ପୁଣି ଏକ ନିର୍ଭୟା କାଣ୍ଡ, ମୃତ୍ୟୁ ସହ ସଂଗ୍ରାମ କରୁଛି ୭ ବର୍ଷର ନାବାଳିକା
ମାଣ୍ଡସୌର : ମଧ୍ୟପ୍ରଦେଶ ମାଣ୍ଡସୌରରେ ନିର୍ଭୟା କାଣ୍ଡ ଭଳି ଏକ ଅମାନବୀୟ ଘଟଣା ପଦାକୁ ଆସିଛି। ଏଠାରେ ଜଣେ ୭ ବର୍ଷର ନାବାଳିକାକୁ ନୃଶଂସ ଭାବେ ବଳାତ୍କାର କରାଯାଇଛି। ପୀଡ଼ିତା ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏହାକୁ ନେଇ ଗୁରୁବାର ଜିଲାରେ ବନ୍ଦ ଡାକରା ଦିଆଯାଇଥିଲା। ସହରରେ ଲୋକେ ଏକାଠି ହାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦାବି କରିଛନ୍ତି। ବଳାତ୍କାର ମଙ୍ଗଳବାର ଘଟିଥିଲାବେଳେ ବୁଧବାର ରାତିରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାକୁ କଂଗ୍ରେସ କଡ଼ା ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସର ରାଷ୍ଟ୍ରୀୟ ସଚିବ ସଜନ ସିଂହ ବର୍ମା ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧୀକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ପ୍ରାପ୍ତ ତଥ୍ୟ ଅନୁସାରେ ପୀଡ଼ିତାର ଶରୀରର ବିଭିନ୍ନ ଅଂଶରେ ଦାନ୍ତ ଦାଗ ରହିଛି। କ୍ଷତ ବହୁ ଗଭୀର ଥିବାବେଳେ ପୀଡ଼ିତାର ଦୁଇ ଥର ଅସ୍ତ୍ରୋପଚାର କରାଯାଇଛି। ସମ୍ବେଦନ ଶୀଳ ଅଙ୍ଗରେ ଗୁରୁତର କ୍ଷତ ହୋଇଥିବାରୁ ପେଟରେ ଏକ ଗର୍ତ୍ତ କରିବାକୁ ପଡ଼ିଛି। ଏହାକୁ ନେଇ ସହରରେ ବିଭିନ୍ନ ସଂଗଠନ, ମହିଳା ସଂଗଠନ, ସେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଏବଂ ସାଧାରଣ ଜନତା ଏକାଠି ହୋଇ ପ୍ରଦର୍ଶନ କରିଛନ୍ତି ଓ ଜିଲାରେ ବନ୍ଦ ଡାକରା ଦିଆଯାଇଛି।
ଘଟଣା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପୀଡ଼ିତାର ଜଣେ ପଡୋଶୀ ତାକୁ ଚକୋଲେଟ୍ ଦେବାକୁ ଡାକି ନେଇ ବଳାତ୍କାର କରିଥିଲା। ପରେ ମାଣ୍ଡସୌର ବସଷ୍ଟାଣ୍ଡ ନିକଟରୁ ନାବାଳିକାକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବାଳିକାକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ୍ ସିସିଟିଭି ଯାଞ୍ଚରୁ ଅଭିଯୁକ୍ତକୁ ଚିହ୍ନଟ କରି ବୁଧବାର ରାତିରେ ଗିରଫ କରିଛି। ଅଭିଯୁକ୍ତର ନାମ ଇମରାନ ଏବଂ ସେ ନିଶାଶକ୍ତ ଅବସ୍ଥାରେ ଏପରି କରିଥିବା କୁହାଯାଉଛି।
ଜିଲା ବନ୍ଦ ଡାକରା ଯୋଗୁଁ ଗୁରୁବାର ଦୋକାନ, ବଜାର ବନ୍ଦ ରହିଥିଲା ଓ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏଭଳି ଘଟଣାର କଡ଼ା ନିନ୍ଦା କରିଛନ୍ତି। ସେ ଡାକ୍ତରଖାନାକୁ ଫୋନ୍ କରି ପୀଡ଼ିତାର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ତୁରନ୍ତ ଏହି ବଳାତ୍କାର ଘଟଣାର ଶୁଣାଣି ଫାଷ୍ଟଟ୍ରାକ୍ ଅଦାଲତରେ କରାଯିବ ଓ ସମାଜରେ ଏଭଳି ବଳାତ୍କାରୀଙ୍କ ରହିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି।