ଫୁଲବାଣୀ: ପ୍ରେମ ଜାଲରେ ଫଶି ନିର୍ଯ୍ୟାତନାରେ ଶିକାର ହୋଇଥିବା ଜଣେ ନାବାଳିକାକୁ ଆଜି ଚାଇଲ୍ଡ ଲାଇନ୍ ଦ୍ୱାରା ଉଦ୍ଧାର କରାଯାଇଛି। ଏହାସହିତ ଚିକିତ୍ସା ପାଇଁ ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ପ୍ରକାରେ, ଗତ ୩ ମାସ ତଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଶ୍ରପଡ଼ା ଅଞ୍ଚଳର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫଶାଇ ବିବାହାର ପ୍ରତିଶୃତି ଦେଇ ନିଜ ଘରେ ନେଇ ରଖିଥିଲେ। ସେହି ସମୟରେ ଏହି ଘଟଣା ଚାଇଲ୍ଡ ଲାଇନ୍ ଜାଣିବା ପରେ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ଯୁବକଙ୍କ ଘରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହିତ ନିଜ ପରିିବାରକୁ ହସ୍ତାନ୍ତର କରିଥିଲେ। ସେହି ସମୟରେ ଉଭୟ ପରିବାର ଉପସ୍ଥିତିରେ କିଛି ଲେଖାପଢା ମଧ୍ୟ ହୋଇଥିଲା। ତେବେ ପରବର୍ତ୍ତି ସମୟରେ ଯେଉଁ ଯୁବକଙ୍କ ଘରୁ ଉକ୍ତ ନାବାଳିକାକୁ ଉଦ୍ଧାର କରାଯାଇଥିଲା ଉକ୍ତ ଯୁବକଙ୍କ ସାଙ୍ଗ ଓ ଅନ୍ୟଜଣେ ମହିଳା ଅତି ଚତୁରତାର ସହିତ ପୁରୀ ବୁଲିଯିବା କହି ଗ୍ରାମରୁ ନେଇଥିଲେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ନାବାଳିକା ଜଣକ ଆଉ ଫେରି ନଥିଲେ। ଏହି ସମୟରେ ଉକ୍ତ ଯୁବକ ଓ ମହିଳା ଜଣକ ନାବାଳିକାଙ୍କୁ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳର ଏକ ଘରେ ରଖି ନାନା ପ୍ରକାର ନିର୍ଯ୍ୟାତନା ଦେଉଥିବା ବେଳେ ଉକ୍ତ ନିର୍ଯ୍ୟାତନାରେ ନାବାଳିକା ଜଣକ ସଂପୂର୍ଣ୍ଣଭାବେ ଅସହ୍ୟ ହୋଇ ପଡ଼ିଥିଲେ। ତେବେ ଗତ କିଛିଦିନ ତଳେ ଉକ୍ତ ଯୁବକ ଜଣକ ଓ ମହିଳା ଜଣକ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିିବା ବେଳେ ନିର୍ଯ୍ୟାତନାରୁ ବଞ୍ଚିବା ଓ ସେମାନଙ୍କ ଠାରୁ ଛାଡ଼ ପାଇବା ପାଇଁ ନାବାଳିକା ଜଣକ ରହୁଥିବା ଘରର ଛାତରୁ ଡ଼େଇଁ ପଡ଼ି ବାହାରକୁ ଆସିବା ସହିତ ଏନେଇ ନିଜ ବଡ଼ଭଉଣୀଙ୍କୁ ଫୋନ୍ ଦ୍ୱାରା ଜଣାଇଥିଲେ।
ନାବାଳିକାଙ୍କ ଭଉଣୀ ବାଙ୍ଗାଲୋରରେ ରହୁଥିବା ଯୋଗୁଁ ଏନେଇ ତୁରନ୍ତ ତାଙ୍କର ଜଣେ ବନ୍ଧୁଙ୍କୁ ଜଣାଇବା ପରେ ବନ୍ଧୁଜଣକ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହିତ ନିଜ ଘରକୁ ନେଇ ଯାଇଥିଲେ। ଗତ ୧୦ ଦିନ ହେଲା ସହାୟତା କରିଥିିବା ଯୁବକ ଜଣକ ଉକ୍ତ ନାବାଳିକାକୁ ଆଣି ନିଜ ଗ୍ରାମରେ ଛାଡ଼ିଥିବା ବେଳେ ଭୟଭିତ ହୋଇ ପରିବାର ଲୋକେ ଏକ ବେସରକାରୀ ଡ଼ାକ୍ତରଙ୍କ ଦ୍ୱାରା ଲୁଚାଇ ଛପାଇ ଚିକିତ୍ସା କରୁଥିବା ବେଳେ ଆଜି ଉକ୍ତ ଗ୍ରାମକୁ ଚାଇଲ୍ଡ ଲାଇନର ଏକ୍ ଟିମ୍ ସଚେତନ ପାଇଁ ଯାଇ ଏହି ଖବର ପାଇ ଟିମ୍ ଉକ୍ତ ପରିବାର ପାଖରେ ପହଞ୍ଚି ନାବାଳିକାକୁ ତୁରନ୍ତ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାଯାଇଛି। ବିଳମ୍ବରେ ଏହି ଖବର ଜଣାପଡ଼ିଥିଲେ ମଧ୍ୟ ଏହା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।



