ମୋଦି ବିରୋଧୀ ମହାମେଣ୍ଟ ପାଇଁ ବିଭିନ୍ନ ଦଳର ନେତାଙ୍କୁ ଭେଟିଲେ ମମତା

0

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ବିରୋଧୀ ସାମ୍ମୁଖ୍ୟ ଗଠନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଦିଲ୍ଲୀଠାରେ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି । ମମତା ସୋମବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ । ମଙ୍ଗଳବାର ସେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟିଛନ୍ତି । ବିଜେପି ଓ କଂଗ୍ରେସକୁ ବାଦ୍‌ ଦେଇ ଏକ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ମମତା ଆଗରୁ ଘୋଷଣା କରିଥିଲେ। ମାତ୍ର ନିକଟରେ ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ତେଣୁ ମମତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିବା ଆଲୋଚନା ହେଉଛି । ତୃତୀୟ ସାମୁଖ୍ୟ ଗଠନ ଲକ୍ଷ୍ୟରେ ଥିବାରୁ ମମତା କିଛି ଦିନ ତଳେ ସୋନିଆଙ୍କ ଦ୍ୱାରା ଆୟୋଜିତ ନୈଶ୍ୟ ଭୋଜନ କାର୍ଯ୍ୟକ୍ରମରେ ଯୋଗଦେଇନଥିଲେ । ଆଗକୁ ସାକ୍ଷାତକାର ସମୟରେ ମମତା ଓ ସୋନିଆ କୌଣସିକ ଏକ ନିର୍ଦ୍ଦିଷ୍ଟ ନୀତିରେ ସହମ୍ମତ ହେଲେ ତୃତୀୟ ସାମୁଖ୍ୟ ବଦଳରେ ମୋଦି ବିରୋଧୀ ମହାମେଣ୍ଟ ଗଠନ ହେବ ବୋଲି ଆଲୋଚନା ହେଉଛି । ମମତା ମଙ୍ଗଳବାର ଶିବସେନା ନେତା ସଂଜୟ ରାଉତଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ସେ ଜାତୀୟ କଂଗ୍ରସ ଦଳ (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାୱାରଙ୍କ ଅଫିସକୁ ଯାଇ ସେଠାରେ ତାଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ଏହାପରେ ଡିଏମ୍‌କେ ନେତ୍ରୀ କାନିମୋଝି, ୱାଏସ୍‌ଆର କଂଗ୍ରେସ ଏବଂ ବିଜୁ ଜନତା ଦଳ (ବିଜେଡି), ତେଲୁଗ୍‌ ଦେଶମ ପାର୍ଟି (ଟିଡିପି) ସାଂସଦମାନେ ମମତା ବାନାର୍ଜୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ । ଅପରାହ୍ନରେ ସେ ରାମଗୋପାଳ ଯାଦବ, ପ୍ରଶାନ୍ତ କିଶୋର, ପ୍ରଫୁଲ୍ଲ ପଟେଲ, ସୁପ୍ରିୟା ସୁଲେ, ଆରଜେଡି ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପୂର୍ବରୁ ମମତା ଟିଡିପି ଅଧ୍ୟକ୍ଷ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ଆଗକୁ ମମତା ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ଯାଦବ, ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ଟିଏମ୍‌ସିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ରାଜନେତାଙ୍କୁ ସାକ୍ଷାତକାର ଅବସରରେ ମମତା ବିଜେପି ଉପରେ ବର୍ଷିଥିଲେ । ବିଜେପି ଏକ ସାମ୍ପ୍ରଦାୟିକ ଦଳ ବୋଲି ସେ କହିଥିଲେ । ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀ ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ସେ ଏହି ମହାମେଣ୍ଟରେ ଯୋଗଦେବାକୁ କହିଥିଲେ । ସେମାନେ ଲକ୍ଷ୍ନୌରେ କୌଣସି ବୈଠକ ଡାକିଲେ ଆମେ ଯିବୁ ଓ ମହାମେଣ୍ଟ ଗଠନ ପାଇଁ ଆଲୋଚନା କରିବୁ ବୋଲି ମମତା ସ୍ପଷ୍ଟ କରିଥିଲେ । ମୋଦି ବିରୋଧୀ ଏହି ମହାମେଣ୍ଟରେ କେଉଁ ଦଳ ଯୋଗଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply