କେଏମ୍‍ପି ଏକ୍ସପ୍ରେସ ୱେ ଉଦ୍‍ଘାଟନ କଲେ ମୋଦୀ

0

ଗୁଡ଼ଗାଓଁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଗୁଡ଼ଗାଓଁଠାରେ କୁଣ୍ଡଳି-ମାନେସରପାଲୱାଲ (କେଏମ୍‍ପି) ଏକ୍ସପ୍ରେସ ୱେ ଉଦ୍‍ଘାଟନ କରିଛନ୍ତି। ଉଦ୍‍ଘାଟନୀ ସଭାରେ ଏହି ପ୍ରକଳ୍ପ କାର୍ଯ୍ୟରେ ପୂର୍ବତନ କେନ୍ଦ୍ର ସରକାରଙ୍କ ବିଳମ୍ବର କାରଣ କ’ଣ ବୋଲି ପ୍ରଶ୍ନ ଉଠାଇ ମୋଦୀ କଂଗ୍ରେସକୁ ସମାଲୋଚନା କରିଛନ୍ତି। କଂଗ୍ରେସ ସରକାର ସମୟରେ ଏହି ପ୍ରକଳ୍ପର ଭାଗ୍ୟ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ହୋଇଛି ବୋଲି ମୋଦୀ କହିଛନ୍ତି। ୨୦୧୦ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାବେଳେ ଏହି ଏକ୍ସପ୍ରେସ୍‍ ୱେକୁ ବ୍ୟବହାର କରାଯିବାର ଯୋଜନା ଥିଲା; ମାତ୍ର ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାରେ ବହୁ ବିଳମ୍ୱ ହୋଇଥିଲା। ମୋଦୀ କହିଛନ୍ତି, ଏହି ଏକ୍ସପ୍ରେସ ୱେ ୮ରୁ ୯ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବା ଉଚିତ ଥିଲା; କିନ୍ତୁ ପୂର୍ବତନ ସରକାର ଏ ଦିଗରେ ଯତ୍ନଶୀଳ ନ ଥିଲେ। ଅନ୍ୟପଟେ ମୋଦୀ ସରକାର ଏବଂ ରାଜ୍ୟ ସରକାର ପ୍ରକଳ୍ପଟିକୁ ତରବରିଆ ଭାବେ ଉଦ୍‍ଘାଟନ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ଏକ ଘରୋଇ କମ୍ପାନୀକୁ ମାସିକ ୨୬ କୋଟି ଟଙ୍କା ଲାଭବାନ କରିବା ଉଦ୍ଦେଶ୍ୟରେ ଅଧାପନ୍ତରିଆ ଏକ୍ସପ୍ରେସ୍‍ ୱେକୁ ଉଦ୍‍ଘାଟନ କରାଯାଇଛି ବୋଲି ଦଳ ପ୍ରଶ୍ନ ଉଠାଇଛି। ହରିଆଣା ସରକାରଙ୍କ ଦ୍ୱାରା ନିର୍ମିତ ୧୩୫ କିଲୋମିଟର ଦୀର୍ଘ କେଏମ୍‍ପି ଏକ୍ସପ୍ରେସ୍‍ ୱେ ସୋନେପତ, ଝାଜର, ଗୁଡ଼ଗାଓଁ ଏବଂ ପାଲୱାଲ ଦେଇ ଜାତୀୟ ରାଜପଥ ନମ୍ବର ୧,୧୦,୮ ଏବଂ ୨କୁ ସଂଯୋଗ କରୁଛି।

Leave A Reply