ବରେଲୀ: ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲ୍ଜିତ୍ ଦୋସାଂଝଙ୍କ ଫିଲ୍ମ ‘ସର୍ଦ୍ଦାର ଜୀ ୩’ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଅଲ ଇଣ୍ଡିଆ ମୁସଲିମ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରଜଭି ବରେଲଭି। ମୌଲାନା କହିଛନ୍ତି ଯେ, ଦିଲଜିତ ଦୋସାଂଝ ଏହି ଚଳଚ୍ଚିତ୍ରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସହ କାମ କରିଛନ୍ତି। ଏହା ଭାରତକୁ ଭୁଲ୍ ବାର୍ତ୍ତା ଦେଉଛି। ଏହି ଫିଲ୍ମକୁ ତୁରନ୍ତ ବ୍ୟାନ୍ କରାଯିବା ଉଚିତ। ଏଥିସହ ଅଭିନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ମୌଲାନା ଶହାବୁଦ୍ଦିନ ରଜଭି ଦେଶବାସୀଙ୍କୁ ‘ସର୍ଦ୍ଦାର ଜୀ ୩’ ଚଳଚ୍ଚିତ୍ର ନ ଦେଖିବାକୁ ନିବେଦନ କରିଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କଠାରୁ ଦିଲଜିତ ଦୋସାଂଝଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି, ଲୋକମାନେ ‘ସର୍ଦ୍ଦାର ଜୀ ୩’ ଚଳଚ୍ଚିତ୍ର ଆଦୌ ଦେଖିବା ଉଚିତ ନୁହେଁ। ସରକାର ତୁରନ୍ତ ଏହି ଫିଲ୍ମକୁ ନିଷିଦ୍ଧ କରିବା ଉଚିତ। ଅଭିନେତା ଦିଲଜିତ ଦୋସାଂଝଙ୍କୁ ଗିରଫ କରି ଜେଲ୍ ପଠାଇବା ଉଚିତ।
ଶହାବୁଦ୍ଦିନ ରଜଭି କହିଛନ୍ତି, ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ଯୁଦ୍ଧ ହେଲା। ଭାରତ ଅପରେସନ ସିନ୍ଦୂର କରି ପାକିସ୍ତାନ ଭିତରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କଲା। ଏହାପରେ ପାକିସ୍ତାନର ଆତଙ୍କବାଦୀ ଚିନ୍ତାଧାରାର ମୁଖା ସାରା ବିଶ୍ୱ ଆଗରେ ଖୋଲିବା ପାଇଁ ଭାରତରୁ ବିଭିନ୍ନ ଦେଶକୁ ପ୍ରତିନିଧିମଣ୍ଡଳ ପଠାଯାଇଥିଲା। ଏଭଳି ପରିସ୍ଥିତିରେ ଦିଲଜିତ୍ ଦୋସାଂଝ ନିଜ ସ୍ୱାର୍ଥ ପାଇଁ ଭାରତର ଶତ୍ରୁ ଦେଶ ସହିତ ସମ୍ପର୍କ କାହିଁକି ବଜାୟ ରଖିଛନ୍ତି? ତାଙ୍କୁ ଭାରତରେ କୌଣସି ଅଭିନେତ୍ରୀଙ୍କୁ କାହିଁକି ମିଳିଲେ ନାହିଁ? ସେ ଆତଙ୍କବାଦୀ ମାନସିକତା ପୋଷଣ କରୁଥିବା ଲୋକଙ୍କୁ କାହିଁକି ପ୍ରଶଂସା କରନ୍ତି? ଦଲଜିତ୍ ଦୋସାଂଝଙ୍କୁ ଏସବୁ କଥା ସ୍ପଷ୍ଟ କରିବାକୁ ପଡ଼ିବ।



