ଭିଭିନ୍ନ ସ୍ଥାନରେ ବେଆଇନ କୁକୁଡା ଲଢେଇ, ଟଳିପଡିଲେ ଶତାଧିକ କୁକୁଡା
ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନୂଆବର୍ଷରେ କୁକୁଡା ଲଢେଇ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ନୂଆବର୍ଷରେ ଲୋକେ ବଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବଣ ଭୋଜିରେ ନିଜକୁ ବ୍ୟସ୍ଥ ରଖିଥିବା ବେଳେ ଖୁଣ୍ଟା ବ୍ଲକର କେତେକ ପ୍ରମୁଖ ସ୍ଥାନରେ କୁକୁଡା ଲଢେଇର ଆୟୋଜନ କରାଯାଇଥିଲା। କୁକୁଡା ଲଢେଇକୁ ବେଆଇନ ଘୋଷଣା କରା ଯାଇଥିବା ବେଳେ ମଙ୍ଗଳବାର ଦିନ ଲଢେଇ ସ୍ଥଳରେ ସମାନ୍ତରାଳ ଭାବେ ଦେଶୀ ମହୁଲି ମଦ ବିକ୍ରି ଓ ଜୁଆଖେଳ ମଧ୍ୟ ଚାଲିଥିଲା। ବ୍ଲକର ଦୁବରାଜପୁର ଖେଳ ପଡିଆ ସମେତ, ଡୁକୁରା, ଅରିକୁଳ ପିକନିକ ସ୍ଥଳ ଓ ଅନ୍ୟନ୍ୟ ସ୍ଥାନରେ ମଙ୍ଗଳବାର କୁକୁଡା ଲଢେଇର ଆୟୋଜନ କରାଯାଇଥିଲା। ଏକଦା ବେତନଟୀ ଥାନା ଅନ୍ତର୍ଗତ ପ୍ରସିଦ୍ଧ ରାଗଧା କୁକୁଡା ଲଢେଇକୁ କେତେ ବର୍ଷ ପୂର୍ବେ ପ୍ରଶାସନ ଉଦ୍ୟମରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ତାର ପ୍ରଭାବ ପଡିଥିଲା। ଇଂରାଜୀ ନୂଆବର୍ଷରେ ଏହି ବିଭତ୍ସ ଲଢେଇରେ ଶତାଧିକ କୁକୁଡା ଟଳିପଡଛନ୍ତି। ପର୍ବପର୍ବାଣିର ଜିଲା ମୟୂରଭଞ୍ଜରେ ଆଗକୁ ମକର ପର୍ବ ଆସୁଥିବା ବେଳେ ବିଭିନ୍ନ ପଡାମାନଙ୍କରେ କୁକୁଡାଙ୍କ ଲଢେଇ କରାଯିବାକୁ ମୁଷ୍ଟିମେୟ ଲୋକେ ଏବେଠୁ ସଜବାଜ ହେଲେଣି। ଏହି ଲଢେଇରେ ହଜାର ହଜାର ଟଙ୍କା ବାଜି ଲଗାଯିବା ମାମୁଲି ଘଟଣା ହୋଇଥିବା ବେଳେ ପ୍ରଶାସନ ଏନେଇ ସଚେତନତା ସୃଷ୍ଟି ସହିତ କଡାକଡି ପଦକ୍ଷେପ ନନେଲେ ପୁନରାୟ କୁକୁଡା ଲଢେଇ ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି।