ଦୁର୍ଗମ ଅଞ୍ଚଳରେ ମୋବାଇଲ ଯୋଗାଯୋଗ ପାଇଁ ବାଟ ଫିଟୁଛି
ସମାଜସେବୀଙ୍କୁ ରାଜ୍ୟ ସରକାରଙ୍କ ପ୍ରତ୍ୟୁତ୍ତର, ସାଧାରଣରେ ପ୍ରଶଂସା
ଲାଞ୍ଜିଗଡ଼: ଆଧୁନିକ ଯୁଗର ମଣିଷ ଚନ୍ଦ୍ରପୃଷ୍ଠରୁ ଯାଇ ମଙ୍ଗଳପୃଷ୍ଠରେ ପହଞ୍ଚିଗଲାଣି । ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟଭେଦ କରିବାକୁ ଯାଇ ଈଶ୍ୱରକଣିକାର ଖୋଜ କରିସାରିଲାଣି । ସେହିପରି ଦୃତଗତିରେ ବିଶ୍ୱଶକ୍ତିରେ ପରିଣତ ହେବାକୁ ଯାଉଥିବା ଭାରତରେ ଏବେ ସୂଚନା ପ୍ରଯୁକ୍ତିର କ୍ରାନ୍ତି ସାରା ବିଶ୍ୱକୁ ପଛରେ ପକାଇଦେବା ପ୍ରତିଯୋଗିତାରେ ସବୁଠୁ ଆଗରେ ରହିଛି । ତେବେ ମୂଦ୍ରାର ଗୋଟିଏ ପାଶ୍ୱର୍ରେ ଏଭଳି କୋଳାହଳମୟ ଓ ସୁନେଲୀ ପରିବେଶ ଥିବାବେଳେ ମୂଦ୍ରାର ଅପରପାଶ୍ୱର୍ରେ ହଳାହଳମୟ ଅମା ଅନ୍ଧକାର ଆଜି ବି ରହିଛି । ଏହିପରି ଭାବେ ସୂଚନା କ୍ରାନ୍ତି, ଡିଜିଟାଲ ଇଣ୍ଡିଆ ଓ ଫାଇଭ-ଜି ଯୁଗରେ ଓଡିଶାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ମୋବାଇଲ ଫୋନଟିଏ ଲଗାଇବାକୁ ପାହାଡ ଚଢିବାକୁ ପଡୁଛି ତ ଗଛ ଚଢିବାକୁ ପଡୁଛି । ଏପରିକି କିଲୋମିଟର କିଲୋମିଟର ଦୂରଯାଏଁ ମୋବାଇଲର ସିଗ୍ନାଲ ମିଳୁନାହିଁ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ସହିତ ଅନ୍ୟ କୌଣସି ଜରୁରୀ କାମ ପାଇଁ ମୋବାଇଲ ଏକ ଚରମ ଆବଶ୍ୟକତା ହୋଇଥିବାବେଳେ ବ୍ଲକର ୧୬ରୁ ଊର୍ଦ୍ଧ୍ୱ ଗ୍ରାମପଞ୍ଚାୟତରେ ଆଜି ମଧ୍ୟ ମୋବାଇଲ ଯୋଗାଯୋଗ ସ୍ୱପ୍ନ ହୋଇ ରହିଛି । ସରକାର ଆସୁଛି, ଯାଉଛି। ନେତା ଆସୁଛନ୍ତି, ଯାଉଛନ୍ତି କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ହେଉନାହିଁ । ଏପରିସ୍ଥଳେ ଗତବର୍ଷ କରୋନାଜନିତ ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ମଧ୍ୟ ସଂପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା ।
ଅଞ୍ଚଳର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦୀର୍ଘ ୧୫ବର୍ଷ ହେଲା ସାମ୍ବାଦିକତା ଓ ସମାଜସେବା କରୁଥିବା ଯୁବସମାଜସେବୀ ସୁଶୀଲ କୁମାର ବାଗ, କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ବାଗ ପତ୍ର ଲେଖିବା ପରେପରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ନିଜର ଓଡିଶା ଗସ୍ତ ସମୟରେ କେବଳ କଳାହାଣ୍ଡି ଜିଲ୍ଲା ପାଇଁ ୫୧୬ଗୋଟି ମୋବାଇଲ ଟାୱାର ସ୍ଥାପନ ପାଇଁ ଘୋଷଣା କରିଥିଲେ । ସେଥିମଧ୍ୟରୁ କେବଳ ଲାଞ୍ଜିଗଡ ବ୍ଲକରେ ୧୬୯ଟି ଓ ଥୁଆମୂଳ ରାମପୁର ବ୍ଲକରେ ୧୧୭ଟି ମୋବାଇଲ ଟାୱାର ସ୍ଥାପନ ପାଇଁ ପଥ ପରିଷ୍କାର ହୋଇସାରିଛି । ସ୍ଥାନ ଅନୁସାରେ ବିଏସ୍ଏନ୍ଏଲ୍, ଏୟାରଟେଲ୍ ଓ ଜିଓ କଂପାନୀ ପକ୍ଷରୁ ଏଥିପାଇଁ ମିଳିତ ପ୍ରସ୍ତାବ ରହିଥିବାବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏପରିକି ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆବେଦନକାରୀ ଶ୍ରୀ ବାଗଙ୍କୁ ମଧ୍ୟ ଅବଗତ କରାଯାଇଛି । କିଛି ଟେଲିକମ୍ ଅପରେଟର ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିବା ସହିତ ପ୍ରାଥମିକ ସର୍ଭେ ମଧ୍ୟ ଆରମ୍ଭ କରିସାରିଲେଣି । ଏହାକୁ ନେଇ ଅଞ୍ଚଳବାସୀ ବେଶ୍ ଆଶାବାଦୀ ଥିବାବେଳେ ଯୁବ ସମାଜସେବୀ ଶ୍ରୀ ବାଗଙ୍କ ଏତାଦୃଶ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି ।
Comments are closed.