ରାଜୀବ ଗାନ୍ଧିଙ୍କ ଭଳି ମୋଦିଙ୍କୁ ହତ୍ୟା କରାଯାଇଥାନ୍ତା!
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଇଥିଲା ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରାଯାଇଥାନ୍ତା। ନକ୍ସଲ୍ ସଂଗଠନ ମଧ୍ୟରେ ଦିଆନିଆ ଚିଠିପତ୍ରରୁ ଏଭଳି ଷଡ଼ଯନ୍ତ୍ରର ସୁରାକ ମିଳିଛି ବୋଲି ପୁନେ ପୁଲିସ ଦାବି କରିଛି।
ଗୁରୁବାର ଦିନ କୋର୍ଟରେ ପୁନେ ପୁଲିସ ଦେଇଥିବା ବୟାନ ଅନୁଯାୟୀ ‘ଏଲଗାର ପରିଷଦ’ ସହିତ ସମ୍ପୃକ୍ତି ଅଭିଯୋଗରେ ଦଳିତ କର୍ମୀ ସୁଧୀର ଧାୱାଲେ, ଆଇନଜୀବୀ ସୁରେନ୍ଦ୍ର ଗଡ୍ଲିଂ, ମହେଶ ରାଉତ, ଶୋମା ସେନ୍, ରୋନା ୱିଲ୍ସନ୍ଙ୍କୁ ମୁମ୍ବଇ, ନାଗପୁର ଓ ଦିଲ୍ଲୀରୁ ଗିରଫ କରାଯାଇଥିଲା। ସେମାନଙ୍କୁ ଜେରା କରିବା ପରେ ଏହି ହତ୍ୟା ଷଡ଼ଯନ୍ତ୍ର ବିଷୟରେ ସୂଚନା ମିଳିଛି। ଦିଲ୍ଲୀର ରୋନା ୱିଲ୍ସନ୍ଙ୍କ ଘରୁ ଏକ ଚିଠି ଜବତ ହୋଇଥିଲା। ସେଥିରେ ଏମ୍ ୪ ରାଇଫଲ୍, ୪ ଲକ୍ଷ ଗୁଳି କିଣିବା ପାଇଁ ୮ କୋଟି ଟଙ୍କା ଆବଶ୍ୟକ ବୋଲି ଉଲ୍ଲେଖ ରହିଛି। ଚିଠିରେ ଆହୁରି ଲେଖାଯାଇଛି ଯେ ରାଜୀବ ଗାନ୍ଧିଙ୍କୁ ହତ୍ୟା ପରି ଆଉ ଏକ ହତ୍ୟା ଯୋଜନା କରାଯାଉଛି। ଯୋଜନା ରୂପାୟନ ପାଇଁ ରୋଡ୍ ସୋ ଉପଯୁକ୍ତ। ହତ୍ୟା ଯୋଜନାରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଉଲ୍ଲେଖ ନଥିଲେ ମଧ୍ୟ ଚିଠିର ଭାଷା ଓ ଭାବରୁ ତାଙ୍କୁ ହିଁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥାଇପାରେ ବୋଲି ପୁନେ ପୁଲିସ ଦାବି କରିଛି। ଅପରପକ୍ଷରେ ଏହାକୁ ବିଭ୍ରାନ୍ତିକର ବୋଲି ଅଭିଯୁକ୍ତଙ୍କ ଓକିଲ୍ କହିଛନ୍ତି। କଂଗ୍ରେସ ନେତ୍ରୀ ସଞ୍ଜୟ ନିରୁପମ୍ ମଧ୍ୟ ଏହାକୁ ମୋଦିଙ୍କ ଏକ ଚାଲ୍ ବୋଲି କହିଛନ୍ତି।