ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା, ଯାତ୍ରୀ ସୁରକ୍ଷିତ ସୂଚନା
ମହାକାଳପଡ଼ା: ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା। ଡଙ୍ଗାରେ ୧୫୦ଜଣ ଯାତ୍ରୀ ଥିବାବେଳେ ଡଙ୍ଗାଟିକୁ ପ୍ରାୟ ୪/୫ କିଲୋମିଟର ପର୍ଯ୍ୟନ୍ତ ଭସାଇ ନେଇଥିବା ସୂଚନା ମିଳିଛି। ଡଙ୍ଗାଟି ବୁଡ଼ି ନ ଥିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ୧୫୦ ଯାତ୍ରୀଙ୍କୁ ନେଇ ଏକ ଯନ୍ତ୍ରଚାଳିତ ଡଙ୍ଗା ମହାକାଳପଡ଼ାର ବରଜ ବାହାକୁଦ ଫେରିଘାଟକୁ ପାରାଦୀପରୁ ଯିବା ଆସିବା କରିଥାଏ। ଫେରିଘାଟ ଯାତ୍ରୀ କିଛି ଯାତ୍ରୀ ଓହ୍ଲାଇବା ଓ ଚଢ଼ିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଭାସି ଯାଇଥିଲା। ମହାନଦୀରେ ପ୍ରଖର ବନ୍ୟା ଚାଲିଥିବାରୁ ଡଙ୍ଗାଟି ବହୁ ଦୂରକୁ ଭାସିଯାଇଛି। ଏହି ଡଙ୍ଗାଟି ବର୍ତ୍ତମାନ ବତୀଘର ନିପାଣିଆ ଅଞ୍ଚଳ ଦେଇ ଭାସି ଯାଇଛି। ସେହି ଡଙ୍ଗାକୁ ଉଦ୍ଧାର କରିବାକୁ ଯାଇଥିବା ଅନ୍ୟ ଏକ ଡଙ୍ଗାର ମଧ୍ୟ କୌଣସି ପତ୍ତା ମିଳୁନାହିଁ। ଏହି ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ଉଦ୍ଧାର ସହ ଡଙ୍ଗାକୁ ଠାବ କରିବା ପାଇଁ ପଦକ୍ଷେପ ନିଆଯାଇଛି। ମେରାଇନ ଥାନା ପକ୍ଷରୁ ପାୱାର ବୋଟ ସାହାଯ୍ୟରେ ସମ୍ପୃକ୍ତ ଡଙ୍ଗାକୁ ଠାବ ସହ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଡଙ୍ଗାଟି ବୁଡ଼ି ନ ଥିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।
Comments are closed.