ସାମରିକ ଖର୍ଚ୍ଚ : ବିଶ୍ୱର ଶୀର୍ଷ ୫ ଦେଶ ମଧ୍ୟରେ ଭାରତ

0

ନୂଆଦିଲ୍ଲୀ : ଅସ୍ତ୍ରଶସ୍ତ୍ର ଆମଦାନିରେ ଭାରତ ବିଶ୍ୱର ପ୍ରମୁଖ ରାଷ୍ଟ୍ର ଭାବେ ଉଭା ହୋଇଥିବାବେଳେ ସାମରିକ ଖର୍ଚ୍ଚ ସୂଚୀରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ବିଶ୍ୱରେ ସେନା ଉପରେ ସର୍ବାଧିକ ଖର୍ଚ୍ଚ କରୁଥିବା ଦେଶ ମଧ୍ୟରେ ପ୍ରାନ୍ସକୁ ପଛରେ ପକାଇ ଭାରତ ୫ ନମ୍ବର ସ୍ଥାନ ଅଧିକାର କରିଛି । ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଓ ଚୀନ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଷ୍ଟକ୍‌ହାମ୍‌ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନ (ସିପ୍ରି)ର ବୁଧବାର ପ୍ରକାଶିତ ଅନୁଧ୍ୟାନ ରିପୋର୍ଟ ଅନୁସାରେ ବିଶ୍ୱର ସମୁଦାୟ ସାମରିକ ଖର୍ଚ୍ଚ ପରିମାଣ ୨୦୧୬ ତୁଳନାରେ ୧.୧% ବୃଦ୍ଧି ପାଇ ୨୦୧୭ରେ ୧,୭୩୯ ଶହ କୋଟି ଡଲାରରେ ପହଞ୍ଚିଛି । ଶୀର୍ଷ ୫ ଦେଶର ସାମରିକ ଖର୍ଚ୍ଚ ବିଶ୍ୱର ମୋଟ ସାମରିକ ଖର୍ଚ୍ଚର ୬୦% ରହିଛି । ଆମେରିକାର ସାମରିକ ଖର୍ଚ୍ଚ ୨୦୧୭ରେ ୬୧୦ ଶହ କୋଟି ଡଲାର ରହିଛି । ଚୀନର ସାରମିକ ଖଚ୍ଚ ର୍୨୦୧୬ ତୁଳନାରେ ୫.୬% ବୃଦ୍ଧି ପାଇ ୨୦୧୭ରେ ୨୨୮ ଶହ ଡଲାରରେ ପହଞ୍ଚିଛି । ୨୦୦୮ରେ ବିଶ୍ୱର ମୋଟ ସାମରିକ ଖର୍ଚ୍ଚରେ ଚୀନର ଭାଗ ୨୦୦୮ରେ ୫.୮%ରୁ ବୃଦ୍ଧି ପାଇ ୨୦୧୭ରେ ୧୩%ରେ ପହଞ୍ଚିଛି । ସେହିପରି ଭାରତର ସାମରିକ ଖର୍ଚ୍ଚ ୨୦୧୬ ତୁଳନାରେ ୫.୫% ବୃଦ୍ଧି ପାଇ ୨୦୧୭ରେ ୬୩.୯ ଶହ କୋଟି ଡଲାରରେ ପହଞ୍ଚିଛି । ଏହି ତାଲିକାରେ ସାଉଦି ଆରବିଆ ତୃତୀୟ ସ୍ଥାନରେ ରହିଛି ଓ ୨୦୧୭ରେ ସେନା ଉପରେ ୬୯.୪ ଶହ କୋଟି ଡଲାର ଖର୍ଚ୍ଚ କରିଛି । ତାଲିକାରେ ରୁଷ ଚତୁର୍ଥ ସ୍ଥାନରେ ରହିଛି ଓ ୨୦୧୭ରେ ଏହାର ସାମରିକ ଖର୍ଚ୍ଚ ୬୬.୩ ଶହ କୋଟି ଡଲାର ରହିଛି । ୬୩.୯ ଶହ କୋଟି ଡଲାର ସାମରିକ ଖର୍ଚ୍ଚ ସହ ଭାରତ ପଞ୍ଚମ ଓ ୫୭.୮ ଶହ କୋଟି ଡଲାର ଖର୍ଚ୍ଚ ସହ ପ୍ରାନ୍ସ ଷଷ୍ଠ ସ୍ଥାନରେ ରହିଛି । ଏହା ପଛକୁ ବ୍ରିଟେନ୍‌ର ସାମରିକ ଖର୍ଚ୍ଚ ୪୭.୨ ଶହ କୋଟି ଡଲାର, ଜାପାନର ୪୫.୪ ଶଡ କୋଟି ଡଲାର, ଜର୍ମାନିର ୪୪.୩ ଶହ କୋଟି ଡଲାର ଓ ଦକ୍ଷିଣ କୋରିଆର ସାମରିକ ଖର୍ଚ୍ଚ ୩୯.୨ ଶହ କୋଟି ଡଲାର ରହିଛି। ସିପ୍ରି ରିପୋର୍ଟ ଅନୁସାରେ ଚୀନ ପାଖରେ ୨୫୦ଟି ପରମାଣୁ ଅସ୍ତ୍ର, ଭାରତରେ ୧୦୦ରୁ ୧୨୦ଟି ପରମାଣୁ ଅସ୍ତ୍ର ଓ ପାକିସ୍ତାନ ପାଖରେ ୧୩୦ଟି ପରମାଣୁ ବୋମା ରହିଥିବା ଆକଳନ କରାଯାଇଛି । ୧୯୮୦ ପରଠାରୁ ଭାରତ ଅନେକ ପରମାଣୁ ଅସ୍ତ୍ର ବିକଶିତ କରିଛି । ଭାରତ ବାୟୁ ସେନାର ବୋମା ବର୍ଷଣକାରୀ ଯୁଦ୍ଧ ବିମାନ ସୁଖୋଇ ସୁ-୩ ଏମ୍‌କେଆଇ, ମିଗ୍‌-୨୨ଏସ୍‌ ଏବଂ ମିରେଜ ୨୦୦୦ଏସ୍‌ ପରମାଣୁ ଅସ୍ତ୍ର ବହନର କ୍ଷମତା ରଖିଛନ୍ତି । ଅଗ୍ନି ଏବଂ ପୃଥିବୀ କ୍ଷେପଣାସ୍ତ୍ରରେ ବି ପରମାଣୁ ଅସ୍ତ୍ର ନିକ୍ଷେପ କରିହେବ । ଅଗ୍ନି-୧ କ୍ଷେପଣାସ୍ତ୍ର ୭୫୦ରୁ ୧୨୫୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିବାର କ୍ଷମତା ରଖିଛି ଓ ଅଗ୍ନି-୫ରେ ୫,୫୦୦ରୁ ୮୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିହେବ । ସମ୍ପୂର୍ଣ୍ଣ ଚୀନ ଭାରତର ଅଗ୍ନି କ୍ଷେପଣାସ୍ତ୍ର ଲକ୍ଷ୍ୟ ଭେଦ ପରିସର ମଧ୍ୟରେ ଆସୁଛି । ଭାରତୀୟ ନୌସେନାର ଆଇଏନ୍‌ଏସ୍‌-ଆରିଅନ୍ତ ବୁଡ଼ା ଜାହାଜ ପରମାଣୁ ଅସ୍ତ୍ର ବହନର କ୍ଷମତା ଅଛି ।
ଉଭୟ ପାକିସ୍ତାନ ଏବଂ ଚୀନ୍‌ ସହିତ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଯୋଗୁ ଭାରତର ସମାରିକ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଛି।

Leave A Reply