ପ୍ୟାରିସ୍: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଁଙ୍କୁ ଜନୈକ ବ୍ୟକ୍ତି ହାତ ମିଳାଇବା ବାହାନାରେ ତାଙ୍କୁ ଚାପୁଡ଼ା ମାରିଛି। ରାଷ୍ଟ୍ରପତିଙ୍କ ଦକ୍ଷିଣ ଫ୍ରାନ୍ସର ଡ୍ରୋମ ଗସ୍ତକାଳରେ ଏହି ଘଟଣା ଘଟିଛି। ହୋଟେଲ ବାହାରେ ଅପେକ୍ଷା କରିଥିବା ଲୋକଙ୍କୁ ରାଷ୍ଟ୍ରପତି ଭେଟିବାକୁ ଯିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ଅପ୍ରତ୍ୟାଶିତ ଭାବେ ତାଙ୍କ ଗାଲକୁ ଚାପୁଡ଼ା ମାରିଛି। ମାରିଲାବେଳେ ସେ ‘ଡାଉନ୍ ୱିଥ ମେକ୍ରୋନିଆ’ ବୋଲି ଜୋରରେ ଚିତ୍କାର କରୁଥିବା ଶୁଣାଯାଉଛି। ସୁରକ୍ଷା କର୍ମୀ ତୁରନ୍ତ ରାଷ୍ଟ୍ରପତିଙ୍କୁ ସେଠାରୁ ନେଇଯିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି।
https://youtu.be/6jk334KphJE
ସେମାନେ କିଏ ଓ କାହିଁକି ଏପରି ଆଚରଣ କଲେ ତାହା ସ୍ପଷ୍ଟ ହୋଇ ନାହିଁ। ରାଷ୍ଟ୍ରପତି ଡ୍ରୋମ ସହରରେ ପହଞ୍ଚି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସାରି ରାଷ୍ଟ୍ରପତି ବାହାରକୁ ଆସିବାବେଳେ ଭିଡ ମଧ୍ୟରେ ଜନୈକ ବ୍ୟକ୍ତିର ଆଚରଣ ତାଙ୍କୁ କେବଳ ନୁହେଁ; ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଛି। ଏହି ମାଡ଼ର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି।



