ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ସୂଚୀରେ ଭାରତରୁ ୧୪

0

ନୂଆଦିଲ୍ଲୀ : ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୪ଟି ସହର ସ୍ଥାନ ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଧାର୍ଯ୍ୟ ମାନଦଣ୍ଡ ଅନୁସାରେ ଏହି ସବୁ ସହରର ପ୍ରଦୂଷଣର ମାତ୍ରା ବହୁତ ଅଧିକ। ତେବେ ଦିଲ୍ଲୀ, ଗୋୱାଲିୟର, ବାରଣାସୀ ଓ କାନପୁର ଏହି ୧୪ଟି ପ୍ରଦୂଷିତ ସହର ମଧ୍ୟରେ ଶୀର୍ଷରେ ରହିଛି।
୨୦୧୬ରେ ଏହି ସହରଗୁଡ଼ିକରେ ବାୟୁରେ ପ୍ରଦୂଷଣର ମାତ୍ରା ପିଏମ୍‍ ୨.୫ ସ୍ତର ସର୍ବାଧିକ ରହିଛି । ପିଏମ୍‍ ୨.୫ ମଧ୍ୟରେ ସଲ୍‍ଫେଟ୍‍, ନାଇଟ୍ରେଟ୍‍ ଓ ବ୍ଲାକ୍‍ କାର୍ବନ୍‍ ଭଳି ପ୍ରଦୂଷଣକାରୀ ଉପାଦାନଗୁଡ଼ିକ ଥାଏ, ଯାହା ମଣିଷର ସ୍ୱାସ୍ଥ୍ୟ ପ୍ରତି ସବୁଠୁ ବେଶୀ କ୍ଷତିକାରକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ, ପିଏମ୍‍ ୨.୫ ସ୍ତର ଅଧିକ ଥିବା ଅନ୍ୟ ସହରଗୁଡ଼ିକ ମଧ୍ୟରେ ଫରିଦାବାଦ, ଗୟା, ପାଟନା, ଆଗ୍ରା, ମୁଜାଫରପୁର, ଶ୍ରୀନଗର, ଗୁଡ୍‍ଗାଓଁ, ଜୟପୁର, ପତିିଆଲା ଓ ଯୋଧପୁର ରହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱର ପ୍ରତି ୧୦ଜଣ ଲୋକଙ୍କ ମଧ୍ୟରୁ ୯ ଜଣ କ୍ଷତିକାରକ ପ୍ରଦୂଷଣ ପଦାର୍ଥ ଯୁକ୍ତ ବାୟୁ ଗ୍ରହଣ କରିଥାନ୍ତି । ପିଏମ୍‍ ୧୦ ସ୍ତର ଅନୁସାରେ, ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩ଟି ସହର ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘର ଭିତର ଓ ଘର ବାହାର ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଏହାର ଦକ୍ଷିଣ-ପୂର୍ବ ଏସୀୟ ଅଞ୍ଚଳ ସଦସ୍ୟ ଦେଶଗୁଡ଼ିକୁ ଆହ୍ୱାନ ଦେଇଛି । ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ  ମୃତ୍ୟୁବରଣ କରୁଥିବା ୭ ନିୟୁତ ଲୋକଙ୍କ ମଧ୍ୟରୁ ଏହି ଅଞ୍ଚଳରୁ ୨ନିୟୁତ ୪ଲକ୍ଷ ଲୋକ ରହିଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ।

Leave A Reply