ଲାଞ୍ଜିଗଡ଼ର ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ସଂପନ୍ନ, ସାମିଲ ହେଲେ ୧୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ
ଲାଞ୍ଜିଗଡ: ଯୁଗ ବଦଳୁଛି। ଏହାସହିତ ଆଧୁନିକତା ସହିତ ତାଳ ଦେଇ ବଦଳୁଛି ମଣିଷର ସ୍ଥିତି, ଗତି ଓ ଚରିତ୍ର। କିନ୍ତୁ ଆଜି ବି ମଣିଷ ନିଜ ମନରୁ ବାଦ୍ ଦେଇ ପାରିନାହିଁ ଆଧ୍ୟାତ୍ମିକତା ଓ ଧାର୍ମିକ ବିଶ୍ୱାସ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଟି, ପାଣି, ପବନ, ଗଛ, ଲତା, ପାହାଡ, ପର୍ବତ ସମସ୍ତେ ଆଧ୍ୟାତ୍ମିକତାର ହିଲ୍ଲୋଳରେ ପରିପୁଷ୍ଟ। ଏହିପରି ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ଅଞ୍ଚଳ ହେଉଛି ଐତିହାସିକ ଲାଞ୍ଜିଗଡ଼ ସହର। ଏଠାକାର ପରମ ଆରାଧ୍ୟ ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଝାମୁଯାତ୍ରା ପାଳିତ ହେଉଥିବାବେଳେ ଲାଞ୍ଜିଗଡସ୍ଥିତ ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରାର ଏକ ଅଲୌକିକ ଆକର୍ଷଣ ଯୋଗୁଁ ଆଜି ଅନୁଷ୍ଠିତ ଯାତ୍ରାରେ ଏଠାକୁ କଳାହାଣ୍ଡି, ରାୟଗଡା ତଥା ନବରଙ୍ଗପୁର ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଭୈରବ ଦେବଙ୍କ ଝାମୁଯାତ୍ରା ପାଇଁ ଲାଞ୍ଜିଗଡ ହୋଇ ଉଠିଥିଲା ଉତ୍ସବ ମୁଖର ।
ପ୍ରଥା ଅନୁଯାୟୀ ନୂଆଖାଇ(ଲାଞ୍ଜିଗଡରେ ଦଶମୀ ନୂଆଖାଇ ହୋଇଥାଏ), ଆଉ ବାସୀ ପର୍ବ ପାଳିତ ହେବା ପରେ ତ୍ରୟୋଦଶୀ ଦିନ ଲାଞ୍ଜିଗଡଠାରେ ଥିବା ପ୍ରସିଦ୍ଧ ଭୈରବ ମନ୍ଦିରରୁ ଭୈରବ ଦେବଙ୍କ ଖଣ୍ଡା ବାହାର କରାଯାଇ ସ୍ଥାନୀୟ ରାଜ ଉଆସକୁ ନିଆଯାଇଥିଲା। ସେଠାରୁ ପୂଜାର୍ଚ୍ଚନା ପରେ ଅଗ୍ନି ଭୈରବଙ୍କ ଗୋଟିଏ ଖଣ୍ଡା, ବାଲି ଭୈରବଙ୍କ ଗୋଟିଏ ଖଣ୍ଡା ଓ ବୁଢା ଭୈରବଙ୍କ ଦୁଇଟି ଖଣ୍ଡାକୁ ବାଲି ଘରକୁ ନିଆଯାଇଥିଲା। ସେହି ଦିନ ହିଁ ସ୍ଥାନୀୟ ଶୁକ୍ଲିନାଳକୁ ପୂଜକମାନେ ଯାଇ ନଅଟି ଚାଙ୍ଗୁଡିରେ ବାଲି ଭର୍ତ୍ତି କରି ଆଣିଥିଲେ। ଲୋକଙ୍କ ଘରୁ ନଅ ପ୍ରକାର ଶସ୍ୟ ସଂଗ୍ରହ କରି ତାକୁ ବାଲି ଘରେ ରଖି ପୂଜାର୍ଚ୍ଚନା ଜାରି ରଖିଥିଲେ। ଏହା ପରେ ଅଶ୍ୱପଞ୍ଚମୀ ତିଥିରେ ଭୈରବ ଦେବଙ୍କ ଝାମୁ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଏହା ପୂର୍ବରୁ ତିନି ଭୈରବଙ୍କ ପ୍ରତୀକ ବାଲି ଘରୁ ମୁଖ୍ୟ ମନ୍ଦିରକୁ ଯିବା ସହିତ ସେଠାରୁ ଆଜ୍ଞାମାଳ ଆଣିବା ପରେ ନିଆଁରେ ତିଆରି ଖନ୍ଦା(ଝାମୁ)କୁ ତିନିଥର ପ୍ରଦକ୍ଷିଣ କରି ସାରିବା ପରେ ଠାକୁରାଣୀ ଗୁଡି଼(ମନ୍ଦିର)କୁ ଯାଇ ଦେବୀଙ୍କୁ ଆମନ୍ତ୍ରଣ କରିଥିଲେ।
ଏହାପରେ ଠାକୁରାଣୀ ଦେବୀ ମଧ୍ୟ ସାମିଲ ହୋଇଥିଲେ ଝାମୁଯାତ୍ରାରେ। ଏହି ସମୟରେ ଚାରୋଟି କଟା କଦଳୀ ଗଛକୁ ଧଳା କପଡା ଘୋଡାଇ ପ୍ରସ୍ତୁତ କରାଯାଇଥିଲା ଗଉରୀଘର। ଯେଉଁଠି ବଡଭୋଗ (ପାରା ବଳି)ଦେବା ପରେ ଝାମୁଯାତ୍ରାର ପ୍ରସ୍ତୁତି ପର୍ବ ଶେଷ ହୋଇଥିଲା। ଏହା ପରେ ଅଗ୍ନି ଭୈରବଙ୍କ କାଳେସୀ ଡହଡହ ତତଲା ରଡ ନିଆଁ ଉପରେ ଚାଲିବା ଦ୍ରୁଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ଏହି ସମୟରେ ଶ୍ରଦ୍ଧାଳୁଙ୍କ ହର୍ଷଧ୍ୱନୀ ସହିତ ଡମବାଜା, ଘୁମୁରା ଓ କୀର୍ତ୍ତନର ଶବ୍ଦ ଗୁଞ୍ଜରି ଉଠୁଥିଲା। ଯାତ୍ରା ସରିଲା ପରେ ମାନସିକ କରିଥିବା ଲୋକଙ୍କ ଦ୍ୱାରା ଶହଶହ କୁକୁଡା, ପାରା, ବତକ, ଛେଳି ଆଦି ବଳି ଦିଆଯାଇଥିଲା । ପୂଜକ ଅଭିମନ୍ୟୁ ପାତ୍ର, ହରିଶ୍ଚନ୍ଦ୍ର ମୁଣ୍ଡଛିନା, ଜମ୍ବେଶ୍ୱର ପୁଝାରୀ, କୁନାଲ ପ୍ରଧାନୀ ପ୍ରମୁଖ ପୂଜାର୍ଚ୍ଚନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ! ଲାଞ୍ଜିଗଡ଼ର ଶ୍ରୀଶ୍ରୀଶ୍ରୀ ହରିହର ସାଂସ୍କ୍ରୁତିକ ସେବାସମିତି, ଲାଞ୍ଜିଗଡ଼ ଯୁବକ ସଂଘର କର୍ମକର୍ତ୍ତାଙ୍କ ସମେତ,ଲାଞ୍ଜିଗଡର ସମସ୍ତ ଜନସାଧାରଣ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଝାମୁଯାତ୍ରାରେ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ସେହିପରି ବିଶ୍ୱନାଥପୁର, ବନ୍ଧପାରି ଓ ବଳଭଦ୍ରପୁରଠାରେ ମଧ୍ୟ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି।
Comments are closed.