ମସଜିଦ ଭାଙ୍ଗି କୁମ୍ଭମେଳା ପାଇଁ ଜାଗା ଦେଲେ ମୁସଲମାନ
ଆହ୍ଲାବାଦ : ପୁରୁଣା ଆହ୍ଲାବାଦରେ ହିନ୍ଦୁ ମୁସଲମାନ ଭାଇଚାରର ଏକ ଅନନ୍ୟ ଛବି ଦେଖିବାକୁ ମିଳିଛି। କୁମ୍ଭ ମେଳା ପାଇଁ ରାସ୍ତା ପ୍ରଶସ୍ତୀକରଣ ପାଇଁ ମୁସଲମାନମାନେ ସ୍ୱଇଚ୍ଛାରେ ମସଜିଦ ଭାଙ୍ଗିବାରେ ପ୍ରଶାସନକୁ ସାହାଯ୍ୟ କରିଛନ୍ତି। ଆଗାମୀ ବର୍ଷ କୁମ୍ଭମେଳା ଥିବାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ପ୍ରକାର ପ୍ତସ୍ତୁତି ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସଡକଗୁଡିକର ପ୍ରଶସ୍ତୀକରଣ କାର୍ଯ୍ୟ ହେଉଥିଲା। ପୁରୁଣା ଆହ୍ଲାବାଦରେ ବହୁ କୋଠା ଓ ମସଜିଦ ସରକାରୀ ଜାଗା ଉପରେ ରହିଥିଲା। ଏଠାକାର ଜନସଂଖ୍ୟା ଅଧିକ ଥିବାରୁ ଜବରଦଖଲ ଉଚ୍ଛେଦ କରିବା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ଥିଲା। ସରକାରୀ ଜାଗାରେ ମସଜିଦଗୁଡିକ ଥିବାରୁ ଏସବୁକୁ ଭାଙ୍ଗିଲେ ସାମ୍ପ୍ରଦାୟିକ ଦଙ୍ଗାର ଆଶଙ୍କା ରହିଥିଲା। ମାତ୍ର ଏଠାକାର ମୁସଲମାନମାନେ ନିଜ ଆଡୁ ରାସ୍ତା ପ୍ରଶସ୍ତୀକରଣ ପାଇଁ ସରକାରୀ ଜାଗାରେ ଥିବା ମସଜିଦର ଅଂଶକୁ ଭାଙ୍ଗିବାରେ ସହଯୋଗ କରିଛନ୍ତି।