ପରିଚୟ ହରାଇଥିବା ଓଡିଆମାନଙ୍କ ଭୌଗଳିକ ସ୍ଥିତି ଫେରାଇ ଆଣିବାରେ ମଧୁବାବୁଙ୍କ ପ୍ରୟାସ ପ୍ରଶଂସନୀୟ

ଓଡିଆ ଅସ୍ମିତା ସମ୍ମିଳନୀ ଆନୁକୂଲ୍ୟରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ମଧୁବାର୍ତ୍ତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଐତିହାସିକ ଉତ୍କଳ ସମ୍ମିଳନୀର ୧୨୦ତମ ବର୍ଷପୂର୍ତ୍ତି ଅବସରରେ ଆୟୋଜିତ ହେଉଥିବା ଓଡିଆ ଅସ୍ମିତା ସମ୍ମିଳନୀ ଆନୁକୂଲ୍ୟରେ ଦିଲ୍ଲୀ ଓଡିଆ ଛାତ୍ର ସଂଗଠନ ଦ୍ବାରା ଦିଲ୍ଲୀ ବିଶ୍ବବିଦ୍ୟାଳୟ ପରିସରରେ ମଧୁବାର୍ତ୍ତା ଶୀର୍ଷକ ଆଲୋଚନାଚକ୍ର, ପ୍ରବନ୍ଧ ପ୍ରତିଯୋଗିତା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡିଆ ଅସ୍ମିତା ସମ୍ମିଳନୀର ଆବାହକ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଲେଖକ  ସତ୍ୟନାରାୟଣ ସାହୁ, ସମ୍ମାନିତ ଅତିଥି ଭାବରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡିନ ଅଫ କଲେଜେସ ଡଃ ବଳରାମ ପାଣି ଓ ପ୍ରଫେସର ସୁବାସିନୀ ବାରିକ ଯୋଗଦେଇ ମଧୁ ବାବୁଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଅଲୋଚନା କରିଥିଲେ। ପରିଚୟ ହରାଇଥିବା ଓଡିଆମାନଙ୍କ ଭୌଗଳିକ ସ୍ଥିତି ଫେରାଇ ଆଣିବା ପାଇଁ ପ୍ରଥମେ ଓଡିଆମାନଙ୍କୁ ଏକାଠି ହେବାପାଇଁ ଯେଉଁ ଆହ୍ବାନ ଦେଇ ମଧୁବାବୁ ସଫଳ ହୋଇଥିଲେ ବର୍ତ୍ତମାନ ପରିପ୍ରେକ୍ଷିରେ ତାହାର ଗୁରୁତ୍ବ ବଳବତ୍ତର ରହିଛି ବୋଲି ଜଷ୍ଟିସ ପଟ୍ଟନାୟକ କହିଥିଲେ ଓ ଅସ୍ମିତା ସମ୍ମିଳନୀର ପରିକଳ୍ପନା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ରଖିଥିଲେ।

prayash

ଯୁବକମାନଙ୍କ ମଧ୍ୟରେ ମଧୁବାବୁଙ୍କ ଜୀବନ ଦର୍ଶନ ଓ ଦୂରଦୃଷ୍ଟି ପ୍ରତି ଆକର୍ଷଣ ବଢୁଥିବାରୁ ଏହା ସମ୍ପୂର୍ଣ ଓଡିଆ ଜାତି ପ୍ରତି ଏକ ଶୁଭ ସୂଚନା ବୋଲି ଶ୍ରୀ ସାହୁ ଅଭିହିତ କରିବା ସହିତ ମଧୁବାବୁଙ୍କ ଚିନ୍ତା ଓ କାର୍ଯ୍ୟ କିପରି ସର୍ବକାଳୀନ ଗୁରୁତ୍ବ ବହନ କରୁଛି ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ। ଏଥି ସହିତ ଦିଲ୍ଲୀ ଓଡିଆ ଛାତ୍ର ସଂଗଠନର ସଭାପତି ଶକ୍ତି ସାଫଲ୍ୟ ଦାସ ସ୍ବାଗତ ସମ୍ଭାଷଣ ରଖିଥିବା ବେଳେ ସଂଗଠନର କୋଷାଧକ୍ଷା ନମ୍ରତା ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ୍ବ ଓଡିଆ ଛାତ୍ରଛତ୍ରୀ ଓ ଅନେକ ପ୍ରଧ୍ୟାପକ ପ୍ରାଧ୍ୟାପିକା ଅଂଶ ଗ୍ରହଣ କରିବା ସହିତ ସଂଗଠନର ଏହି ପ୍ରୟାସ ଦ୍ବାରା ଓଡିଆ ଅସ୍ମିତା ପ୍ରତି ଯୁବପିଢିଙ୍କ ମଧ୍ୟରେ ପ୍ରତିବଦ୍ଧତା ବୃଦ୍ଧି ପାଇବ ବୋଲି ମତ ପ୍ରଦାନ କରିଥିଲେ| ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଦିଲ୍ଲୀ ଓଡିଆ ଛାତ୍ର ସଂଗଠନର ସଦସ୍ୟମାନେ ପ୍ରଚାଳନ କରିଥିଲେ।

Comments are closed.