ଜମି ଦୁର୍ନୀତି ମାମଲାରେ ପୂର୍ବତନ ତହସିଲଦାର ନିଲମ୍ବିତ

ମାଲକାନଗିରି: କାଲିମେଳା ତହସିଲରେ ହୋଇଥିବା ଦୁର୍ନୀତି ମାମଲାରେ ଆଜି ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆ ନିଳମ୍ବିତ ହୋଇଛନ୍ତି। ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ବିଭାଗ ତରଫରୁ ପୂର୍ବତନ ତହସିଲଦାର ଶ୍ରୀ ଅନୁଗୁଳିଆଙ୍କୁ ନିଳମ୍ବିତ କରାଯାଇଥିବା ନେଇ ନିର୍ଦେଶ କରାଯାଇଛି। ସୂଚନା ଯୋଗ୍ୟ ଯେ କାଲିମେଳା ତହସିଲରେ ଶାଗମାଛ ଦରରେ ମୂଲ୍ୟବାନ ଜମିକୁ ଠିକାଦାର, ପୁଞ୍ଜିପତି, ସରକାରୀ କର୍ମଚାରୀମାନଙ୍କୁ ଦେଇଥିଲେ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାଫଳରେ ଜିଲ୍ଲା ପ୍ରଶାସନ କାଲିମେଳା ତହସିଲର ଜଣେ କିରାଣୀ ଏବଂ ରାଜସ୍ବ ନିରୀକ୍ଷକଙ୍କୁ ନିଲମ୍ବିତ କରିଥିଲା। ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ କୋରାପୁଟ ଜିଲ୍ଲାକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିଲା।

ଆଜି ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ତରଫରୁ ତାଂକୁ ନିଲମ୍ବିତ କରାଯାଇଥିବା ନେଇ ଚିଠି ଆସିବା ପରେ କାଲିମେଳା ଅଂଚଳରେ ଖୁସିର ଲହରି ଖେଳିଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଡାଟା ଏଣ୍ଟ୍ରି ଅପରେଟରକୁ ମଧ୍ୟ କାଲିମେଳା ତହସିଲରୁ ଖଇରପୁଟ ତହସିଲକୁ ବଦଳି କରାଯାଇଥିଲା। ତେବେ ଯେଉଁ ଲୋକମାନେ ଅନ୍ୟାୟ ଭାବେ ପଟ୍ଟା ପାଇଛନ୍ତି ସେମାନଙ୍କ ଠାରୁ ତୁରନ୍ତ ପଟ୍ଟା ଫେରସ୍ତ ଅଣିବାକୁ ସାଧାରଣରେ ଦାବି ହୋଇଛି।

Comments are closed.