କିଡ୍‌ନୀ ରୋଗ ନିରାକରଣରେ ନିରବତା

ଅଭିଶପ୍ତ ୫ ଗାଁ, ଗଲାଣି ୬ ଜୀବନ ; ୨୦ରୁ ଅଧିକ ଆକ୍ରାନ୍ତ, ଖବର ରଖିନି ପ୍ରଶାସନ

ଫୁଲବାଣୀ : କିଡ୍‌ନୀ ରୋଗ କବଳରେ ଓଡ଼ିଶା। କଟକଠାରୁ କନ୍ଧମାଳ, ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ସବୁଠି କ୍ରୋନିକ୍‌ କିଡ୍‌ନୀ ରୋଗ(ସିକେଡି)ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଓଡ଼ିଶାରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଜାତୀୟ ହାରଠାରୁ ଅଧିକ ଥିବା ଜଣାପଡିଛି। ଯଦିଓ ଏନେଇ ରାଜ୍ୟ ସରକାରଙ୍କ ନିକଟରେ ସଠିକ୍ ତଥ୍ୟ ନାହିଁ; ତଥାପି ଜାତୀୟ ହାର ୧୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହି ହାର ୨୦ ପ୍ରତିଶତ ଥିବା ଜଣାପଡିଛି। କଟକ ଜିଲାର ନରସିଂହପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବହୁ ଲୋକଙ୍କ ପ୍ରାଣହାନି ଘଟିବା ପରେ ରାଜ୍ୟ ସରକାର ସମସ୍ତ ଜିଲା ହସ୍ପିଟାଲରେ କିଡ୍‌ନୀ ରୋଗୀଙ୍କ ଲାଗି ଡାଏଲିସିସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। କେତେକ ଜିଲା ମୁଖ୍ୟ ଡାକ୍ତରଖାନାରେ ଏହି ସୁବିଧା ଥିବାବେଳେ ଅନେକ ସ୍ଥାନରେ ଏହା ଏବେ ବି କାର୍ଯ୍ୟକାରୀ କରାଯାଇପାରିନି। ତେବେ ଯେଉଁ ଜିଲା ଗୁଡିକରେ ଡାଏଲିସିସ୍‌ ବ୍ୟବସ୍ଥା ରହିଛି ସେଠାରେ ଡାକ୍ତରଙ୍କ ଅଭାବ ଓ ଆନୁସଙ୍ଗିକ ସମସ୍ୟା କାରଣରୁ ରୋଗୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ କଟକ, ବ୍ରହ୍ମପୁର ଓ ବୁର୍ଲା ଭଳି ରାଜ୍ୟର ତିନିଟି ବଡ଼ ଡାକ୍ତରଖାନାରେ ମଧ୍ୟ ନେଫ୍ରୋଲୋଜି ପ୍ରଫେସର ଓ ଡାକ୍ତରଙ୍କ ଅଭାବ କିଡ୍‌ନୀ ରୋଗୀ ସେବାକୁ ପ୍ରଭାବିତ କରୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ଡାଏଲିସିସ୍‌ ଏହାର ସାମୟିକ ଉପଶମ ହୋଇପାରେ; ମାତ୍ର ନିରାକରଣ ବା ପ୍ରତିକାର ନୁହେଁ। ପାନୀୟ ଜଳରେ ମାତ୍ରାଧିକ ଫ୍ଲୋରାଇଡ୍‌, ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ବୃଦ୍ଧି ଓ ମାତ୍ରାଧିକ ଧୂମ୍ରପାନ କିଡ୍‌ନୀ ରୋଗର କାରଣ ବୋଲି ବିଶେଷଜ୍ଞ ଡାକ୍ତରଙ୍କ ମତ। ତେବେ ରାଜ୍ୟର ଅଧିକାଂଶ ସ୍ଥାନରେ କିଡନୀର କାରଣ ଯେ ପାନୀୟ ଜଳରେ ମାତ୍ରାଧିକ ଫ୍ଲୋରାଇଡ୍‌ ତାହା ଏବେ ସାମ୍ନାକୁ ଆସିଛି।
କିଡ୍‌ନୀ ରୋଗୀ ସଂକ୍ରାନ୍ତ ଉଦାହରଣ ଭାବେ କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ସୁଡ଼ୁରୁୁକୁମ୍ପା ପଞ୍ଚାୟତର ୫ ଗଁାକୁ ନିଆଯାଇପାରେ। ବର୍ଷ ବର୍ଷ ଧରି ଏଇ ୫ଖଣ୍ଡ ଗଁାର ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲା ପ୍ରଶାସନ ପାଖରେ ସୂଚନା ନାହିଁ। ସୁଡୁରୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ରାଣିପଥର, ନୂଆସାହି, ବଙ୍ଗଳା ସାହି, ରୁଗୁଡିସାହି ଓ ଖାନ୍ଦିକୁଟି ସାହିରେ ୧୫୦ରୁ ଅଧିକ ପରିବାର ରହନ୍ତି। କିଛିବର୍ଷ ହେଲା ଏସବୁ ଗାଁରେ ଅସ୍ୱାଭାବିକ ଭାବେ ବଢ଼ିଚାଲିଛି କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା। କେଉଁ କାରଣରୁ ଏହି ରୋଗ ବ୍ୟାପିଛି ତାହାର କାରଣ ଜାଣିବାକୁ କୌଣସି ସ୍ତରରେ ଉଦ୍ୟମ ହୋଇନି। ବାରମ୍ବାର ଉକ୍ତ ଅଞ୍ଚଳବାସୀ ମୁଖ୍ୟ ଚିକିତ୍ସାଳୟକୁ ଆସି ଡାଏଲିସିସ୍‍ କରୁଛନ୍ତି। କିନ୍ତୁ କେଉଁ କାରଣରୁ ଏକ ନିର୍ଦିଷ୍ଟ ଅଞ୍ଚଳବାସୀ ଡାଏଲିସିସ୍‌ ପାଇଁ ଆସୁଛନ୍ତି ତାହାର କାରଣ ଜାଣିବାକୁ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ଆଗ୍ରହ ପ୍ରକାଶ କରିନି। ପ୍ରଶାସନ ପକ୍ଷରୁ କୌଣସି ଡାକ୍ତରୀ ଦଳ ବି ଅଞ୍ଚଳକୁ ଯାଇନାହାନ୍ତି। ପରିବାରରେ କାହାକୁ ଜ୍ୱର କିମ୍ବା ଅନ୍ୟ କିଛି ରୋଗ ହେଲେ ଉକ୍ତ ପରିବାରରେ ଭାଳେଣି ପଡ଼ିଯାଉଛି।
ସୂଚନାପ୍ରକାରେ, ବର୍ତ୍ତମାନ ସୁଦ୍ଧା ରାଣୀପଥର ଗ୍ରାମର ୬ରୁ ଊର୍ଦ୍ଧ୍ବ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି। ଆଜି ସୁଦ୍ଧା ଏହିସବୁ ଗ୍ରାମରେ ୨୦ରୁ ଊର୍ଦ୍ଧ୍ବ ରୋଗୀ ଉକ୍ତ ରୋଗରେ ଆକ୍ରାନ୍ତ ଅଛନ୍ତି । କେବଳ ବଙ୍ଗଳା ସାହିରେ ଏବେ ୬ ଆକ୍ରାନ୍ତ ଅଛନ୍ତି। ଏହି ସାହିର ୩ ଜଣଙ୍କର ମୃତ୍ୟୁ ହୋଇସାରିଛି। ଛୋଟରୁ ବଡ଼ ଅନେକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସିିତ ହେଉଛନ୍ତି। କେଉଁ ପରିବାରରେ ବାପାର ପରିଣତ ବୟସରେ ପୁଅର ଜୀବନ ଚାଲିଯାଇଛି ତ ଆଉ କେଉଁ ପରିବାରରେ ବିବାହିତାଙ୍କ ମୁଣ୍ଡରୁ ଲିଭି ଯାଉଛି ସିନ୍ଦୁର। ଅନେକ ପରିବାରର ଝିଅ ଓ ପୁଅ ହେଇ ଯାଇଛନ୍ତି ବାପା ଛେଉଣ୍ଡ। ଅଧିକାଂଶ ଆକ୍ରାନ୍ତ ପୁରୁଷ ଥିବା ଜଣାପଡିଛି।
ଖବର ପ୍ରକାରେ, ଉକ୍ତ ପଞ୍ଚାୟତ ଅନ୍ତର୍ଗତ ବଙ୍ଗଳା ସାହିର ଚମ୍ପେଶ୍ୱର ବେହେରା ୩ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଗାଁରେ ଏକ ଦୋକାନ କରି ପରିବାର ଚଳାଉଥିଲେ। ୭ ବର୍ଷ ପୂର୍ବେ ଚମ୍ପେଶ୍ୱରଙ୍କୁ ଜ୍ୱର ହୋଇଥିଲା। ସେ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସିତ ହେଲେ। ଜ୍ୱର ନ ଛାଡିବାରୁ ବୁର୍ଲା ଡାକ୍ତରଖାନାକୁ ଗଲେ। ସେଠାରେ ସେ କିଡନୀ ରୋଗରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଲେ। ଔଷଧ ଖାଇବା ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। ଏବେ ସପ୍ତାହକୁ ୩ ଥର ତାଙ୍କୁ ଡାଏଲିସିସ୍‌ କରିବାକୁ ପଡୁଛି। ସେହିପରି ଉକ୍ତ ସାହିର ବିଜୁ ବେହେର(୩୬)। ଗତ ୨ ବର୍ଷ ହେଲା ଏହି ରୋଗରେ ଆକ୍ରାନ୍ତ। ସ୍ତ୍ରୀ ମୂଲ ଲାଗିଲେ ଚଳୁଛି ପରିବାର। ଅନ୍ୟ ଜଣେ ହେଲେ ଟୁକୁନା ବେହେରା(୨୮)। ଗତ ୭ ମାସ ହେଲା ସେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଅଟୋ ଚଳାଇ ପରିବାର ପୋଷୁଥିଲେ। ଏବେ ଆଉ ଗାଡି ଚଲାଇ ପାରୁନାହାନ୍ତି। ପ୍ରମୋଦ କୁମାର ବେହେରା ଚାଷବାସ କରି ଚଳୁଥିଲେ। ହେଲେ ମାସେ ହେଲା କିଡିନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ହିମୋଗ୍ଲୋବିନ ସ୍ତର ମଧ୍ୟ କମି ଯାଉଛି। ବ୍ଲଡ ଗ୍ରୁପ ବି-ନେଗେଟିଭ ଥିବାରୁ ରକ୍ତ ମିଳିପାରୁନି। ତାଙ୍କୁ ଦିଆଯାଉଥିବା ଆଇରନ ଇଂଜେକସନର ମୂଲ୍ୟ ଚାରି ହଜାର ଟଙ୍କାରୁ ଅଧିକ। ବଙ୍ଗଳା ସାହିର ବରୁଣ କହଁର, ଇନ୍ଦ୍ରଜିତ ଦୀପ, ନୂଆସାହିର ସୁକାନ୍ତି ବେହେରା, ତାଙ୍କ ସ୍ୱାମୀ ଦାମୋଦର ବେହେରା, ଗୋକୁଳ ବେହେରା, ଖାନ୍ଦିକୁଟିର ରତ୍ନ ବେହେରାଙ୍କ ଅବସ୍ଥା ମଧ୍ୟ ଅନୁରୂପ।
ଇତିମଧ୍ୟରେ କିଡନୀ ରୋଗ ବଙ୍ଗଳା ସାହିର ବେଦମତୀ ବେହେରା(୫୫), ମାଳତୀ ଦୀପ(୬୫), ସଞ୍ଜିତ ବେହେରା(୩୦), ନୂଆସାହିର ନବାତି ବେହେରା(୫୦) ଏବଂ ରୁଗୁଡିସାହିର ଏକ ଦମ୍ପତିଙ୍କ ଜୀବନ ନେଇସାରିଛି। ପୂର୍ବରୁ ମଧ୍ୟ ବହୁ ରୋଗୀ କିଡିନୀ ରୋଗରେ ମୃତ୍ୟୁବରଣ କରିଥିବା ଗ୍ରାମବାସୀ କହିଛନ୍ତି। ରାଣିପଥରବାସୀ ନଳକୂପ ପାଣି ବ୍ୟବହାର କରୁଛନ୍ତି। ପାଣିରେ ମାତ୍ରାଧିକ ଫ୍ଲୋରାଇଡ୍‌ କାରଣରୁ ଏପରି ହେଉଥିବା ଆକ୍ରାନ୍ତ ଆଶଙ୍କା କରୁଛନ୍ତି। ଏ ନେଇ ପ୍ରଶାସନକୁ ଜଣାଇଥିଲେ ବି ପାଣିର ନମୁନା ପରୀକ୍ଷା କରାଯାଉନି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଘଟଣା ବିଷୟରେ ସେ ଅବଗତ ନଥିବା କହିଛନ୍ତି। ତଥାପି ଗ୍ରାମକୁ ଏକ ଡାକ୍ତରୀ ଦଳ ପଠାଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।
ସେହିପରି ଏହି ଜିଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ପଞ୍ଚାୟତର କେତେକ ଗଁାରେ କିଡନୀ ରୋଗ ବ୍ୟାପିଥିଲା। ଏ ସଂକ୍ରାନ୍ତରେ ‘ସମାଜ’ରେ ଖବର ପ୍ରକାଶ ପରେ ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଥିଲା।

kalyan agarbati

Comments are closed.