ସମାଧାନ ହେଉନି ରାସ୍ତା ଓ ପାନୀୟ ଜଳ ସମସ୍ୟା, ଜଳଡିହିବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

କେନ୍ଦୁଝରଗଡ଼: ଗାଁକୁ ପକ୍କା ରାସ୍ତା ନିର୍ମାଣ,ପାନୀୟଜଳ ଯୋଗାଣ ଓ ଜଳଡିହି ଗ୍ରାମକୁ ଉପରରାଇଗୋଡା ପଞ୍ଚାୟତ ଅଧିନରେ ସାମିଲ ଦାବିରେ ବାଂଶପାଳ ବ୍ଲକ ଉପରରାଇଗୋଡା ପଞ୍ଚାୟତ ଜଳଡିହି ଗ୍ରାମବାସୀ ଆସନ୍ତା ୨୫ ତାରିଖ ହେବାକୁଥିବା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉପରୋକ୍ତ ମର୍ମରେ ଜଳଡିହି ଗ୍ରାମର ଅଜୟ ମନ୍ତ୍ରୀ, ବାସୁଦେବ ମନ୍ତ୍ରୀ, ସବିତା ଘଣ୍ଟିଆଳି ଓ ଲବଙ୍ଗ ନାଏକ ପ୍ରମୁଖ ମଙ୍ଗଳବାର ଜିଲାପାଳଙ୍କୁ ଭେଟି ଉପରୋକ୍ତ ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ମୌଳିକ ସୁବିଧାରୁ ବଞ୍ଚିତ ଜଳଡିହି ଗ୍ରାମବାସୀ ଆସନ୍ତା ୨୫ ତାରିଖ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଲିଖିତ ଭାବେ ଅବଗତ କରିଛନ୍ତି।

prayash

ଗ୍ରାମରେ ୩୦୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ମାତ୍ର ଦୁଇଟି ନଳକୂପ ଗ୍ରୀଷ୍ମଋତୁରେ ଶୋଷ ମେଣ୍ଟାଇ ପାରୁନାହିଁ ବୋଲି ଅଜୟ ମନ୍ତ୍ରୀ ଅଭିଯୋଗ କରିଛନ୍ତି। ସେହିଭଳି ରାଇଗୋଡା ଠାରୁ ଜଳଡିହି, ଜଳଡିହି ଠାରୁ ଦୁଧପଶି ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏବଂ ଜଳଡିହି ଠାରୁ ମୁଣ୍ଡା ସାହି ଓ ମୁଣ୍ଡାସାହି ଠାରୁ ଛଡାବିଲ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ଦାବି କରିଛନ୍ତି। ସବୁଠାରୁ ବଡ ସମସ୍ୟା ଜଳଡିହି ଗ୍ରାମ ଉପରରାଇଗୋଡା ପଞ୍ଚାୟତ ଅଧିନରେ ଥିବା ସହ ଉକ୍ତ ପଞ୍ଚାୟତରୁ ରାସନ ସାମଗ୍ରୀ ଗ୍ରାମବାସୀ ପାଇ ଆସୁଥିବା ବେଳେ ଜଳଡିହି ଗ୍ରାମ ଉପରରାଇଗୋଡା ପଞ୍ଚାୟତ ପରିବର୍ତ୍ତେ ନିକଟସ୍ଥ ତଳକଇଁସାରୀ ପଞ୍ଚାୟତରେ ସରକାରୀ କାଗଜପତ୍ରରେ ଦର୍ଶାଯାଉଥିବାରୁ ଗ୍ରାମବାସୀ ଆବାସ ଯୋଜନା, ବିଭିନ୍ନ ଯୋଜନାରେ ମିଳୁଥିବା ଭତ୍ତା ସମେତ କେବଳ ରାସନକୁ ବାଦ୍‌‌ ଦେଲେ ସରକାରଙ୍କ ଅନ୍ୟ ସମସ୍ତ ଯୋଜନାରୁ ବଞ୍ଚିତ ହୋଇ ଆସୁଥିବାରୁ ଜଳଡିହି ଗ୍ରାମକୁ ତୁରନ୍ତ ଉପରରାଇଗୋଡା ପଞ୍ଚାୟତରେ ସ୍ଥାନୀତ କରିବାକୁ ମଙ୍ଗଳବାର ଜିଲାପାଳଙ୍କୁ ଭେଟି ଏହି ଦାବି କରିଛନ୍ତି।

Comments are closed.