ନୂତନ ଜିଲାପାଳଙ୍କ ଲକ୍ଷ୍ମୀପୁର ଗସ୍ତ

ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପରିଦର୍ଶନ

ଲକ୍ଷ୍ମୀପୁର: କୋରାପୁଟ ନୂତନ ଜିଲାପାଳ କୀର୍ତି ଭାସନ. ଭି ଲକ୍ଷ୍ମୀପୁର ବ୍ଲକ ଗସ୍ତ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ଧର୍ମାନୁଷ୍ଠାନ ପରିଦର୍ଶନ କରିଛନ୍ତି। ରବିବାର ପୂର୍ବାହ୍ଣରେ ପହଞ୍ଚିବା ପରେ ପ୍ରଥମେ ଜିଲାପାଳ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇଥିଲେ। ଏଠାରେ ୫-ଟି ଜରିଆରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟଗୁଡ଼ିକ ବୁଲି ଦେଖିବା ସହିତ ନିର୍ମାଣ କାର୍ଯ୍ୟ ୧୫ ଦିନ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଆଉ କ’ଣ କ’ଣ ଆବଶ୍ୟକତା ଅଛି ସେ ବିଷୟରେ ପଚାରିଥିଲେ। ଏଥିସହ ବିଭିନ୍ନ ପ୍ରକୋଷ୍ଠ ବୁଲି ଦେଖିବା ସହିତ କାର୍ଯ୍ୟକ୍ଷମ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ। ଏଠାରେ ବିପିଏମ ଶୁଭକାନ୍ତ ଗନ୍ତାୟତଙ୍କ ସହିତ ବ୍ଲକ ସହକାରୀ ଯନ୍ତ୍ରୀ ଗୋପାଳ ମିଞ୍ଜି, କନିଷ୍ଠ ଯନ୍ତ୍ରୀ ଶ୍ରାବଣୀ ପାଢ଼ୀଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଏହାପରେ ସ୍ଥାନୀୟ ସାଙ୍ଗାନା ଉଚ୍ଚବିଦ୍ୟାଳୟକୁ ଯାଇ ସେଠାରେ ଖଣି ପଣ୍ଠିରୁ ନିର୍ମାଣ କରାଯାଇଥିବା କୋଠରୀଗୁଡ଼ିକ ବୁଲି ଦେଖିଥିଲେ। ଏଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ବେହେରାଙ୍କ ସହିତ ଏବିଓ ବିଭୂତି ଭୂଣେ ଟାକ୍ରି, ଶିକ୍ଷକ ଏବଂ ସହକାରୀ ଯନ୍ତ୍ରୀ ଭାଗିରଥୀ ପାଢ଼ୀ ପ୍ରମ୍ମୁଖ ଉପସ୍ଥିତ ଥିଲେ। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଦର୍ଶନ କରି ପରିଚାଳନା ମଣ୍ଡଳି ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ମନ୍ଦିର ପକ୍ଷରୁ ତାଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସେହିପରି ବୁର୍ଜା ଆଶ୍ରମ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଫାଇଭ-ଟି ଅନୁଦାନରେ ନିର୍ମାଣାଧିନ ଶ୍ରେଣୀଗୃହ ବୁଲି ଦେଖିଥିଲେ।

ସେଠରୁ ସ୍ଥାନୀୟ ଚର୍ଚ୍ଚକୁ ଯାଇ ଖ୍ରୀଷ୍ଟ ଧର୍ମଗୁରୁଙ୍କ ସହିତ ଆଲୋଚନା କରି ଭଲମନ୍ଦ ପଚାରି ୫-ଟି ଦ୍ୱାରା ନିର୍ମାଣ କମ୍ୟୁନିଟି ହଲ ବୁଲି ଦେଖିଥିଲେ। ଏହାପରେ ଲକ୍ଷ୍ମୀପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସହିତ ମହାବିଦ୍ୟାଳୟ ପରିଦର୍ଶନ କରି ୫-ଟି ମାଧ୍ୟମରେ ନିର୍ମାଣ ହୋଇଥିବା ଶ୍ରେଣୀଗୃହଗୁଡ଼ିକ ବୁଲି ଦେଖିଥିଲେ। ଶେଷରେ ଖଣି ପାଣ୍ଠିରୁ ନିର୍ମାଣ କରାଯାଇଥିବା ସୁଖିଲା ଏବଂ ଓଦା ଆବର୍ଜନା ପ୍ରକଳ୍ପ ଦେଖିଥିଲେ। ଜିଲାପାଳଙ୍କ ସହିତ ପ୍ରୋବେସନାରୀ ଆଇଏଏସ ସୌମ୍ୟରଞ୍ଜନ ପ୍ରଧାନ ମଧ୍ୟ ଆସିଥିଲେ। ଅଂଚଳରେ ଯେଉଁ ପରିମାଣରେ ଆବର୍ଜନା ବାହାରୁଛି ତାହାକୁ ପରିବହନ କରିବା ପାଇଁ ଦୁଇଟି ଛୋଟ ଗାଡ଼ି ଯଥେଷ୍ଟ ହେଉ ନଥିବାରୁ ଅଧିକ ଗାଡ଼ିର ଅବଶ୍ୟକ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକରୀଙ୍କ ସହିତ ଆଲୋଚନା କରି ବ୍ୟବସ୍ଥା କରିବେ ବୋଲି କହିଥିଲେ।

Comments are closed.