ଥାନାରେ ପ୍ରେମୀଯୁଗଳଙ୍କ ବିବାହ କରାଇଲେ ପୁଲିସ

0

ମୁଜାଫରନଗର : ପୁଲିସ ଅନେକ ସମୟରେ ପ୍ରେମୀ ଯୁଗଳ ଓ ସେମାନଙ୍କ କାର୍ଯ୍ୟକଳାପକୁ ବିରୋଧ କରିଥାଏ। ହେଲେ ସେହି ପୁଲିସ ପ୍ରେମୀ ଯୁଗଳଙ୍କୁ ଏକାଠି କରାଇବା ଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୁଜାଫରନଗର ଥାନା ଅଧିକାରୀ ବିନ୍ଧ୍ୟାଞ୍ଚଳ ତିୱାରୀ ଏକ ପ୍ରେମୀଯୁଗଳଙ୍କ ବାହାଘର କରାଇବା ସହ ନିଜେ କନ୍ୟାଦାନ କରିଛନ୍ତି। ତତ୍‍ସହିତ ନବବିବାହିତଙ୍କୁ ଉପହାର ସ୍ୱରୂପ ୧୧୦୦ ଟଙ୍କା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ସହାରଣପୁର ଥାନା ଅନ୍ତର୍ଗତ ସବ୍‍ନମ୍‍ ଓ ମୁଜାଫର ନଗର ସ୍ଥିତ ଚର୍‍ଥାୱଲ୍‍ ଥାନା ଅନ୍ତର୍ଗତ ନଦିମ୍‍ଙ୍କ ମଧ୍ୟରେ ୫ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ଓ ଏ ନେଇ ଉଭୟ ଘରଲୋକଙ୍କର ସହମତି ମଧ୍ୟ ରହିଥିଲା। ହେଲେ ପରେ ଝିଅ ଘରଲୋକ ବିବାହ ପାଇଁ ମନା କରି ଦେଇଥିଲେ। ସେମାନେ ସବ୍‍ନମ୍‍ଙ୍କ ବିବାହ ଅନ୍ୟ ସ୍ଥାନରେ କରାଇବାକୁ ଯାଉଥିଲେ, ତେଣୁ ସବ୍‍ନମ୍‍ ରାଗିଯାଇ ଘର ଛାଡ଼ି ତାଙ୍କ ପ୍ରେମିକ ନଦିମ୍‍ଙ୍କ ପାଖକୁ ପଳାଇଥିଲେ। ଦୁହେଁ ପୌରସଂସ୍ଥାର ଅଧ୍ୟକ୍ଷ ସତ୍ୟେନ୍ଦ୍ର ତ୍ୟାଗୀଙ୍କ ସହଯୋଗରେ ଥାନାରେ ପହଞ୍ଚି ସମ୍ପୂର୍ଣ୍ଣ ଘଟଣା ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଥାନା ଅଧିକାରୀ ବିନ୍ଧ୍ୟାଞ୍ଚଳ ତିୱାରୀ ପ୍ରେମୀଯୁଗଳଙ୍କ ସମ୍ପୂର୍ଣ୍ଣ କଥା ଶୁଣିଥିଲେ ଓ ଥାନାରେ ହିଁ ଦୁହିଁଙ୍କ ବିବାହ କରାଇଥିଲେ। ଏହା ସହ କନ୍ୟାଦାନ କରି ନବଦମ୍ପତ୍ତିଙ୍କୁ ମଧ୍ୟ ଉପହାର ଦେଇଥିଲେ।

Leave A Reply