ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ କଲେ ଗଣଆତ୍ମହତ୍ୟା କରିବାକୁ ଧମକ
ନୂଆଦିଲ୍ଲୀ : କେରଳର ପୁରାତନ ସାବରିମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ଅଧିକାର ଥିବା ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏବେ ରାଜ୍ୟ ଶିବସେନା ପକ୍ଷରୁ ଖୋଲାଖୋଲି ବିରୋଧ କରାଯାଇଛି। ଏହି ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳା ପ୍ରବେଶ କଲେ ଗଣଆତ୍ମହତ୍ୟା କରାଯିବ ବୋଲି ଦଳ ପକ୍ଷରୁ ଶନିବାର ଧମକ ଦିଆଯାଇଛି। ଦଳର ମହିଳା କର୍ମୀମାନେ ଅକ୍ଟୋବର ୧୭ ଓ ୧୮ରେ ପାମ୍ବା ନଦୀଠାରେ ଉପସ୍ଥିତ ରହିବେ। ଯଦି କୌଣସି ଯୁବତୀ ଅଥବା ମହିଳା ମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ କରନ୍ତି ତା’ହେଲେ ଏହି କର୍ମୀମାନେ ଗଣ ଆତ୍ମହତ୍ୟା କରିବେ ବୋଲି ଶିବସେନା ନେତା ପେରିଙ୍ଗାମାଲା ଆଜି କହିଛନ୍ତି। ଉଲ୍ଲେଖ ଯେ, ସେପ୍ଟେମ୍ବର ୨୮ରେ ସର୍ବୋଚ୍ଚ ଅଦାଲତ ୪-୧ ମତାଧିକ୍ୟ ଭିତ୍ତିରେ ସାବରିମାଳା ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କର ପ୍ରବେଶ ଅଧିକାର ଥିବା ରାୟ ଦେଇଥିଲେ। ସାବରିମାଳାର ଆରାଧ୍ୟ ଆୟପ୍ପା ବ୍ରହ୍ମଚାରୀ ହୋଇଥିବାରୁ ତାଙ୍କ ଭକ୍ତମାନଙ୍କ ସମେତ ଶିବସେନା ମଧ୍ୟ ସୁପ୍ରିମକୋର୍ଟ ରାୟକୁ ବିରୋଧ କରିଆସୁଛନ୍ତି।