ମହେଶ୍ୱର ମହାନ୍ତି ପାଇଲେ ‘ବିଶ୍ୱନାଥ ପଶାୟତ ସାରସ୍ୱତ ସମ୍ମାନ’

କଟକ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଶାୟତ ଜଣେ ଦକ୍ଷ ଆଇନଜ୍ଞ, ସମାଜସେବୀ ଓ ସାରସ୍ୱତ ସାଧକ ଥିଲେ। ସେ ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ। ତାଙ୍କ ଭଳି ବରପୁତ୍ରକୁ ଜନ୍ମଦେଇ ଓଡ଼ିଶା ଧନ୍ୟ ହୋଇଛି। ବିଶ୍ୱନାଥଙ୍କ ଜୀବନାଦର୍ଶ ଯୁବ ସମାଜର ଧ୍ୟେୟ ହେବା ଆବଶ୍ୟକ। ମୁଖ୍ୟ ଅତିଥି ଜଷ୍ଟିସ ବୀରକିଶୋର ମିଶ୍ର ସାରଳା ଭବନଠାରେ ଶନିବାର ସନ୍ଧ୍ୟାରେ ବିଶ୍ୱନାଥ ପଶାୟତଙ୍କ ସ୍ମୃତିରେ ଅନୁଷ୍ଠିତ ସାରସ୍ୱତ ସମାରୋହକୁ ଉଦ୍‍ଘାଟନ କରି ଏହି ମତବ୍ୟକ୍ତ କରିଥିଲେ।
ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. (ଇଂ) ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟବକ୍ତା ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେର କହିଲେ, ବିଶ୍ୱନାଥ ପଶାୟତ ଥିଲେ ଜଣେ ପରୋପକାରୀ ମଣିଷ ଓ ଉତ୍ସର୍ଗୀକୃତ ସଂଗ୍ରାମୀ। ଓଡ଼ିଆ ସାହିତ୍ୟକୁ ତାଙ୍କର ଦାନ ଉଲ୍ଲେଖନୀୟ। ସେ ବହୁ ଅର୍ଥନୈତିକ, ସାମାଜିକ ପ୍ରବନ୍ଧ, ଶିଶୁ ସାହିତ୍ୟ, କବିତା ଓ ଜୀବନୀ ରଚନା କରିଛନ୍ତି। ସମ୍ମାନିତ ଅତିଥି ପ୍ରାକ୍ତନ ଆଡ୍‍ଭୋକେଟ୍‍ ଜେନେରାଲ ଜଗନ୍ନାଥ ପଟ୍ଟନାୟକ କହିଲେ, ବିଶ୍ୱନାଥ ପଶାୟତ ଦୁଃଖୀ, ଦରିଦ୍ର ମହକିଲଙ୍କ ପାଇଁ ମାଗଣାରେ ମୋକଦ୍ଦମା ଲଢ଼ୁଥିଲେ। ସମାଜସେବାକୁ ସେ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ। ସେ ‘ଆଧୁନିକ’ ପତ୍ରିକା ସମ୍ପାଦନା କରି ନିଜର ସମ୍ପାଦକୀୟ ଦକ୍ଷତା ପ୍ରତିପାଦନ କରିଥିଲେ। ସେ ଜଣେ ଉତ୍ସର୍ଗୀକୃତ ପ୍ରତିଭା ଥିଲେ। ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକ ଉଚ୍ଚକୋଟୀର ଥିଲା ବୋଲି ସେ କହିଥିଲେ। ବିଶିଷ୍ଟ ଅତିଥି ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଲେ, ବିଶ୍ୱନାଥଙ୍କ ଜୀବନାଦର୍ଶ ଓ ଲେଖକୀୟ ପ୍ରତିଭା ଥିଲା ଅନନ୍ୟ। ସେ ଦରିଦ୍ର, ଖଟିଖିଆଙ୍କ ଅଧିକାର ପାଇଁ ସର୍ବଦା ସଂଗ୍ରାମ କରୁଥିଲେ। ବରେଣ୍ୟ ଅତିଥି କବି ତଥା ପ୍ରଶାସକ ପ୍ରସନ୍ନ କୁମାର ଜେନା କହିଲେ, ସ୍ୱାଧୀନତା ସଂଗ୍ରାମରେ ବିଶ୍ୱନାଥ ବାବୁଙ୍କ ଭୂମିକା ଅତୁଳନୀୟ। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ସେ ସିଦ୍ଧିଲାଭ କରିଛନ୍ତି। ସଭାପତି ଡ. ସ୍ୱାଇଁ କହିଲେ, ବିଶ୍ୱନାଥ ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କ ରଚିତ ‘ରୁଷ ଭ୍ରମଣ’ ପୁସ୍ତକ ଓଡ଼ିଆ ଭ୍ରମଣ ସାହିତ୍ୟ କ୍ଷେତ୍ରରେ ଏକ ଅନବଦ୍ୟ ସୃଷ୍ଟି।
ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଡ. ମହେଶ୍ୱର ମହାନ୍ତିଙ୍କୁ ଚଳିତ ବର୍ଷର ‘ବିଶ୍ୱନାଥ ପଶାୟତ ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କାର ଅର୍ଥରାଶି, ତାମ୍ରପତ୍ର ଓ ଉପଢୌକନ ତାଙ୍କୁ ପ୍ରଦାନ କରାଯାଇଥିଲା।
ସଂସଦର ସମ୍ପାଦକ ପ୍ରଫେସର ଡା. ନିରଞ୍ଜନ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ନାଟ୍ୟକାର ସଂଜିତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ. ସଂଘମିତ୍ରା ଆଚାର୍ଯ୍ୟ ମାନପତ୍ର ପାଠ କରିଥିଲେ। ପ୍ରଫେସର ଡା. ନିମାଇଁ ଚରଣ ପରିଜା, ଡା. ନୀରଦ କୁମାର ଗଚ୍ଛାୟତ, ଡ. ସତ୍ୟ ରାୟ, ଡ. ପ୍ରତାପ କିଶୋର ମହାନ୍ତି, ଡା. ସୁଦର୍ଶନ ପଟ୍ଟନାୟକ, ଇଂ. ନୟନ କିଶୋର ମହାନ୍ତି, ଇଂ ସୁଶାନ୍ତ କୁମାର ସେଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷାବିତ୍‍ କୈଳାସ ଚନ୍ଦ୍ର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଭୁବନାନନ୍ଦ ମହାନ୍ତି, ରାବେୟା ସରୱାର, ମାନସ କୁମାର ସାହୁ, ବିଭୁପ୍ରସାଦ ରାଉତ, ବ୍ରଜକିଶୋର ବେଉରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବହୁ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Comments are closed.