ଖାପ ପଞ୍ଚାୟତ ନିଷ୍ପତ୍ତି : ୪ ପରିବାର ଗ୍ରାମରୁ ବାସନ୍ଦ ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲା ପଡିଆ ଥାନା ଅନ୍ତର୍ଗତ କମାରଗୁଡା ଗ୍ରାମରେ ଚାରିଟି ପରିବାର ଧର୍ମ ପରିବର୍ତ୍ତନ କରିଥିବାବେଳେ ଏହାକୁ ଗ୍ରାମବାସୀ ବିରୋଧ କରି ଗ୍ରାମରୁ ସେମାନଙ୍କୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଏହି ଘଟଣାକୁ ନେଇ ଗ୍ରାମରେ ଖାପ୍ ପଞ୍ଚାୟତ ବସାଇଥିଲେ। ଖାପ୍ ପଞ୍ଚାୟତରେ ଏହି ପରିବାର ଲୋକଙ୍କୁ ଦଶ ହଜାର ଟଙ୍କା ଜୋରିମାନା ପକାଇଥିଲେ। ଗରିବ ଚାରିଟି ପରିବାର ଦଶ ହଜାର ଟଙ୍କା ଦେଇ ନ ଥିବାରୁ ସେମାନଙ୍କୁ ବାସନ୍ଦ ମଧ୍ୟ କରାଯାଇଥିଲା। ହଠାତ୍ ଗ୍ରାମବାସୀ ଏହି ଚାରିଟି ପରିବାର ଉପରେ ଅକ୍ରମଣ କରିବା ସହ ଘର ଗୁଡ଼ିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ପରିବାର ଲୋକେ ଭୟଭୀତ ହୋଇ ବର୍ତ୍ତମାନ ପଡିଆ ଥାନାର ଆଶ୍ରୟ ନେଇ ନିଜ ପରିବାର ସୁରକ୍ଷା ପାଇଁ ଦାବି କରିବା ସହ ନିଜର ଭିଟାମାଟିକୁ କିଭଳି ଫେରିବେ ସେ ନେଇ ଅନୁରୋଧ କରିଛନ୍ତି । କମାରଗୁଡାରେ ଧର୍ମାନ୍ତରିକରଣକୁ ପ୍ରୋତ୍ସାହନ ଦିଆଯିବ ନାହିଁ। ଏଥିନିମନ୍ତେ ଆମକୁ ଯାହା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ତାହା କରିବୁ ବୋଲି କିଛି ବ୍ୟକ୍ତି କହିଥିବାବେଳେ ଏ ନେଇ ପଡ଼ିଆ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.