ତିନୋଟି ସନ୍ତାନର ଜନକ ହୋଇ ହାତେଇ ଥିଲେ ସରପଞ୍ଚ ପଦ, ଅଯୋଗ୍ୟ ଘୋଷଣା କଲେ ଅତିରିକ୍ତ ଜିଲା ଦୌରାଜଜ୍

ଲଡ଼ୁଗାଁ: କୋକସରା ବ୍ଲକ  ସବୁବେଳେ ବିଭିନ୍ନ ଖବରକୁ ନେଇ ପଞ୍ଚାୟତ ପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀମାନେ ଖବରର ଶିରୋନାମା ପାଲଟିଥିବା ଵେଳେ ଏବେ କିନ୍ତୁ ତିନୋଟି କନ୍ୟା ସନ୍ତାନର ଜନକ ସରପଞ୍ଚ ପଦ ହାତେଇବା ଓ ଅତିରିକ୍ତ ଜିଲା ଦୌରାଜଜ୍ ସରପଞ୍ଚକୁ ଅଯୋଗ୍ୟ ଘୋଷିତ କରିବା କୋକସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ବେଳେ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡ଼ା ଗାଁର ଦେବୀସିଂ ତାଣ୍ଡି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ତିନୋଟି କନ୍ୟା ସନ୍ତାନ ଥିଲେ ହେଁ  ମିଥ୍ୟା ସତ୍ୟପାଠ କରି ନିର୍ବାଚନ ଲଢିଥଲେ ଓ ବିଜୟୀ ହୋଇଥିଲେ।
ଏହାକୁ ନେଇ ତାଙ୍କର ପ୍ରତିଦ୍ବନ୍ଦୀ  ବଂଶୀଧର ବେଶ୍ରା ପ୍ରଥମେ କୋକସରା ପ୍ରଥମ ଶ୍ରେଣୀ ଦେୱାନୀ ବିଚାରପତିଙ୍କ ନିକଟରେ କେସ ନମ୍ବର ସିପି ୦୧/୨୦୨୨ରେ ଏକ ମାମଲା ଦାୟର କରିଥିଲେ। ହେଲେ କୌଣସି କାରଣରୁ ଉକ୍ତ କେସ୍ ଖାରଜ ହୋଇଥିବା ବେଳେ ପରବର୍ତ୍ତି ସମୟରେ ବଂଶୀଧର ବେଶ୍ରା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଧର୍ମଗଡ ଅଦାଲତର ଦ୍ଵାରସ୍ଥ ହୋଇ  କେସ ନମ୍ବର ଏଫ୍ ଏ ଓ ୩/୨୦୨୪ରେ ଏକ ମାମଲା ଦାୟର କରିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଧର୍ମଗଡ  ଅଦାଲତରେ ଅତିରିକ୍ତ ଜିଲା ଦୌରାଜଜ୍ ମାନ୍ୟବର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପ୍ରଧାନ ଜୁନ ୨୫ ତାରିଖ ମଙ୍ଗଳବାର ଦିନ ସମ୍ପୃକ୍ତ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରି  ଦୁଇ ମାସ ମଧ୍ୟରେ  ପୁଣିଥରେ କାଉଡୋଲା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ପୁନର୍ବାର ନିର୍ବାଚନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି ।
ସଂପୃକ୍ତ ସରପଞ୍ଚ  ଦେବୀସିଂ ତାଣ୍ଡି ପଞ୍ଚାୟତି ରାଜ ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରି ସରପଞ୍ଚ ପଦବୀ ହାତେଇଥିଲେ।  ମାନ୍ୟବର ଅଦାଲତ ବଂଶୀଧର ବେଶ୍ରାଙ୍କୁ ନ୍ୟାୟ ପ୍ରଦାନ କରି ସରପଞ୍ଚ ଦେବିସିଂ ତାଣ୍ଡିଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଏଠାରେ ଉକ୍ତ କେସକୁ ପରିଚାଳନା କରି ନ୍ୟାୟ ପ୍ରଦାନ କରାଇଥିବା ଧର୍ମଗତର ବରିଷ୍ଠ ଆଇନଜୀବୀ ବିଶ୍ୱନାଥ ମୁଣ୍ଡଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି। ଏ ସମ୍ବନ୍ଧରେ ସଂପୃକ୍ତ ଅଯୋଗ୍ୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେ ଉପରିସ୍ଥ କୋର୍ଟ ର ଦ୍ବାରସ୍ଥ ହେବି ବୋଲି କହିଛନ୍ତି ।

Comments are closed.