ସଂଗ୍ରାମୀ ସ୍ମାରକ ପୁରୁଣା ଜେଲ୍ ୱାର୍ଡ ନଂ-୧୫ : ପୂର୍ଣ୍ଣ ଅବହେଳିତ ପୁଣ୍ୟାତ୍ମାମାନଙ୍କ କାରାକକ୍ଷ
କଟକ : ଆଜି ମାହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦; ଅଥଚ ସଂରକ୍ଷଣର ଘୋର ଅଭାବରୁ ଭାଙ୍ଗିରୁଜି ଆସୁଥିବା ଏକ ସ୍ୱର୍ଣ୍ଣିମ ଐତିହ୍ୟ ଏ ଜାତିକୁ ଉପହାସ କରୁଛି। ଏହା କଟକ ପୁରୁଣା ଜେଲ୍ର ପ୍ରସଙ୍ଗ, ଯାହା ସହିତ ଜାତିର ପିତା ମହତ୍ମା ଗାନ୍ଧୀ ପରୋକ୍ଷରେ ଜଡ଼ିତ। ଗାନ୍ଧିଜୀଙ୍କ ଆହ୍ୱାନରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ବିପ୍ଲବୀମାନଙ୍କୁ ଏହି ଜେଲ୍ର ୧୫, ୧୬, ୧୭ ନମ୍ବର ୱାର୍ଡ ଓ ମହିଳା ସେଲ୍ରେ ବନ୍ଦୀକରି ରଖାଯାଉଥିଲା। ପୁଣି ବାନରସେନାଙ୍କ ବିନିଦ୍ରରଜନୀ କଟୁଥିଲା ଏହି ଜେଲ୍ ବାରଣ୍ଡାରେ। ଉଭୟ ବ୍ରିଟିଶ ବିରୋଧୀ ଆସହଯୋଗ ଓ ଭାରତଛାଡ଼ ଆନ୍ଦୋଳନକୁ ଏହି ଜେଲ୍ ଅଙ୍ଗେ ନିଭାଇଛି। ଏହାକୁ ସଂଗ୍ରାମୀ ସ୍ମାରକର ମାନ୍ୟତା ୧୦ ବର୍ଷ ତଳୁ ଦିଆଯାଇଥିଲେ ମଧ୍ୟ ଏହାର କ୍ରମକ୍ଷୟିଷ୍ଣୁ କଳେବରରେ କୌଣସି ପରିବର୍ତ୍ତନ ଆସି ପାରିନାହିଁ। ରୋଗାକ୍ରାନ୍ତ ଭଳି ଏହା ମଳିନ, ଜୀର୍ଣ୍ଣଶୀର୍ଣ୍ଣ ରୂପରେ ମାଟିରେ ମିଶିବାକୁ ବସିଲାଣି।
ଐତିହ୍ୟ ସ୍ମୃତି ବହନ କରୁଥିବା ଏହି କାରାଗାର ୧୮୮୧ରେ ନିର୍ମିତ। ଏଠି ୭୦ରେ ୩୪ ଫୁଟ୍ର କାରାକକ୍ଷରେ୧୦୦ ବନ୍ଦୀଙ୍କ ରହଣି ବ୍ୟବସ୍ଥା ରହିଥିଲା। ଏହା ୧୯୧୨ ବେଳକୁ ଜିଲା ଜେଲ୍ ଏବଂ ୧୯୩୬ ବେଳକୁ କେନ୍ଦ୍ରୀୟ କାରାଗାର ଏବଂ ୧୯୮୪ରୁ ୧୯୮୮ ମଧ୍ୟରେ ଏହାର ଚୌଦ୍ୱାରକୁ ସ୍ଥାନାନ୍ତର। ପରେପରେ ଏହାକୁ ଭାଙ୍ଗି ଦିଆଗଲା। ଦୁର୍ଭାଗ୍ୟର ବିଷୟ; ଯେଉଁ ମହିଳା ସେଲ୍ରେ ଅତୀତର ସ୍ୱାଧୀନତା ସଂଗ୍ରାମ କାଳରେ ମାଳତୀ ଚୌଧୁରୀ, ରମା ଦେବୀ, ଅନ୍ନପୂର୍ଣ୍ଣା ମହାରଣାଙ୍କ ଭଳି ବିପ୍ଳବିନୀମାନେ ବନ୍ଦୀ ହୋଇଥିଲେ, ତାହାକୁ ସିଡିଏ ଭାଙ୍ଗି ମାଟିରେ ମିଶାଇ ଦେଲା। ତେବେ ଜନସ୍ୱାର୍ଥ ମାମଲା ଯୋଗୁଁ ଅତୁଟ ରହିଲା ୧୫ ନମ୍ବର ସେଲ୍; ଯେଉଁଠି ୧୫, ୧୬ ଓ ୧୭ ନମ୍ବର ୱାର୍ଡ ସଂଯୁକ୍ତ ଭାବେ ରହିଥିଲା। ଏହି ସେଲ୍ ଏବେ ସଂଗ୍ରମୀ ସ୍ମାରକ, ଯାହାର ସଂରକ୍ଷଣ ବା ରକ୍ଷଣାବେକ୍ଷଣକୁ ନେଇ ସରକାରୀକଳର ଉଦାସୀନତା ଅସହ୍ୟ। ପ୍ରାୟ ୭୫/୭୭ ବର୍ଷ ତଳକୁ ଫେରିଗଲେ ଏହି ସଂଗ୍ରାମୀ ବନ୍ଦୀକକ୍ଷ ଯେ, କୌଣସି ପୁଣ୍ୟ ତୀର୍ଥରୁ ଊଣା ନୁହେଁ ତାହା ସ୍ପଷ୍ଟ ହୋଇଥାଏ। ଯଦି ସ୍ୱାଧୀନତା ସଂଗ୍ରାମୀ କବି ବାଞ୍ଛାନିଧି ଦାସଙ୍କ ରଚନାକୁ ଅବଲୋକନ କରାଯାଏ, ତେବେ ୧୯୪୩ ମସିହାର ଏହି କାରାକକ୍ଷର ଏକ ଚିତ୍ର ସାମ୍ନାକୁ ଆସିଥାଏ। ବାଞ୍ଛାନିଧି ବାବୁଙ୍କୁ ସେତେବେଳେ ୧୭ ବର୍ଷ ବୟସ ଓ ସେ ଗାନ୍ଧୀଙ୍କ ଡାକରାରେ ବାନରସେନାରେ ଯୋଗ ଦେଇ ବ୍ରହ୍ମପୁର ଜେଲ୍ରେ ବନ୍ଦୀ ଥିବା ସମୟରେ ୧୯୪୩ ମାର୍ଚ୍ଚ ୨୮ ତାରିଖରେ ବିପ୍ଳବୀ ଲକ୍ଷ୍ମଣ ନାୟକଙ୍କୁ ସେହି ଜେଲ୍ ପରିସରରେ ଫାଶୀ ଦିଆଗଲା ଏବଂ ଏହି କଥାକୁ ଗୋପନ ରଖାଯାଇଥିଲା। ତେବେ ଏହାର ଦୁଇଦିନ ପରେ ବାଞ୍ଚାନିଧିବାବୁଙ୍କୁ କୋର୍ଟରେ ହାଜର ପାଇଁ କଟକ ଜେଲ୍କୁ ଅଣାଗଲା ଏବଂ ରେଳଷ୍ଟେସନ୍ରୁ ଏକ ହାତଟଣା ରିକ୍ସାରେ ‘ଭାଇ ତୋର ମନେ ନାହିଁକି, ତୋତେ ଦକ୍ଷିଣା ପବନ କହି ନାହିଁ କି; ତୋ ଭାଇ ଲକ୍ଷ୍ମଣ ଫାଶୀରେ ଝୁଲିଲା, ତୋର ଭାଗ୍ୟଦେବୀ ପଥ ଚାହିଁ କି’ ସ୍ୱରଚିତ କବିତା ଗାଇଗାଇ ଲକ୍ଷ୍ମଣ ନାୟକଙ୍କ ଫାଶୀ ଖବର ଶୁଣାଇଶୁଣାଇ ରାଣୀହାଟ, ମଙ୍ଗଳାବାଗ, ଥୋରିଆସାହି, ବଙ୍ଗାଳୀସାହି, ରାମକୃଷ୍ଣ କୁଟୀର, ଚୌଧୁରୀବଜାର ଦେଇ ଆସି କଟକଜେଲ୍ରେ ପହଞ୍ଚିଥିଲେ। ସେତେବେଳେ ୧୫, ୧୬ ଓ ୧୭ ନମ୍ବର ୱାର୍ଡ ଗୋଟିଏ ସେଲ୍ରେ ଥାଏ ଏବଂ ତିନିଟି ଯାକ ୱାର୍ଡ ମଧ୍ୟରେ ସଂଯୁକ୍ତ ପଥ ରହିଥାଏ। ବାଞ୍ଛାନିଧି ବାବୁଙ୍କୁ ୧୬ ନମ୍ବର ୱାର୍ଡରେ ରଖାଗଲା ଏବଂ ତାଙ୍କ ପାଖରେ ଥାଆନ୍ତି ପ୍ରାଣକୃଷ୍ଣ ମିଶ୍ର। ପୁଣି ଆଖପାଖ ୱାର୍ଡରେ ସଚ୍ଚିଦାନନ୍ଦ ମିଶ୍ର, ଅଧ୍ୟାପକ ଚିତ୍ତରଂଜନ ମିଶ୍ର, ବାଙ୍କବିହାରୀ ଦାସ, ଶିଳ୍ପୀ ଜଗନ୍ନାଥ ପ୍ରସାଦ ଦାସ ପ୍ରମୁଖ ଥିଲେ। ସେଲ୍ରେ ଲୋକନାଥ ମିଶ୍ର(ପରବର୍ତ୍ତୀକାଳରେ ଉପବାଚସ୍ପତି) ଓ ଭୈରବଚରଣ ମହାନ୍ତି(ବାରବାଟୀ ଷ୍ଟାଡିୟମ୍ ପ୍ରତିଷ୍ଠାତା) ରହୁଥିଲେ। ସତର ନମ୍ବର ୱାର୍ଡରେ ଗୌରବାବୁ, ରମାନାଥ ବାବୁ, ପ୍ୟାରୀ ବାବୁ ପ୍ରମୁଖ ଥିଲେ ବୋଲି ସେ ଉଲ୍ଲେଖ କରି ଯାଇଛନ୍ତି। ସେ ସମୟର ଯୁବବିପ୍ଳବୀ ସୁରେନ୍ଦ୍ରନାଥ ଦ୍ୱିବେଦୀ ଗିରଫ କରାଯାଇ ସେହି ୧୭ ନମ୍ବର ୱାର୍ଡରେ ରଖାଗଲା ଓ ତାଙ୍କପାଇଁ ସ୍ୱତନ୍ତ୍ର ଜଗୁଆଳ ବ୍ୟବସ୍ଥା ଥିଲା। ପରସ୍ପର ମଧ୍ୟରେ ଯୋଗାଯୋଗ ନ ରଖିବା ପାଇଁ ସରକାର ବ୍ୟବସ୍ଥା କଡାକଡି କଲେ ଏବଂ ତାହାର ପ୍ରତିବାଦରେ ସେହି କାରାକକ୍ଷରେ ଏହି ବିପ୍ଳବୀମାନେ ସତ୍ୟାଗ୍ରହ କଲେ। ନିଆଁହୁଳା ଧରି ୱାର୍ଡରମାନେ ଓ ଜେଲର ଆସନ୍ତି ଓ ବିପ୍ଳବୀମାନଙ୍କୁ ଲାଠିମାଡ଼ ହୁଏ। ଜେଲ୍ ସାମ୍ନା ସ୍ଥାନୀୟ ବାସିନ୍ଦା ଛାତ ଉପରୁ ଥାଇ ଏ ଅତ୍ୟାଚାର ଦେଖନ୍ତି। ସଚ୍ଚିଦାନନ୍ଦ ମିଶ୍ରଙ୍କ ଉପରେ ସହକାରୀ ଜେଲର ବୁଟ୍ଜୋତା ମାଡି ଚକଟି ଦେବା ଫଳରେ ତାଙ୍କ ଅଣ୍ଟା ଜଖମ ହୋଇଯ।।ଇଥିଲା। ….ଏହା କେବଳ ଭାରତଛାଡ ଆନ୍ଦୋଳନ ସମୟର ଏକ ଛୋଟ ଅଧ୍ୟାୟ ଯାହାର କରୁଣ ତଥା ତ୍ୟାଗର ସ୍ମୃତି ଏ ଜେଲ୍ ବହନ କରିଛି; ଏ ଜାତିର ପୁଣ୍ୟାତ୍ମାମାନଙ୍କ ଏଭଳି ଅସଂଖ୍ୟ ତ୍ୟାଗର କଥା ଏ ଜେଲ୍ର ଚାରିକାନ୍ଥ ଭିତରେ ଆଜି ବି ଗୁଞ୍ଜରିତ ହୁଏ। ..ଏହା ସତ୍ତ୍ବେ ଏହି ପୁଣ୍ୟ ଐତିହ୍ୟକୁ ଯଦି ଅବହେଳା କରାଯାଏ, ତେବେ ଏହାଠାରୁ ଲଜ୍ଜା କ’ଣ ଥାଇପାରେ, ଏଥିପାଇଁ ଉତ୍ତରଦାୟୀ କିଏ ?
Comments are closed.