ଲୋଭୀ ପୀଠରେ ୩ ହଜାରରୁ ଅଧିକ ଶିଶୁଙ୍କ ମୁଣ୍ଡନ
ତିଗିରିଆ : ତିଗିରିଆ ବ୍ଲକ ବିନ୍ଧାଣିମା ଗ୍ରାମ ଲୋଭୀ ଠାକୁରାଣୀଙ୍କ ମୁଣ୍ଡନ ଯାତ୍ରା ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ସୋମବାର ଅନୁଷ୍ଠିତ ହୋଇଯାଇଛି। ପୀଠରେ ଆଜି ୩୫ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ କଟକ ଜିଲ୍ଲା ସମେତ ଅନ୍ୟାନ୍ୟ ପଡ଼ୋଶୀ ଅଞ୍ଚଳରୁ ଆସିଥିବା ପ୍ରାୟ ୩ ହଜାରରୁ ଅଧିକ ଶିଶୁଙ୍କର ମୁଣ୍ଡନ କରାଯାଇଥିବା ମନ୍ଦିର ପରିଚାଳନା କମିଟି ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।
ଶନିବାର ବିଳମ୍ବିତ ରାତିରେ ଗ୍ରାମର ଜନୈକ ବଣିଆ ସମ୍ପଦ୍ରାୟଙ୍କ ଘରୁ ଠାକୁରାଣୀଙ୍କ ପ୍ରତିମା ଏକ ଶୋଭାଯାତ୍ରାରେ ଆସି ଗ୍ରାମ ହାଟପଡ଼ିଆସ୍ଥିତ ମନ୍ଦିରରେ ବିଜେ ହୋଇଥିଲେ। ରବିବାର ଦର୍ଶନ ଦେବା ସହିତ ସୋମବାର ମୁଣ୍ଡନ ପର୍ବରେ ଭୋର ୫ଟା ରେ ସାହାଣ ମେଲା ହୋଇଥିଲା। ପରେ ହଜାର ହଜାର ଅପେକ୍ଷାରତ ଶ୍ରଦ୍ଧାଳୁ ଦେବୀଙ୍କ ଦର୍ଶନ କରିଥିଲେ। ଏଠାରେ ବର୍ଷସାରା ଦେବୀଙ୍କ ଦର୍ଶନ ସାଧାରଣଙ୍କ ପାଇଁ ବନ୍ଦ ରହୁଥିବା ବେଳେ କେବଳ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବୀଙ୍କ ଦର୍ଶନ ଲାଗି ମନ୍ଦିର ଦ୍ୱାର ଉନ୍ମକ୍ତ ହୋଇଥାଏ। ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ଯୋଗୁଁ ଗୋଟିଏ ଦିନ ପୂର୍ବରୁ ଏହି ମୁଣ୍ଡନ ପର୍ବକୁ ଆଗୁଆ ପାଳନ କରାଯାଇଛି। ଆଜି ସକାଳୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଟକ ଜିଲ୍ଲା ସମେତ ଅନ୍ୟାନ୍ୟ ପଡ଼ୋଶୀ ଜିଲ୍ଲା ଯଥା ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଆଦି ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ପୀଠ ପରିସରରେ ସେମାନଙ୍କ ନବଜାତ ଶିଶୁଙ୍କର ପ୍ରଥମ ମୁଣ୍ଡନ କରାଇଥିଲେ। ଏଥିସହିତ ଦେବୀଙ୍କ ଦର୍ଶନ ଲାଭ କରିବା ସହ ଶିଶୁଙ୍କ ମଙ୍ଗଳ କାମନା କରିଥିଲେ । ତିଗିରିଆ ସମେତ ଆଖପାଖ ନରସିଂହପୁର,ବଡ଼ମ୍ବା, ଆଠଗଡ଼, ବାଙ୍କୀ ଉତ୍ତର କୁଳାଟ ଆଦି ଅଞ୍ଚଳରେ ଜନ୍ମିତ ନବଜାତ ଶିଶୁମାନେ ଏହି ପୀଠରେ ନିଶ୍ଚିତ ଭାବରେ ମୁଣ୍ଡନ କରିଆସୁଥିବାର ଏକ ପରମ୍ପରା ଦେଖିବାକୁ ମିଳେ। ଅଞ୍ଚଳରେ ଶିଶୁଟିଏ ଜନ୍ମର ପ୍ରଥମ ମୁଣ୍ଡନ ଏହିଠାରେ ହିଁ ହୋଇଥାଏ। ଚଳିତ ବର୍ଷ ଗ୍ରହଣ ଜନିତ ବ୍ୟତିକ୍ରମ କାରଣରୁ କାତ୍ତିକ ମାସର ପ୍ରତି ସୋମବାର ବହୁ ସଂଖ୍ୟାରେ ପିତାମାତା ସେମାନଙ୍କ ଶିଶୁଙ୍କ ମୁଣ୍ଡନ କରିଥିଲେ। ମାସ ସାରା ପୀଠ ପରିସରରେ ଶିଶୁ ଓ ପିତାମାତାଙ୍କ ସମାଗମ ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ କାର୍ତ୍ତିକ ମାସରେ ପ୍ରାୟ ୮ହଜାରରୁ ଅଧିକ ଶିଶୁଙ୍କ ମୁଣ୍ଡନ ହୋଇଥିବା ଆକଳନ କରାଯାଇଛି।
ଆଜିର ଏହି ମୁଣ୍ଡନ ପର୍ବରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ବିଶିଙ୍କ ତତ୍ତ୍ୱାବଧାନରେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା, ସବ୍ଇନ୍ସିପେକ୍ଟର ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ ତିଗିରିଆ ଥାନା ପୁଲିସ ଓ ଅତିରିକ୍ତ ୧ ପ୍ଲାଟୁନ ଫୋର୍ସ ଠାକୁରାଣୀଙ୍କ ପୀଠ ଓ ରାଜପଥରେ ନିୟୋଜିତ ରହି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା କରିଥିଲେ । ଯାତ୍ରା ପରିଚାଳନା କରୁଥିବା ଗ୍ରାମର କାର୍ତ୍ତିକେଶ୍ୱର ପୂଜା ମହାସଂଘର ସଭାପତି ବିଭୂତି ଭୂଷଣ ବେହେରା, ଉପସଭାପତି ମନୋଜ ସାହୁ, ସମ୍ପାଦକ ଅଭିମନ୍ୟୁ ଜେନା, କୋଷାଧ୍ୟକ୍ଷ ମିଟୁ ରାଉତ, ମନ୍ଦିର ପରିଚାଳନା ସଭାପତି କବିଚନ୍ଦ୍ର କଅଁର ମୁନ୍ମୟ ଦାଶ, ସରପଞ୍ଚଙ୍କ ପ୍ରତିନିଧି ମାନସ କୁମାର ଜେନା ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ପୀଠ ପରିସରରେ ଉପସ୍ଥିତ ରହି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନାକୁ ପରିଚାଳନା କରୁଥିବା ବେଳେ ମହାସଂଘ ପକ୍ଷରୁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ଶୃଙ୍ଖଳା ରକ୍ଷାରେ ସହଯୋଗ କରିଥିଲେ ।
Comments are closed.