ଲୋକାର୍ପଣ ପୂର୍ବରୁ ରୂପାନ୍ତରିତ ସ୍କୁଲରୁ ଏଲ୍ଇଡି ଟିଭି ଚୋରି
ପିପିଲି : ପିପିଲି ବ୍ଲକ ଜ୍ଞାନବିହାର ସ୍ଥିତ କଣ୍ଟି ଗ୍ରାମ ପଞ୍ଚାୟତ ହାଇସ୍କୁଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ ଏଲ୍ଇଡି ଟିଭି ଚୋରି ହୋଇଯାଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ୫ଟି ଅଧୀନରେ ଏହି ବିଦ୍ୟାଳୟ ରୂପାନ୍ତରିତ ହୋଇଥିବା ବେଳେ ବୁଧବାର ଏହାର ଲୋକାର୍ପଣ ହେବା ପୂର୍ବରୁ ସ୍ମାର୍ଟ କ୍ଲାସରୁମ୍ରୁ ଏଲ୍ଇଡି ଟିଭି ଚୋରୀ ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁଯାଇ, ରାଜ୍ୟ ସରକାରଙ୍କ ୫ଟି ଅଧୀନରେ ଏହି ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ବୁଧବାର ଏହାର ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବିଦ୍ୟାଳୟର ଶିକ୍ଷକ ମାନେ ମଙ୍ଗଳବାର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରି ଘରକୁ ଫେରିଥିଲେ । ବୁଧବାର ସକାଳେ ସ୍କୁଲକୁ ଆସିବାରେ ଗୋଟିଏ ସ୍ମାର୍ଟ ଶ୍ରେଣୀଗୃହରୁ ବଡ ଏଲ୍ଇଡି ଟିଭି ଚୋରୀ ହୋଇଥିବା ଜଣାପଡିଥିଲା। ଚୋରି ହୋଇଥିବା ଏଲ୍ଇଡି ଟିଭିର ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏ ସଂପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି। ଏହି ଚୋରି ଘଟଣାରେ ସ୍ଥାନୀୟ ଅଞ୍ଚଳର କେତେକ ଅସାମାଜିକ ଯୁବକଙ୍କ ସଂପୃକ୍ତି ଥାଇପାରେ ବୋଲି ଲୋକେ ସନ୍ଦେହ କରୁଛନ୍ତି । ଉକ୍ତ ବିଦ୍ୟାଳୟରେ ରାତ୍ର ଜଗୁଆଳ ନଥିବା ସୂଚନା ମିଳିଛି । ରୂପାନ୍ତରିତ ବିଦ୍ୟାଳୟ ମାନଙ୍କରେ ବହୁ ମୂଲ୍ୟବାନ ସାମଗ୍ରୀ ରହୁଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।
Comments are closed.