ବୋଲବାହାଲି ଧାନମଣ୍ଡି ପରିଦର୍ଶନ ଅବ୍ୟବସ୍ଥା ନେଇ ବିଜେପି କୃଷକ ମୋର୍ଚ୍ଚାର ଉଦବେଗ

କେଶଦୂରାପାଳ: ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କମିଟି ଆହ୍ଵାନକ୍ରମେ ଧାନମଣ୍ଡି ଚାଲ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟ ସଭାପତି ମହେଶ୍ଵର ସାହୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବୋଲବାହାଳି ଧାନମଣ୍ଡି ପରିଦର୍ଶନ କରିବା ସହିତ ଧାନମଣ୍ଡିରେ ଉପସ୍ଥିତ ଚାଷୀମାନଙ୍କ ସହିତ ଧାନ କିଣା କାରବାର ବିଷୟରେ ପଚାରି ବୁଝିଥିଲେ। ବେଲବାହାଲି ଧାନମଣ୍ଡି ସୋମବାର, ବୁଧବାର ଓ ଶନିବାର ଖୋଲିବା ପାଇଁ ସରକାରୀ ଭାବେ ଘୋଷଣା ହୋଇଥିଲେ ମଧ୍ୟ ସୋମବାର ଦିନ ଧାନମଣ୍ଡି ବନ୍ଦ ରହିଥିଲା। ଧାନମଣ୍ଡିରେ କ୍ବିଣ୍ଟାଲ ପ୍ରତି ୫ କିଲୋରୁ ୭ କିଲୋ ପର୍ଯ୍ୟନ୍ତ ଧାନ କଟନି ଛଟନି କରାଯାଉଥିବା ସହ ଚାଷୀମାନଙ୍କୁ ବସ୍ତା ଦିଆଯାଉ ନ ଥିବା ମଧ୍ୟ ଚାଷୀମାନେ ଅଭିଯୋଗ କରିଥିଲେ। ବେଲବାହାଲି ଧାନମଣ୍ଡିରେ ଚାଷୀମାନେ ବିଶ୍ରାମ ନେବାପାଇଁ ବିଶ୍ରାମ ଗୃହ ନଥିବା, ସ୍ଵଚ୍ଛ ପାଣି ପିଇବା ପାଇଁ ନଥିବା, ଶୌଚ ହେବା ପାଇଁ ପାଇଖାନା ନଥିବା, ଚାଷୀମାନେ ମଣ୍ଡିକୁ ଆଣୁଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଗୋଦାମ ଘର ଓ ପକାପିଣ୍ଡି ନଥିବା ଦେଖିବାକୁ ମିଳିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ଧାନମଣ୍ଡିମାନଙ୍କର ବ୍ୟାପକ ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ନିଷ୍କ୍ରିୟତା ଓ ଚାଷୀ ବିରୋଧୀ ମନୋଭାବ ଯୋଗୁଁ ଏସବୁ ଅର୍ଥକୁ ବାଟମାରଣା କରାଯାଉଛି ବୋଲି ରାଜ୍ୟ ସଭାପତି ମହେଶ୍ଵର ସାହୁ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଧାନର ଅଭାବୀ ବିକ୍ରି ଓ କଟନି ଛଟନିକୁ ବନ୍ଦ କରିବା ସହିତ ଚାଷୀମାନଙ୍କୁ ବସ୍ତା ପଇସା ଦେବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଦାବୀ କରିଛନ୍ତି। ନହେଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚରମବାଣୀ ଶୁଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ କୁମାର ସେଠୀ, ଜିଲ୍ଳା ପରିଷଦ ସଦସ୍ୟା ଅସିମା ମିଶ୍ର, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଂପାଦକ ହେମନ୍ତ କୁମାର ମଲ୍ଲିକ, ମଣ୍ଡଳ ସଭାପତି ଅନାଦୀ ଚରଣ ସାହୁ, ବିରବର ସାହୁ, ପ୍ରାଣବନ୍ଧୁ ସାହୁ, ବିଶୂମୂର ଦାସ, ସରପଞ୍ଚ ଦୀପ୍ତି ସାହୁ, ଦୀପ୍ତି ଖୁଣ୍ଟିଆ, ପ୍ରଦୀପ କୁମାର ସାହୁ, ଉଦ୍ଧବ ଓଝା, ସଞ୍ଚୟ ବାରିକ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Comments are closed.