ବିଦ୍ୟୁତ ବିଲ ନଦେଇ ସଂଯୋଗ କାଟିବା ବିରୋଧରେ ରାସ୍ତା ରୋକ

0

ଖୁଣ୍ଟା : ଖୁଣ୍ଟା ବ୍ଲକ ବାସିପିଠା ଅଞ୍ଚଳର ବିପିଏଲ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟାଯାଇଛି। ବିଲ ନଦେଇ ବିଭାଗୀୟ ଅଧିକାରୀ ବିଲ ଅର୍ଥ ପୈଠ କରିନଥିବା କହି ସେମାନଙ୍କର ବିଦ୍ୟୁତ ସଂଯୋଗ କାଟିଥିବା ଜଣାପଡିଛି। ଏହାକୁ ବିରୋଧ କରି ଗୁରୁବାର ବହୁ ହିତାଧିକାରୀ ପୂର୍ବାହ୍ନରେ ବାସିପିଠା ନିକଟରେ ରାସ୍ତା ରୋକ କରିଥିଲେ। ଏଥିପାଇଁ ଉଦଳା-ବାରିପଦା ରାଜ୍ୟ ରାଜପଥ -୧୯ରେ ଗମନାଗମନ ଦୀର୍ଘ ଏକ ଘଣ୍ଟା ଧରି ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ସେହି ବାଟଦେଇ ନିର୍ବାଚନ କାର୍ଯ୍ୟରେ ଯାଉଥିବା ବାରିପଦା ଉପଜିଲାପାଳ ମଧ୍ୟ ରାସ୍ତାରୋକ ପାଇଁ ଅଟକି ଯାଇଥିଲେ। ଖୁଣ୍ଟା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବା ପରେ ରାସ୍ତା ରୋକ ହଟିଥିଲା। ଘଟଣାରୁ ପ୍ରକାଶଯେ ବର୍ଷକ ପୂର୍ବେ ବାସିପିଠା ଅଞ୍ଚଳରେ ବିପିଏଲ ବିଦ୍ୟୁତ ସଂଯୋଗ କରାଯାଇଥିବା ବେଳେ ସେମାନଙ୍କୁ ଅଦ୍ୟାବଧି ବିଦ୍ୟୁତ ବିଲ ପ୍ରଦାନ କରାଯାଇନାହିଁ ବୋଲି ଆନ୍ଦୋଳନ କାରୀ ମାନେ କହିଥିଲେ। ସେମାନେ ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ବିଲ କାଗଜ ପ୍ରଦାନ କରିବାକୁ କହିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ମାତ୍ର ପୂର୍ବ ସୂଚନା ନଥାଇ ବୁଧବାର ସେମାନଙ୍କ ସଂଯୋଗ କାଟି ଦିଆଯାଇଥିଲା। ଧାରଣାରେ ବସିଥିବା ଉପଭୋକ୍ତା ମାନେ ‘ବିଲ ଦିଅ ଟଙ୍କା ନିଅ’ ଲେଖା ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଖୁଣ୍ଟା ଆଇଆଇସି ନବକୃଷ୍ଣ ନାୟକ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗ ଶୁଣିବା ପରେ ନେସ୍କୋର ସ୍ଥାନୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଅଧାଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗର ପ୍ରତିଶୃତି ଦେବାରୁ ଆନ୍ଦୋଳନାକାରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା।

kalyan agarbati
Leave A Reply