ଲାଞ୍ଜିଗଡ: କେନ୍ଦ୍ରୀୟ ନୀତି ଆୟୋଗର ବିଶେଷଜ୍ଞ ସଦସ୍ୟ ତଥା ଓଡିଶା ପ୍ରଭାରୀ ସଞ୍ଜୀବ କୁମାର ମିଶ୍ର କଳାହାଣ୍ଡି ଆସିଥିବା ବେଳେ ଆଜି ଜିଲ୍ଲାର ଲାଞ୍ଜିଗଡ ବ୍ଲକକୁ ଦିନିକିଆ ଗସ୍ତରେ ଆସିବା ସହିତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଆଜି ଶ୍ରୀ ମିଶ୍ର ଭବାନୀପାଟଣାରୁ ବାହାରି ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତର କିଡିଙ୍ଗଠାରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିବା ସହିତ ପ୍ରକଳ୍ପର ଅବସ୍ଥିତି ଦେଖି ଏହାର ସୌନ୍ଦର୍ଯ୍ୟକରଣ ପାଇଁ ପରାମର୍ଶ ଦେଇଥିଲେ।
ପରେ ଶ୍ରୀ ମିଶ୍ର ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପରିଦର୍ଶନ କରିବା ସହିତ ଫାଇଭ-ଟି ରୂପାନ୍ତରଣ କାର୍ଯ୍ୟକ୍ରମ ହୋଇଥିବା କାର୍ଯ୍ୟର ନିରୀକ୍ଷଣ କରିଥିଲେ। ଏଥିସହିତ ସେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଧଅଁରାଭଟା ଏକଲବ୍ୟ ମଡେଲ ସ୍କୁଲ ପରିଦର୍ଶନ କରି ସାପୁଲକୁଚା ଗାଁକୁ ଯାଇ ସେଠାରେ ନିର୍ମିତ ଅମୃତ ସରୋବର କାର୍ଯ୍ୟର ତଦାରଖ କରିଥିଲେ। ଶ୍ରୀ ମିଶ୍ର ଚମ୍ପାଦେଇପୁର ଗ୍ରାମପଞ୍ଚାୟତର ଯୋଡାବନ୍ଧ ଗାଁର ଅଙ୍ଗନବାଡି କେନ୍ଦ୍ର ଓ ଟାଙ୍ଗନକନାଠାରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ଚାଲିଥିବା ଏକାଧିକ ପ୍ରକଳ୍ପ ସଂପର୍କରେ ଅନୁଧ୍ୟାନ କରିଥିଲେ। ସେହିପରି ଲାଞ୍ଜିଗଡ ଦେଇ ବେଦାନ୍ତ ଲିମିଟେଡ ଦ୍ୱାରା ନିର୍ମିତ ବିସ୍ଥାପିତ କଲୋନୀ, ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲରେ ଆୟୋଜିତ ତିରନ୍ଧାଜ ପ୍ରତିଯୋଗିତା ପରିଦର୍ଶନ କରିଥିଲେ। ଏହାପରେ ମିଶନ ଶକ୍ତି ଓ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଅନୁଦାନ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମିଶନଶକ୍ତି କାଫେ ପରିଦର୍ଶନ କରିବା ସହିତ ସେଠାରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ। ଆଜି ନୀତି ଆୟୋଗର ସଦସ୍ୟଙ୍କ ସହିତ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଭବାନୀପାଟଣା ଉପ ଜିଲ୍ଲାପାଳ ଡ. ବିଶ୍ୱଜିତ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ଗସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ। ସେହିପରି ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଏବିଡିଓ ବିଭୁତିଭୂଷଣ ଶତପଥି, ଲାଞ୍ଜିଗଡ ରୋଡ ସରପଞ୍ଚ ସୁଶ୍ରୀ ମମତା ଶବର, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ସମିତିସଦସ୍ୟ ଅଜିତ ପ୍ରଧାନୀ, ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କ ସମେତ ଲାଞ୍ଜିଗଡ ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ, ପଞ୍ଚାୟତ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।



