ବଜରଙ୍ଗ ପୁନିଆ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ମନୋନୀତ

ନୂଆଦିଲ୍ଲୀ : ତାରକା ପୁରୁଷ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଚଳିତବର୍ଷ ନିମନ୍ତେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଭାରତୀୟ କ୍ରୀଡ଼ା ଜଗତରେ ସର୍ବୋଚ୍ଚ ପୁରସ୍କାର ଭାବେ ରାଜୀବ ଗାନ୍ଧୀ ଖେଳରତ୍ନ ପରିଗଣିତ। ବିଭିନ୍ନ ଅନ୍ତର୍ଜାତୀୟ କୁସ୍ତି ଟୁର୍ଣ୍ଣାମେଣ୍ଟରେ ବଜରଙ୍ଗ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଅନେକ ପଦକ ଜିତି ଦେଶକୁ ଗୌରାବନ୍ବିତ କରିଥିବାରୁ ତାଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିବା କୁହାଯାଉଛି।

ସୂଚନାଥାଉକି, ଖେଳରତ୍ନ ପୁରସ୍କାର ନିମନ୍ତେ ବଜରଙ୍ଗଙ୍କ ବ୍ୟତୀତ ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍‌ଙ୍କ ନାମ ସୁପାରିସ କରିଥିଲା ଭାରତୀୟ କୁସ୍ତି ମହାସଂଘ। କିଛିଦିନ ତଳେ ବଜରଙ୍ଗ ବିଲିସି କୁସ୍ତି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବଜରଙ୍ଗ ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍‌ ବିଭାଗ ଫାଇନାଲରେ ଇରାନ୍‌ର ପେଇମାନ୍‌ ବିବ୍‌ଆନିଙ୍କୁ ପରାସ୍ତ କରିଥିଲେ। ୬୫ କେଜି ବିଭାଗରେ ବିଶ୍ବର ଏକନମ୍ବର ପୁରୁଷ ମଲ୍ଲଯୋଦ୍ଧା ବଜରଙ୍ଗ ଚୀନ୍‌ରେ ଆୟୋଜିତ ଏସିଆନ୍‌ କୁସ୍ତି ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡ଼ାରେ ବଜରଙ୍ଗ ସ୍ବର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ଏହାପୂର୍ବରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬୫ କେଜି ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଗତବର୍ଷ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ ​‌କ୍ରୀଡ଼ାବିତ୍‌ ଭାବେ ଚେସ୍‌ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ୍‌ ଆନନ୍ଦ ଖେଳରତ୍ନ ପୁରସ୍କାର ପାଇଥିଲେ।

Comments are closed.