MEllora 950×100

ଉନ୍ନାଓ ଘଟଣାର ପୁନରାବୃତ୍ତି: ବଳାତ୍କାର ପରେ ପୀଡ଼ିତାଙ୍କୁ ଜାଳି ହତ୍ୟା ଉଦ୍ୟମ

ଫତେହପୁର: ହାଇଦ୍ରାବାଦର ‘ଦିଶା’ ଏବଂ ଉନ୍ନାଓ ଭଳି ଘଟଣାର ପୁନରାବୃତ୍ତି ସାମ୍ନାକୁ ଆସିଛିି। ଉତ୍ତର ପ୍ରଦେଶର ଫତେହପୁର ସ୍ଥିତ ହୁସୈନଗଞ୍ଜ ଥାନା ଅଞ୍ଚଳର ଏକ ଗାଁ’ରେ ଜଣେ ଯୁବତୀଙ୍କୁ ବଳାତ୍କାର ପରେ ଜୀବନ୍ତ ଜାଳି ହତ୍ୟା ଉଦ୍ୟମ କରାଯାଇଛି। ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ହୈଲଟ୍‍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମ୍ପର୍କୀୟ ଦାଦା ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଯୁବତୀ ଜଣକ ବୟାନ ଦେଇଛନ୍ତି।

ସୂଚନା ଅନୁସାରେ, ଯୁବତୀଙ୍କ ୨୨ ବର୍ଷୀୟ ସମ୍ପର୍କୀୟ ଦାଦା ପୂର୍ବରୁ ତାଙ୍କ ଉପରେ ଖରାପ ନଜର ରଖିଥିଲେ। ଶନିବାର ଦ୍ୱିପ୍ରହରରେ ୧୮ ବର୍ଷୀୟ ଯୁବତୀ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ସେ ଘରେ ପଶିଥିଲେ। ଯୁବତୀଙ୍କ ବିରୋଧ ସତ୍ତ୍ବେ ତାଙ୍କୁ ବଳାତ୍କାର କରିଥିଲେ। ଏହାପରେ ଯୁବତୀ ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଦେବେ ବୋଲି ଧମକ ଦେବାରୁ ଅଭିଯୁକ୍ତ ଦାଦା କିରୋସିନ ଢାଳି ତାଙ୍କ ଦେହରେ ନିଆଁ ଲାଗାଇ ଦେଇଥିଲେ। ଏହାପରେ ଯୁବତୀ ଚିତ୍କାର କରି ଘରୁ ବାହାରକୁ ଦୌଡ଼ିଥିଲେ। ଏହା ଦେଖି ଗାଁ ଲୋକ ସେଠାରେ ଏକାଠି ହୋଇଥିଲେ ଓ ପୁଲିସକୁ ସୂଚନା ଦେଇଥିଲେ। ଏହା ସହିତ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସଦର ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଖବର ପାଇ ସିଓ ସିଟି କପିଲ ଦେବ ମିଶ୍ରା, ମହିଳା ଥାନା ଅଧିକାରୀ ଓ ହୁସୈନଗଞ୍ଜ ଥାନା ଫୋର୍ସ ସେଠାରେ ପହଞ୍ଚିଥିଲେ। ମହିଳା ଥାନା ଅଧିକାରୀ ଯୁବତୀଙ୍କ ବୟାନ ରେକର୍ଡ଼ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରାୟ ୧:୩୦ ସମୟରେ ଯୁବତୀଙ୍କୁ ହୈଲଟ୍‍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ ତାକୁ ଖୋଜିବାକୁ ଉଦ୍ୟମ ଚଳାଇଛି।

Comments are closed.