କିଙ୍ଗ୍‍ସ ଏକାଦଶ ୪ ରନରେ ବିଜୟୀ

0

ଚଣ୍ଡିଗଡ଼  :ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତେ୍ୱ ଚେନ୍ନଇ ସୁପରକିଙ୍ଗସ ୪ରନ୍‍ରେ କିଙ୍ଗସ ଏକାଦଶଠାରୁ ପରାଜୟ ବରଣ କରିଛି। ୧୯୮ରନ୍‍ର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରି ଚେନ୍ନଇ ଦଳ ନିୟମିତ ବ୍ୟବଧାନ ୱିକେଟ ହରାଇ ନିର୍ଦ୍ଧରିତ ଓଭରରେ ୫ୱିକେଟ ହରାଇ ୧୯୩ରନ କରିବାକୁ ସମର୍ଥ ହୋଇଥିଲା। ଶେଷ ଦୁଇ ଓଭରରେ ଚେନ୍ନଇ ବିଜୟ ପାଇଁ ୩୬ରନ୍‍ ଆବଶ୍ୟକ ଥିଲା। ୧୯ତମ ଓଭରରେ ଧୋନି ଓ ଅଲରାଉଣ୍ଡର ଡାଏନୋ ବ୍ରାଭୋ ୧୯ରନ୍‍ ସଂଗ୍ରହ କରିଥିଲେ। ଶେଷ ଓଭରରେ ବିଜୟ ପାଇଁ ୧୭ରନ ଆବଶ୍ୟକ ଥିବାବେଳେ ବ୍ୟାଟିଂ ଷ୍ଟ୍ରାଇକରେ ଧୋନି ରହିଥିଲେ। ପ୍ରଥମ ୨ଟି ବଲରୁ ଧୋନି ମାତ୍ର ୧ରନ ସଂଗ୍ରହ କରିପାରିଥିଲେ। ପରବର୍ତ୍ତୀ ବଲ ୱାଇଡ ହୋଇଥିଲା। ପରବର୍ତ୍ତୀ ବଲରେ ଧୋନି ଏକ ଚୌକା ମାରି ଦଳର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ତେବେ ଶେଷ ୩ଟି ବଲରେ ୧୧ରନ୍‍ ଆବଶ୍ୟକ ହେଉଥିବାବେଳେ ୨ଟି ବଲରେ କୌଣସି ରନ୍‍ ସଂଗ୍ରହ କରିପାରିଥିଲେ। ଶେଷ ବଲରେ ସେ ଛକା ମାରି ଇନିଂସ ମୁଣ୍ଡି ମାରିଥିଲେ ମଧ୍ୟ ଏହା ଦଳର ବିଜୟଠାରୁ ୪ରନ୍‍ ଦୂରରେ ରହିଯାଇଥିଲା। ଧୋନି ୪୪ଟି ବଲରୁ ୬ଟି ଚୌକା ଓ ୫ଟି ଛକା ସହାୟତାରେ ୭୯ରନ୍‍ ସଂଗ୍ରହ କରି ଅପରାଜିତ ରହିଥିଲେ। ଚଳିତ ଆଇପିଏଲରେ ଚେନ୍ନଇର ଏହା ପ୍ରଥମ ପରାଜୟ ହୋଇଥିବାବେଳେ କିଙ୍ଗସ ପଞ୍ଜାବର କ୍ରମାଗତ ଏହା ଦ୍ୱିତୀୟ ବିଜୟ। ୧୯୮ରନର ବିଜୟଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନଇ ଦଳର ଭଲ ଆରମ୍ଭ ହୋଇନଥିଲା। ଦୁଇ ଓପନର ମୁରଲି ବିଜୟ ଓ ସେନ ୱାଟସନ ଓପନିଂ ଭାଗିଦାରୀରେ ମାତ୍ର ୧୭ରନ ସଂଗ୍ରହ କରିଥିଲେ। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଅମ୍ବାତି ରାଇଡୁ ୫ଟଇ ଚୌକା ଓ ଗୋଟିଏ ଛକା ସହାୟତାରେ ୪୯ରନ କରିଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନ୍‍ଆଉଟ ହୋଇଯାଇଥିଲେ। ରାଇଡୁଙ୍କ ପରେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଧୋନିଙ୍କୁ ଉପଯୁକ୍ତ ସହାୟତା କରିନପାରିବାରୁ ଓଭରପ୍ରତି ରନ ହାର ବୃଦ୍ଧି ପାଇଚାଲିଥିଲା। କିଙ୍ଗସ ପକ୍ଷରୁ ଆଣ୍ଡ୍ରୁ ତାଏ ୨ଟି ୱିକେଟ ନେଇଥିବାବେଳେ ଦ୍ରୁତ ବୋଲର ରୋହିତ ଶର୍ମା ଓ ଅଧିନାୟକ ରବୀଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଦୁଇଟି ମ୍ୟାଚ ପରେ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇଥିବା ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଚେନ୍ନଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ପାଇଁ କିଙ୍ଗ୍‍ସ ଏକାଦଶକୁ ଆମନ୍ତ୍ରଣ କରିଥିଲେ। ଦୁଇ ଓପନର ଲୋକେଶ ରାହୁଲ ଓ କ୍ରିସ୍‍ ଗେଲ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରି ପ୍ରଥମ ୱିକେଟ ପାଇଁ ୮ ଓଭରରେ ୯୬ ରନ ସଂଗ୍ରହ କରିଥିଲେ। ରାହୁଲ ୭ଟି ଚୌକା ସହାୟତାରେ ବ୍ୟକ୍ତିଗତ ୩୭ରନ କରିଥିବାବେଳେ ହରଭଜନ ସିଂହ ତାଙ୍କୁ ଆଉଟ କରି ଚେନ୍ନଇ ପାଇଁ ପ୍ରଥମ ସଫଳତା ଆଣିଥିଲେ। ଗେଲ୍‍ ୩୩ଟି ବଲରୁ ୭ଟି ଚୌକା ଓ ୪ଟି ଛକା ସହାୟତାରେ ୬୩ ରନ କରିଥିଲେ। ତେବେ ଦଳୀୟ ସ୍କୋର ୧୨୭ ରନରେ ଗେଲ୍‍ଙ୍କୁ ଆଉଟ କରି ସେନ ୱାଟସନ ଦଳ ପାଇଁ ଦ୍ୱିତୀୟ ତଥା ସବୁଠାରୁ ବଡ ସଫଳତା ଅର୍ଜନ କରିଥିଲେ। ଗେଲ୍‍ଙ୍କ ପ୍ରସ୍ଥାନ ପରେ କିଙ୍ଗ୍‍ସ ଏକାଦଶର ରନ ସଂଗ୍ରହ ହାର ବାଧାପ୍ରାପ୍ତ ହୋଇଥିଲା। ମୟଙ୍କ ଅଗ୍ରୱାଲ ଓ ଯୁବରାଜ ସିଂହ ତୃତୀୟ ୱିକେଟ ପାଇଁ ୨୨ ରନ ଯୋଗକରି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରୁଥିଲେ। ତେବେ ଦଳୀୟ ସ୍କୋର ୧୪୯ ରନରେ ମୟଙ୍କ (୩୦) ଓ ଆରୋନ ଫିଞ୍ଚ୍‍ଙ୍କୁ (୦) ଆଉଟ କରି ଇମ୍ରାନ ତାହିର ଦଳ ପାଇଁ ଦ୍ୱୈତ ସଫଳତା ଅର୍ଜନ କରିଥିଲେ। ଯୁବରାଜ ସିଂହ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୦ ରନ କରି ୧୬ଶ ଓଭରରେ ଆଉଟ ହୋଇଥିଲେ। ତେବେ କରୁଣ ନାୟାର (୨୯) ଓ ରବିଚନ୍ଦ୍ରନ ଅଶ୍ୱିନ (୧୪) ୬ଷ୍ଠ ୱିକେଟ ପାଇଁ ୩୩ ରନ ଯୋଗକରିବା ଫଳରେ କିଙ୍ଗ୍‍ସ ଏକାଦଶ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୯୭ ରନ କରିଥିଲା। ଚେନ୍ନଇ ପକ୍ଷରୁ ସାର୍ଦ୍ଦୁଳ ଠାକୁର ଓ ଇମ୍ରାନ ତାହିର ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ହରଭଜନ, ୱାଟସନ ଓ ଡ୍ୱୟେନ ବ୍ରାଭୋ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।

Leave A Reply