୨୮ରେ କଂଗ୍ରେସରେ ମିଶିବେ ଶତ୍ରୁଘ୍ନ ସିହ୍ନା

0

ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ନେତା ତଥା ପାଟନା ସାହିବ ଲୋକସଭା ସାଂସଦ ଶତ୍ରୁଘ୍ନ ସିହ୍ନା ମାର୍ଚ୍ଚ ୨୮ରେ କଂଗ୍ରେସରେ ଯୋଗଦେବେ। ବହୁ ଦିନ ପୂର୍ବରୁ ସେ କଂଗ୍ରେସରେ ଯୋଗଦେବେ ବୋଲି ଆଲୋଚନା ହେଉଥିଲା। ଏବେ ଏଥିରେ ମୋହର ଲାଗିଛି। ବିହାର କଂଗ୍ରେସ ଅଭିଯାନ କମିଟି ଅଧ୍ୟକ୍ଷ ଏବଂ ରାଜ୍ୟସଭା ସାଂସଦ ଅଖିଳେଶ ପ୍ରସାଦ ସିଂହ ସୋମବାର ପାଟନାଠାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ସିହ୍ନା ଚଳିତ ସପ୍ତାହରେ କଂଗ୍ରେସରେ ଯୋଗଦେବେ ବୋଲି ପ୍ରକାଶ କରିଥିଲେ। ସିହ୍ନା ବିଜେପିରେ ରହି ମଧ୍ୟ ବାରାମ୍ବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଆସୁଥିଲେ। ଫଳରେ ଦଳ ଲୋକସଭା ନିର୍ବାଚନ ପାଇଁ ଆଉ ଶତ୍ରୁଘ୍ନ ସିହ୍ନାଙ୍କୁ ଟିକେଟ ଦେଇନଥିଲା। ସିହ୍ନାଙ୍କ ସ୍ଥାନରେ ଦଳ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାଟନା ସାହିବରୁ ଟିକେଟ ଦେଇଥିଲା। ରବିଶଙ୍କର ଏବଂ ଶତ୍ରୁଘ୍ନ ସିହ୍ନା ଉଭୟ କାୟସ୍ଥ ବର୍ଗର ହୋଇଥିବା ବେଳେ ପାଟନା ସାହିବ ଲୋକସଭା ଆସନରେ ବହୁ ଭୋଟର କାୟସ୍ଥ ବର୍ଗର। ରବିବାର ଶତ୍ରୁଘ୍ନ ସିହ୍ନା ଟ୍ୱିଟ୍‍ କରି ଖୁବଶୀଘ୍ର ସେ କଂଗ୍ରେସରେ ଯୋଗଦେବେ ବୋଲି ସ୍ପଷ୍ଟ କରିଥିଲେ। ଏବେ ସେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦେବେ।

Leave A Reply