ମାଣତ୍ରୀ ଜାଗର ମେଳା ପାଇଁ ପ୍ରସ୍ତୁତି ଶେଷ: ଭୋର ୪ଟାରେ ଉଠିବ ମହାଦୀପ

ବଡ଼ସାହି: ସୋମବାର ମହାଶିବରାତ୍ରି ଠାରୁ ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀର ବାବା କଖାରୁଆ ବୈଦନାଥଙ୍କ ମନ୍ଦିରରେ ଜାଗର ମେଳା ଆରମ୍ଭ ହେଉଛି। ୧୦ଦିନ ଧରି ବସୁଥିବା ମେଳାରେ ଜିଲା ତଥା ଜିଲା ବାହାର ଏପରିକି ପଡୋଶୀ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରୁ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ମେଳାରେ ୫ଲକ୍ଷରୁ ଉର୍ଦ୍ଧ୍ଵ ଜନସମାଗମ ହୋଇଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ଉଠାଦୋକାନୀ ଏହି ମେଳାକୁ ଆସିଥାନ୍ତି। ଦେବତ୍ତୋର ବିଭାଗ ପକ୍ଷରୁ ୧୨ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାରେ ନିଲାମ ନେବା ପରେ ପଟ୍ଟାଦାରଙ୍କ ପକ୍ଷରୁ ଦୋକାନୀଙ୍କୁ ସ୍ଥାନ ଆବଣ୍ଟନ କରାଯାଇଛି। ବହୁ ସଂଖ୍ୟାରେ ନୂଆନୂଆ ଦୋକାନ, ମୀନାବଜାର ସାଙ୍ଗକୁ ନାମୀଦାମୀ ଯାତ୍ରାନୁଷ୍ଠାନ ପାଇଁ ମେଳାରେ ଜନସମାଗମ ହୋଇଥାଏ। ମାଣତ୍ରୀ ଜାଗର ମେଳାକୁ ସୁରକ୍ଷିତ କରିବ ପାଇଁ ପୁଲିସ୍ ବିଭାଗ ପକ୍ଷରୁ ମେଳାରେ ଅସ୍ଥାୟୀ ଫାଣ୍ଡି ସ୍ଥାପନ କରାଯାଇଛି। ଡ଼ିଏସପି ଯଦୁନାଥ ଯେନାଙ୍କ ନେତୃତ୍ୱରେ ବେତନଟୀ ଓ ବୈଶିଙ୍ଗା ଆଇଆଇସି ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ପାଇଁ ୧୦ଜଣ ଅଫିସର ଓ ୨ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରିଛନ୍ତି। ମାଣତ୍ରୀ ଛକଠାରୁ ଚମ୍ପାଲାଞ୍ଜି ଛକ ଯାଏଁ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଛି। ରବିବାର ଠାରୁ ଧର୍ମଜାଗରଣ ସମିତି ଓ ଫୋର୍ଡ଼ ସ୍ୱେଚ୍ଛାସେବୀ ସଙ୍ଗଠନ ସଦସ୍ୟଙ୍କ ସହାୟତାରେ ନିଶୁଳ୍କ ଭାବେ ବ୍ରତୀଙ୍କୁ ଜାଗର ଜାଳିବା ପାଇଁ ସ୍ଥାନ ଆବଣ୍ଟନ କାର୍ଯ୍ୟ ଶେଷ ହୋଇଛି। ବିକେବି ୟୂଥ କ୍ଲବ ଓ ବିଭିନ୍ନ କଲେଜର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ପ୍ରଦୀପ ପ୍ରଜ୍ଜଳନ ସାଙ୍ଗକୁ ଦିଅଁ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ସହାୟତାରେ ନିୟୋଜିତ ରହିଛନ୍ତି। ବଡ଼ସାହି ଦମକଳବାହିନୀ ଓ ମାଣତ୍ରୀ ଡ଼ାକ୍ତରଖାନା ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମେଳାରେ ନିରବଚ୍ଛିନ୍ନ ବିଦ୍ୟୁତ ଓ ପାନୀୟଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥା ଚୁଡ଼ାନ୍ତ ହୋଇଛି। ମନ୍ଦିରରେ ଭକ୍ତଙ୍କ ଦିଅଁ ଦର୍ଶନ, ପୂଜା, ଦଣ୍ଡବତ ତଥା ଦୀପ ଜାଳିବା ଶାନ୍ତି ଶୃଙ୍ଖଳାର ସହିତ ସମାପନ ପାଇଁ ପ୍ରଶାସନ ଓ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ମେଳାରେ ମାଦକ ଦ୍ରବ୍ୟ ଓ ଶିବରାତ୍ରିରେ ଆମିଷ ଦ୍ରବ୍ୟ ବିକ୍ରୀ ଉପରେ କଟକଣା ଜାରି କରାଯାଇଛି।