ସରକାରୀ ଡାଏରୀରେ ଗୁରୁତର ତ୍ରୁଟି ; ଦୁଃଖ ପ୍ରକାଶ କଲେ ସରକାର
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ସରକାରୀ ଡାଏରୀରେ ଗୁରୁତର ତ୍ରୁଟିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାର ଦୁଃଖ ପ୍ରକାଶ କରିଛନ୍ତି। ନୂଆବର୍ଷ ଅବସରରେ ପ୍ରକାଶିତ ଏହି ଡାଏରୀରେ ଜାନୁଆରୀ ଓ ଫେବୃଆରୀ ମାସକୁ ପୃଥକ କରୁଥଇବା ପୃଷ୍ଠାରେ ଭୁଲକ୍ରମେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପଂକ୍ତିଟି କବିବର ରାଧାନାଥ ରାୟଙ୍କ ନାମରେ ପ୍ରକାଶିତ ହୋଇଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି।
ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ପାଇଁ ପ୍ରକାଶିତ ଡାଏରୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ….’ କବିତାର ସ୍ରଷ୍ଟା ରାଧାନାଥ ରାୟ ବୋଲି ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ଉତ୍କଳମଣିଙ୍କ କବିତାରେ କବିବର ରାଧାନାଥ ରାୟଙ୍କ ଫଟୋ ଓ ନାମ ମଧ୍ୟ ପ୍ରକାଶ ପାଇଛି।
ତେବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ଦୁଃଖ ପ୍ରକାଶ କରାଯିବା ସହ ଏହା ସମ୍ପୂର୍ଣ୍ଣ ଭାବେ ଅନିଚ୍ଛାକୃତ, ଦ୍ଵେଷରହିତ ଏବଂ ଏକ ପ୍ରାକ ମୁଦ୍ରଣ ସଂଶୋଧ଼ନ ତ୍ରୁଟି ବୋଲି କୁହାଯାଇଛି। ଏହାଦ୍ବାରା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତି ଅପମାନ କରାଯିବାର କୋଣସି ଅଭିପ୍ରାୟ ନାହିଁ ବୋଲି ବିଭାଗୀୟ ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ ଜଣାଇଛନ୍ତି।