Patra electronics

ବଜାରକୁ ଆସୁଛି ମାରୁତିର ପ୍ରଥମ ଇଭି କାର୍‌

ସମାଜ ଡିଜିଟାଲ ଡେସ୍କ: ଟାଟାଠୁ ଆରମ୍ଭ କରି ଅନେକ ଚାରି ଚକିଆ ଯାନ ନିର୍ମାତା କମ୍ପାନୀ ବ୍ୟାଟେରି ଚାଳିତ (ଇଭି) କାର୍‌ ବଜାରକୁ ଛାଡ଼ିଲେଣି। ହେଲେ ଅନ୍ୟତମ ପ୍ରମୁଖ କମ୍ପାନୀ ମାରୁତି ସୁଜୁକି ଏହି କ୍ଷେତ୍ରରେ ପଛରେ ରହିଯାଇଛି। କିନ୍ତୁ କମ୍ପାନୀ ପକ୍ଷରୁ ଏହାର ପ୍ରଥମ ଇଭି ବଜାରକୁ ଆରିବାକୁ ପ୍ରସ୍ତୁତି ଶେଷ ହୋଇଛି। ଖୁବଶୀଘ୍ର ଭାରତୀୟ ବଜାରରେ ଉପଲବ୍ଧ ହେବ ମାରୁତି ଇଭି। କମ୍ପାନୀ ଏସୟୁଭି ମଡେଲରେ ଏହାର ପ୍ରଥମ ଇଭିକୁ ବଜାରକୁ ଛାଡ଼ିବ, ଯାହାର ନାଁ ହେଉଛି ମାରୁତି ସୁଜୁକି ଇଭିଏକ୍ସ(eVX)

୨୦୨୫ ଜାନୁୟାରୀରେ ଏହି ଗାଡ଼ି ବଜାରକୁ ଆସିବ। ଏଥିପାଇଁ କମ୍ପାନୀ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନେକ୍ସା ଆଉଟଲେଟ୍‌ଗୁଡ଼ିକରେ ଏଥିପାଇଁ ଇଭି ଚାର୍ଜର ଲଗାଯିବା କାମ ଆରମ୍ଭ ହୋଇଯାଇଛି। ଗାଡ଼ିର ବଜାର ପ୍ରବେଶ ପୂର୍ବରୁ କମ୍ପାନୀ ଏହାର ଚାର୍ଜିଂ ଭିତ୍ତିଭୂମି ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି। ନେକ୍ସା ଆଉଟଲେଟ୍‌ରେ ଚାର୍ଜର ଲଗାଯିବା ଫଳରେ ଏହି ଡିଲରଶିପ୍‌ ଜରିଆରେ ଇଭି ଏସୟୁଭି ବିକ୍ରୟ ହେବା ସ୍ପଷ୍ଟ ହୋଇଛି।

ଏହି ନୂଆ ଇଭି ୨ଟି ଭାରିଆଣ୍ଟରେ ବଜାରକୁ ଆସିପାରେ। ଗୋଟିଏ ସିଙ୍ଗଲ ଇଲେକ୍ଟ୍ରିକ ମୋଟର ଏବଂ ଅନ୍ୟଟି ଡୁଆଲ ଇଲେକ୍ଟ୍ରିକ ମୋଟର ବିଶିଷ୍ଟ ରହିବ। ଏଥିରେ ୬୦ କିଲୋଓ୍ବାଟ୍‌ର ବ୍ୟାଟେରି ରହିବ, ଯାହା ଥରେ ଚାର୍ଜ ହେଲେ ୫୦୦ କିଲୋମିଟର ରେଞ୍ଜ ପ୍ରଦାନ କରିବ। ଏହାର ପରୀକ୍ଷା ମଧ୍ୟ କରାଯାଇଛି।

ଭାରତୀୟ ବଜାରରେ ଏହା ଲଞ୍ଚ ହେବା ପରେ ମହିନ୍ଦ୍ରା ପକ୍ଷରୁ ବଜାରକୁ ଆସୁଥିବା ଏକ୍ସୟୁଭି୭୦୦ ଇଭି, ହ୍ୟୁଣ୍ଡାଇ କ୍ରେଟା ଇଭି, ହୋଣ୍ଡା ଏଲିଭେଟ, କିଆ ସେଲଟସ ଆଦିର ଇଭି ମଡେଲଗୁଡ଼ିକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି। ଆସନ୍ତାବର୍ଷ ଜାନୁୟାରୀ ୧୭ରୁ ୨୨ ତାରିଖ ମଧ୍ୟରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ କମ୍ପାନୀ ଏହାର ପ୍ରଥମ ଇଭିକୁ ଲଞ୍ଚ କରିବାକୁ ଯୋଜନା ରଖିଥିବା ସୂଚନା ମିଳିଛି।

Comments are closed.