BJD Bijuli 480×75 Mob

୩ଟା ରାତିରେ ଗହଳି ; କେଜିଏଫ୍‌-୨ ପ୍ରଦର୍ଶନ ଅନୁମତି ଦେଲା କିଏ ?

BJD Bijuli 480×75 Mob

ଭୁବନେଶ୍ବର : ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଅପେକ୍ଷା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଚାହିଦା ବଢ଼ିବାରେ ଲାଗିଛି। ସଦ୍ୟ ମୁକ୍ତିପ୍ରାପ୍ତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘କେଜିଏଫ୍‌-୨’ ଦେଖିବାକୁ ରାଜଧାନୀର ବିଭିନ୍ନ ପ୍ରେକ୍ଷାଳୟରେ ଭିଡ଼ ଜମୁଛି। ବୁଧବାର ରାତିରେ ଏହି ଚଳଚ୍ଚିତ୍ର ମୁକ୍ତଲାଭ କରିଥିବାବେଳେ ରାଜଧାନୀ‌େ‌ର ରାତି ୩ଟାରେ ପ୍ରେକ୍ଷାଳୟରେ ବସି ଚଳଚ୍ଚିତ୍ର ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା। ମହାରାଜା ପ୍ରେକ୍ଷାଳୟ ରାତି ପ୍ରାୟ ୩ଟାରେ ହାଉସ୍‌ଫୁଲ ହୋଇଥିଲା।
ରାଜଧାନୀର ଜନଜୀବନରେ ରାତି ପାହିବା ପର୍ଯ୍ୟନ୍ତ ଫିଲ୍ମ ଦେଖାର ସୁଯୋଗ ଏକ ନୂଆ ଘଟଣା। ବର୍ଦ୍ଧିତ ଅପରାଧକୁ ନେଇ ପୁଲିସ ନାକେଦମ ହେଉଥିବାବେଳେ ଏଭଳି ଏକ ସୁଯୋଗ ସୃଷ୍ଟି କାହା ସ୍ବାର୍ଥରେ। କାର୍ଯ୍ୟସ୍ଥଳରୁ ଫେରନ୍ତା ବାଟରେ ପୁଲିସର କଟକଣା ଓ ଯାଞ୍ଚ ଚାଲିଥିବାବେଳେ କମିଶନରେଟ୍‌ ପୁଲିସର ଏହି ନିଷ୍ପତ୍ତି ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି।
ସୂଚନା ମୁତାବକ ଦକ୍ଷିଣ ଭାରତୀୟ ଏହି ଚଳଚ୍ଚିତ୍ର ଦେଖିବାକୁ ବହୁ ପୂର୍ବରୁ ଦର୍ଶକ ଟିକଟ୍‌ ବୁକିଂ କରିଥିଲେ। ୨୦୧୮ରେ ଯେତେବେଳେ ‘କେଜିଏଫ୍’ର ପ୍ରଥମ ଭାଗ ଆସିଥିଲା ଏହାକୁ ଲୋକେ ଖୁବ୍ ପସନ୍ଦ କରିଥିଲେ। ସେବେଠାରୁ ‘କେଜିଏଫ୍ ୨’କୁ ଅପେକ୍ଷା କରିଥିଲେ। ଏବେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ରାଜ୍ୟରେ ପ୍ରଥମ ଥର କୌଣସି ଚଳଚ୍ଚିତ୍ରକୁ ଦର୍ଶକ ରାତି ୩ଟାରେ ଦେଖିଛନ୍ତି। ମହାରାଜା ପ୍ରେକ୍ଷାଳୟରେ ଗତକାଲି ରାତି ୨ଟା ୫୦ରେ ପ୍ରାୟ ୬୨୦ ଦର୍ଶକ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଅନ୍ୟ ରାଜ୍ୟରେ ମଧ୍ୟ ଏହି ଚଳଚ୍ଚିତ୍ର ବିଳମ୍ବିତ ରାତିରେ ମୁକ୍ତିଲାଭ କରିଥିବାବେଳେ ଦର୍ଶକ ପ୍ରଥମ ଦିନର ପ୍ରଥମ ଶୋ’ ଦେଖିଛନ୍ତି। ଯୁବବର୍ଗଙ୍କଠାରୁ ପ୍ରାପ୍ତ ବୟସ୍କ ବିଳମ୍ବିତ ରାତିରେ ଚଳଚ୍ଚିତ୍ରର ମଜା ନେଇଛନ୍ତି।
‘କେଜିଏଫ୍ ୨’ ମୁକ୍ତିଲାଭ ପରେ ଦର୍ଶକଙ୍କୁ ଟିକଟ୍‌ ମିଳୁ ନଥିବାବେଳେ ଅଗ୍ରୀମ ଭାବେ ବହୁ ପୂର୍ବରୁ ଆଗାମୀ ସପ୍ତାହକ ପାଇଁ ବୁକିଂ ହୋଇରହିଛି। ଦିନକୁ ବିଭିନ୍ନ ପ୍ରେକ୍ଷାଳୟରେ ୭ଟି ଶୋ’ ଚାଲୁଛି। ସବୁଠାରୁ ବଡ଼ କଥା ହେଲା ରାତି ୨ଟା ୫୦ରେ ଶୋଇବା ସମୟ ହୋଇଥିଲେ ମଧ୍ୟ ସିନେମା ଦେଖିବାକୁ ବୁକିଂ କରୁଛନ୍ତି ଦର୍ଶକ। ରାତି ୨ଟା୫୦ ପରେ ସକାଳ ୬ଟାରୁ ସିନେମା ଦେଖିବାକୁ ବିଭିନ୍ନ ପ୍ରେକ୍ଷାଳୟରେ ଭିଡ଼ ଜମୁଛି। ଏହି ଚଳଚ୍ଚିତ୍ରରେ ୟଶ ନାୟକ ଭୂମିକାରେ ଥିବାବେଳେ ନାୟିକା ଭୂମିକାରେ ଶ୍ରୀନିଧୀ ସେଠଙ୍କୁ ଦେଖିବାକୁ ମିଳୁଛି।

Comments are closed.