www.samajalive.in
Monday, December 15, 2025
24.1 C
Bhubaneswar

୨୫ ଦିନ ହେଲା ଅନ୍ଧାରରେ ୫ଗାଁ, ବାର୍ଷିକ ପଇଠ କରୁଛନ୍ତି ୨ଲକ୍ଷ ୩୪ ହଜାର ଟଙ୍କାର ବିଦ୍ୟୁତ୍ ବିଲ୍‌

ଲାଞ୍ଜିଗଡ଼:ଆଉ ପାଞ୍ଚ ଦିନ ହେଲେ ମାସେ ପୁରିବ। ଦୀର୍ଘ ପଚିଶ ଦିନ ହେଲା ବିଦ୍ୟୁତ୍ ନାହିଁ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଲକଡାଉନ ଭଳି ପରିସ୍ଥିତିରେ ଲୋକଙ୍କୁ ନିଜଘରେ ରହିବାକୁ ପଡୁଥିବାବେଳେ ସେମାନଙ୍କ ପାଇଁ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଏକ ଜରୁରୀକାଳୀନ ଆବଶ୍ୟକତା। ତେବେ ଜଙ୍ଗଲୀ ହାତୀ ଥିବା ବାହାନା କରି ବନ ବିଭାଗ ନିର୍ଦେଶରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଥିବାବେଳେ ଏବେ ପ୍ରବଳ ଖରା ଓ ଲକଡାଉନ ଭଳି ପରିସ୍ଥିତିରେ ବିଦ୍ୟୁତ୍ ଅଭାବରୁ ମରଣ ଯନ୍ତ୍ରଣା ଭୋଗୁଛନ୍ତି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତର ଜୁବାଗାଁ, ଜାମଚୁଅାଁ, ଖକସୀ ଓ ମାଚୁଲ ତଥା ଭଟାଙ୍ଗପଦର ଗ୍ରାମପଞ୍ଚାୟତର ହାତୀଗାଁର ୨୦୦ରୁ ଊର୍ଦ୍ଧ୍ବ ପରିବାର। ଗତ ମାର୍ଚ୍ଚ ମାସରେ ବିଦ୍ୟୁତ୍ ବିଭାଗ ଏହିସବୁ ଗାଁର ଲୋକଙ୍କୁ ଠାରୁ ଦୁଇଟି କିସ୍ତିରେ ଘରପିଛା ୧୧୫୦ଟଙ୍କା ଲେଖାଁଏ ବିଦ୍ୟୁତ୍ ବିଲ୍ ସମୁଦାୟ ୨ ଲକ୍ଷ ୩୪ ହଜାର ଟଙ୍କାରୁ ଅଧିକ ଟଙ୍କା ଆଦାୟ କରିଥିବାବେଳେ ତାର କିଛିଦିନ ପରେ ଜଙ୍ଗଲୀ ହାତୀ ବାହାନାରେ ବିଦ୍ୟୁତ୍ ସଂଯୋଗ କାଟିଦିଆଯାଇଛି।

 

- Advertisement -

ନିୟମାନୁଯାୟୀ, ହାତୀ ରହୁଥିବା ଅଞ୍ଚଳରେ ସନ୍ଧ୍ୟା ସମୟରେ ବିଦ୍ୟୁତ୍ କାଟ କରାଯିବା କଥା। ତେବେ ଏହିସବୁ ଅଞ୍ଚଳରୁ ହାତୀ ଅପସରି ଯିବା ପରେ ବି ଏ ଅଞ୍ଚଳର ଗାଁଗୁଡିରେ ଦିନ ଓ ରାତି ବିଦ୍ୟୁତ୍ ସଂପୂର୍ଣ୍ଣ ଭାବେ କାଟିଦିଆଯାଇଥିବାରୁ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ବୃଦ୍ଧି ପାଉଛି। ଦୀର୍ଘ ୨୫ ଦିନ ହେଲା ଅଞ୍ଚଳର ଜୁବାଗାଁର ୪୫ଟି ପରିବାର, ଜାମଚୁଅାଁର ୮୦ଟି ପରିବାର, ଖକସୀର ୫୦ଟି ପରିବାର, ମାଚୁଲର ୮ଟି ପରିବାର ଓ ହାତୀଗାଁର ୨୦ଟି ପରିବାର ଅନ୍ଧାରରେ ଥିବାବେଳେ ବିଦ୍ୟୁତ୍ ନଥିବାରୁ ଗର୍ଭବତୀ, ପ୍ରସୂତି, ଶିଶୁ ଓ ବୃଦ୍ଧବୃଦ୍ଧାମାନେ ଅନେକ କଷ୍ଟ ଭୋଗୁଛନ୍ତି। ଅପରପକ୍ଷରେ ବିଦ୍ୟୁତ୍ ବିଭାଗକୁ ଅଞ୍ଚଳବାସୀ ଅଭିଯୋଗ କଲେ ବନବିଭାଗ ନକହିଲା ଯାଏଁ ବିଦ୍ୟୁତ୍ ସଂଯୋଗ ଦିଆଯିବ ନାହିଁ ବୋଲି କହୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସଂପର୍କରେ କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅଧିକାରୀ ଓ ସଦର ବିଦ୍ୟୁତ୍ ବିଭାଗର କର୍ମକର୍ତ୍ତାଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନାହିଁ। ଏଣୁ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଏହି ପାଞ୍ଚଟି ଗାଁକୁ ବିଦ୍ୟୁତ୍ ଯୋଗାଣ ନିୟମିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories