ସହିତ ଅନେକଗୁଡିଏ ଗଣମାଧ୍ୟମ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମେ ୨୪ରୁ ୨୮ ତାରିଖ ମଧ୍ୟରେ ୪ଜଣ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସରକାର ସଫଳତାର ଗାଥା ବଖାଣିବେ। ସେହିପରି ମେ ୨୯ରୁ ଜୁନ୍‍ ୩ ମଧ୍ୟରେ ଅଞ୍ଚଳ ଭିତ୍ତିରେ ବିଭିନ୍ନ ସହରରେ ୪୦ଟି ସାମ୍ବାଦିକ ସମ୍ମିଳନୀ ହେବ। ପ୍ରଚାର କାର୍ଯ୍ୟକ୍ରମର ସଂଯୋଜନା କରୁଥିବା ଦଳର ଜଣେ ପ୍ରମୁଖ ବ୍ୟକ୍ତିଙ୍କ କହିବା ଅନୁଯାୟୀ ଆଗାମୀ ନିର୍ବାଚନରେ ଦଳ ଓ ସରକାର ପାଇଁ ନରେନ୍ଦ୍ର ମୋଦି ମୁଖ୍ୟ ଫୋକସରେ ରହିବେ।
ଅନ୍ୟପଟେ ମୋଦି ସରକାରଙ୍କ ଏହି ୪ର୍ଥ ବର୍ଷ ପୂର୍ତ୍ତିକୁ କଂଗ୍ରେସ ‘ବିଶ୍ୱାସଘାତକ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଦିବସ ପାଳନ ସମୟରେ କଂଗ୍ରେସ କେନ୍ଦ୍ର ସରକାରର ବିଫଳତାକୁ ଜନତାଙ୍କ ଆଗରେ ବଖାଣିବ। କଂଗ୍ରେସ ନେତା ଅଶୋକ ଗେହଲଟ ଓ ରଣଦୀପ ସୂରଜୱାଲା ସରକାର ବିରୋଧୀ ପୋଷ୍ଟରକୁ ଗୁରୁବାର ପ୍ରକାଶ କରିଛନ୍ତି। ଗତବର୍ଷ ଶାସନ କ୍ଷମତାର ତୃତୀୟ ବର୍ଷ ପୂର୍ତ୍ତିକୁ ବିଜେପି ‘ମୋଦି ଫେଷ୍ଟ’ ନାମରେ ପାଳନ କରିଥିଲା।

Leave A Reply