ଜାତୀୟ ରାଜପଥରେ କଳା ପଲସର ଆତଙ୍କ:ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍‍

0

ପିପିଲି: ଦୀର୍ଘଦିନର ବ୍ୟବଧାନ ପରେ ପିପିଲି ଅଞ୍ଚଳରେ ପୁଣି କଳା ପଲସର ଆତଙ୍କ ଦେଖାଦେଇଛି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜଇସପାଟଣା ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ସ୍ପଷ୍ଟ ଦିବାଲୋକରେ ଏକ ସୁନାଚେନ୍‍ ଲୁଟିନେଇ କଳା ପଲ୍ସରରେ ଦୁର୍ବୁତ୍ତ ଫେରାର୍‍ ହେବାରେ ସକ୍ଷମ ହୋଇଛି । ଏନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।
ସୂଚନା ଅନୁଯାଇ, ଭୁବନେଶ୍ୱର ବରଗଡ ବ୍ରିଟ୍‍ କଲୋନୀରେ ରହୁଥିବା ବାସୁଦେବ ମହାପାତ୍ର ସୋମବାର ମଧ୍ୟାହ୍ନ ୧୨ଟା ୪୫ ମିନିଟ୍‍ ସମୟରେ ନିଜର ପତ୍ନୀ ଶାଶ୍ୱତୀ ମହାପାତ୍ର ଓ ପୁଅକୁ ସ୍କୁଟିରେ ବସାଇ ମଙ୍ଗଳପୁର ଅଭିମୁଖେ ଆସୁଥିବା ବେଳେ ଏହି ଲୁଟ୍‍ ହୋଇଥିଲା । ଦୁଇଜଣ ଯୁବକ କଳା ରଙ୍ଗର ନମ୍ବର ବିହିନ ପଲସର ବାଇକ୍‍ରେ ଆସି ଶାଶ୍ୱତୀଙ୍କ ବେକରୁ ଏକ ୨୩ଗ୍ରାମ ଓଜନର ସୁନାଚେନ୍‍ ଛଡାଇ ନେଇ ଫେରାର୍‍ ହୋଇଯାଇଥିଲେ । ଖବର ପାଇ ପିପିଲି ପୁଲିସ ଦୁଇ ଲୁଟେରାଙ୍କୁ ଧରିବା ପାଇଁ ତାଙ୍କ ପିଛା କରିଥିଲା । ସାତଶଙ୍ଖ ନିକଟରେ ଫାଣ୍ଡି ପୁଲିସକୁ ଚକମା ଦେଖାଇ ଲୁଟେରା ଦ୍ୱୟ ଫେରାର ହେବାରେ ସକ୍ଷମ ହୋଇଥିଲେ । ଏନେଇ ଶାଶ୍ୱତୀ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସରେ ଏନେଇ ଏକ ମାମଲା ରୁଜୁ କରିଛି । ଲୁଟେରାଙ୍କୁ ଧରିବା ପାଇଁ ଆଇଆଇସି ଶରତ କୁମାର ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍‍ ବିଭିନ୍ନ ସ୍ଥାନ ଉପରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି । ଏହି ଘଟଣାଟି ସାଧାରଣରେ ଆତଙ୍କ ସୃଷ୍ଟି କରିଛି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବିଶେଷ କରି ପିପିଲି ବାଇପାସ ରାସ୍ତାରେ ଗତ କିଛିମାସ ତଳେ ବାରମ୍ବାର ଏହିଭଳି ଲୁଟ୍‍ ହୋଇଥିଲା । ଯାହାକି ଉଭୟ ଅଞ୍ଚଳବାସୀ ଓ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ତେବେ ୩ଟି ଲୁଟେରା ଗୋଷ୍ଠିର ଏକାଧିକ ଅପରାଧିଙ୍କୁ ପୁଲିସ ଗିରଫ କରିବା ପରେ ଲୁଟ୍‍ ଘଟଣା କମିଯାଇଥିଲା । ସୋମବାର ଘଟଣା ପରେ ପୁଲିସର ପୁଣି ମୁଣ୍ଡ ବିନ୍ଧା ବଢିଯାଇଥିବା ସୂଚନା ମିଳିଛି ।

Leave A Reply