ଖୋର୍ଦ୍ଧାରେ ୬ ହଜାର କୋଟିରେ ହେବ ୧୪ ଶିଳ୍ପ: ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା/ନିରାକାରପୁର; ଖୋର୍ଦ୍ଧା ଜିଲାରେ ଗୁରୁବାର ୧୩ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଗୋଟିଏର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖୋର୍ଦ୍ଧା ନିକଟବର୍ତ୍ତୀ ହଳଦୀପଦା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ନୂଆ ସରକାର ଆସିବା ପରେ ରାଜ୍ୟରେ ଶିଳ୍ପାୟନ ପାଇଁ ଯେତେ ସବୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି, ସେ ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନିର୍ଦିଷ୍ଟ ଯୋଜନା ଅନୁସାରେ ଆମର କାର୍ଯ୍ୟ ଜାରି ରହିଛି। ଏହି ୧୪ଟି ଶିଳ୍ପରେ ପ୍ରାୟ ୬ ହଜାର କୋଟି ଟଙ୍କା ବିନିଯୋଗ କରାଯାଉଛି। ଉଦ୍ୟୋଗଗୁଡ଼ିକ ପୂର୍ଣ୍ଣକ୍ଷମ ହେଲେ ୩୭ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହା କେବଳ ଆରମ୍ଭ ମାତ୍ର। ଆଗାମୀ ଦିନରେ ଓଡ଼ିଶାରେ ସବୁ ଜିଲାରେ ଶିଳ୍ପ ପ୍ରତିଷ୍ଠା ହେବ। ଆଜିର ପ୍ରକଳ୍ପ ମଧ୍ୟରେ ପୋଷାକ ପ୍ରସ୍ତୁତି, ପ୍ୟାକେଜିଙ୍ଗ,
ଖାଦ୍ୟ ପ୍ରକ୍ରିୟାକରଣ, କ୍ୟାପିଟାଲ ଗୁଡସ୍‍ ଓ ରେଳ ଚକ ନିର୍ମାଣ ରହିଛି। ଏ ଗୁଡ଼ିକ ଆଧୁନିକ ଅର୍ଥନୀତିର ବାର୍ତ୍ତାବହ। ଡବଲ ଇଞ୍ଜିନ ସରକାରର ସୁବିଧା ଓ ଶିଳ୍ପ ଅନୁକୂଳ ବାତାବରଣ ଯୋଗୁଁ ରାଜ୍ୟରେ ପୁଞ୍ଜିନିବେଶ ବଢ଼ୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ଯୁବ ସମାଜକୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ସହିତ ଶିଳ୍ପ ପ୍ରତିଷ୍ଠାନ ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ବୃତ୍ତିଗତ ଓ ବୈଷୟିକ ଶିକ୍ଷାରେ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ସୁଦକ୍ଷା ଯୋଜନା ଓ ଯୁବପିଢ଼ିଙ୍କୁ ଉଦ୍ୟୋଗୀ କରିବା ପାଇଁ ନାନୋ ୟୁନିକର୍ଣ୍ଣ ଯୋଜନା ଯୁବବର୍ଗଙ୍କ ମଧ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଉତ୍କର୍ଷ ଓଡ଼ିଶା ମେକ-ଇନ ଓଡ଼ିଶା କନକ୍ଲେଭ ଆଶାଠାରୁ ଅନେକ ଗୁଣରେ ସଫଳତା ପାଇଛି। ଏଥିରେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ସେଥିମଧ୍ୟରୁ ୧୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏବଂ ଏହାଦ୍ୱାରା ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି। ଆଜି ଉଦ୍‍ଘାଟିତ ବରୁଣ ବେଭରେଜ ପ୍ଲାଣ୍ଟରେ ବହୁସଂଖ୍ୟକ ଓଡ଼ିଆ ଯୁବକଙ୍କ ନିଯୁକ୍ତିକୁ ନେଇ ସେ ଖୁସିବ୍ୟକ୍ତ କରିଥିଲେ। ଶିଳ୍ପାଞ୍ଚଳରେ ଦିନ୍‍ ଦୟାଲ କର୍ମଚାରୀ ନିବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଉଛି। ଏମ୍ଏସ୍‌ଏମ୍‌ଇ କ୍ଷେତ୍ରରେ କାମ କରୁଥିବା ୧୫ରୁ ୨୦ ହଜାର ଶ୍ରମିକମାନଙ୍କ ପାଇଁ ୫ଟି ହଷ୍ଟେଲ କରାଯିବ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଶିଳ୍ପପତି ଓ ଶ୍ରମିକମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଶିଳ୍ପପତି, ଶ୍ରମିକ ଓ ସରକାର ଏହି ତିନି କ୍ଷେତ୍ର ମଧ୍ୟରେ ସମନ୍ୱୟ ରହିଲେ ପ୍ରଗତି ଆସିବ।
କାର୍ଯ୍ୟକ୍ରମରେ ଶିଳ୍ପ ତଥା ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ଉତ୍କର୍ଷ ଓଡ଼ିଶା ଆୟୋଜନର ୨ ମାସ ମଧ୍ୟରେ ଆଜି ଏଠାରେ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଏସବୁ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ସ୍ଥାନୀୟ ଯୁବଗୋଷ୍ଠୀ ଅଧିକ ନିଯୁକ୍ତି ପାଇବେ। ବରୁଣ ବେଭରେଜର ଏହି ପେପ୍‍ସି ପ୍ଲାଣ୍ଟ ପ୍ରତିଷ୍ଠା ଦ୍ୱାରା ଆଗାମୀ ଦିନରେ ଆହୁରି ଅନେକ ବେଭରେଜ କମ୍ପାନୀ ମଧ୍ୟ ଏଠାରେ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆସିବେ। କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ କହିଥିଲେ ଯେ, ଦଳମତ ନିର୍ବିଶେଷରେ ଏହି ବିକାଶ କାର୍ଯ୍ୟକୁ ଆମେ ସମସ୍ତେ ସହଯୋଗ କରିବା। ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ କହିଥିଲେ, ଖୋର୍ଦ୍ଧା ଜିଲାର ପ୍ରଗତିର ଧାରାକୁ ଏହି ଶିଳ୍ପାୟନ ଆହୁରି ତ୍ୱରାନ୍ୱିତ କରିବ। କାର୍ଯ୍ୟକ୍ରମରେ ଉପସ୍ଥିତ ଶିଳ୍ପପତିମାନେ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଯେଭଳି ସହଯୋଗ ମିଳୁଛି ତାହା ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେନାହିଁ ବୋଲି କହିଥିଲେ। ଶିଳ୍ପବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଓ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.