ଡୁଢୁଆ ବାରୁଣୀ ମେଳା ; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମହାଦେବ ଦର୍ଶନ
ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ ଡୁଢେଶ୍ୱର ବାରୁଣୀ ମେଳା ମଙ୍ଗଳବାର ଆରମ୍ଭ ହୋଇଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାଦେବ ବାବା ଡୁଢେଶ୍ୱରଙ୍କୁ ଦର୍ଶନ କରିଥିଲେ। ବହୁ ବର୍ଷରୁ ବାରୁଣୀ ସ୍ନାନ ଯୋଗରେ ଡୁଢେଶ୍ୱର ଶୈବ ପୀଠରେ ବାରୁଣୀ ମେଳା ଆରମ୍ଭ ହୋଇଆସୁଥିବା ବେଳେ ଚଳିତ ବର୍ଷ ତିଥିକୁ ଦୃଷ୍ଟିରେ ରଖି ବାରୁଣୀ ମେଳା କମିଟି ପକ୍ଷରୁ ଦୁଇ ଦିନିଆ ବାରୁଣୀ ମେଳାର ଆୟୋଜନ କରାଯାଇଛି।
ସୂଚନା ଯୋଗ୍ୟ ମହାଦେବଙ୍କ ବାରୁଣୀ ପୀଠ ଗଙ୍ଗାହର ନଦୀର ପଥର ଶଯ୍ୟାରେ ଅବସ୍ଥିତ ହୋଇଥିବା ବେଳେ ଏକ ପଥର ଖୋଲ ମଧ୍ୟରେ ମହାଦେବ ବିରାଜିତ। ସାରା ବର୍ଷ ଗଙ୍ଗାହର ନଦୀର ଜଳ ପଥର ଖୋଲ ଉପରେ ପ୍ରବାହିତ ହେଉଥିବା ବେଳେ ପାଣି ଭିତରେ ଥାଇ ମହାଦେବ ପୂଜା ପାଇଥାନ୍ତି। କେବଳ ବାରୁଣୀ ସ୍ନାନ ଯୋଗରେ ନଈ ପାଣି ରୋକାଯାଇ ଉକ୍ତ ଖୋଲରୁ ପାଣି କଢାଯାଇଥାଏ ଓ ଶ୍ରଦ୍ଧାଳୁମାନେ ଡୁଢେଶ୍ୱରଙ୍କ ଦର୍ଶନ ପାଇଥାନ୍ତି। ଏଠାରେ ମହାଦେବ ପ୍ରକୃତି ଶମ୍ଭୁତ ହୋଇଥିବାରୁ ସେ ପ୍ରତ୍ୟକ୍ଷ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଆସିଛି। ସେହିପରି ମହାଦେବଙ୍କ ଆସ୍ଥାନ ଉପରକୁ ଆଦିବାସୀ ସମ୍ପ୍ରଦାୟ ନିଜର ପରମ୍ପରା ଅନୁଯାଇ ମହାଦେବଙ୍କ ପୂଜା ଅର୍ଚ୍ଚନା କରିଥିଲେ। କିମ୍ବଦନ୍ତୀ ଅନୁସାରେ ମେଳା ବୁଲିବାକୁ ଆସିଥିବା ଲୋକେ ନିକଟସ୍ଥ ଘଣ୍ଟଶିଳା ହୁଡିରେ ଥିବା ଭୀମଙ୍କ ଆଣ୍ଠୁ ମାଡ ଥିବା ପଥର ଓ ଅର୍ଜୁନଙ୍କ ଶରସନ୍ଧାନ ସମୟର ପାଦଚିହ୍ନ ଦର୍ଶନ କରିଥିଲେ। କିମ୍ବଦନ୍ତୀ ରହିଆସିଛି ଯେ ପାଣ୍ଡବମାନେ ଅଜ୍ଞାତବାସ କାଳରେ ଏହି ଠାରେ କିଛିଦିନର ରହଣି ସମୟରେ ମହାଦେବଙ୍କୁ ପୂଜା କରୁଥିଲେ।
ଗତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଅନୁଯାଇ ଚଳିତ ବର୍ଷ ଦୁଇଦିନିଆ ମେଳାର ଆୟୋଜନ କରାଯାଇଥିବା ବେଳେ ସପ୍ତାହ ବ୍ୟାପି ମୀନାବଜାର ବସିବ ବୋଲି ପୁନର୍ଗଠିତ ବାରୁଣୀ ମେଳା କମିଟିର ନୂତନ ସଭାପତି ଭରତ ଚନ୍ଦ୍ର ଖିଲାର ଓ ସମ୍ପାଦକ ରବିନ୍ଦ୍ର ହେମ୍ବ୍ରମ ପ୍ରକାଶ କରିଛନ୍ତି। ପ୍ରାତଃ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଜନସମାଗମ ଲାଗିରହିଥିବା ବେଳେ କମିଟିର ଅନ୍ୟ ସଦସ୍ୟମାନେ ଶ୍ରଦ୍ଧାଳୁମାନଙ୍କୁ ସହାୟତା କରିଥିଲେ। ଖୁଣ୍ଟା ପୁଲିସ ପକ୍ଷରୁ ଶିବିର ପକାଯାଇ ଆଇନ ଶୃଙ୍ଖଳା ରକ୍ଷା କରା ଯାଇଥିଲା। କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ର, ଖୁଣ୍ଟା ଆଇଆଇସି ନବକୃଷ୍ଣ ନାଏକ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ତେବେ ନିର୍ବାଚନରେ ଟିକଟ ପାଇଥିବା ବିଭିନ୍ନ ଦଳର ଆଶାୟୀ ମାନେ ନିଜର ସମର୍ଥକ ମାନଙ୍କ ସହିତ ମେଳାରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିଥିଲେ।
Comments are closed.