ରଥଯାତ୍ରା ସମୟରେ ଅଘୋଷିତ ବିଦ୍ୟୁତ୍‍ କାଟ, ଟିପିଏନଓଡିଏଲ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରିଲେ ପୁରୁଣାବଜାରବାସୀ

କେନ୍ଦୁଝରଗଡ: କେନ୍ଦୁଝରର ପ୍ରମୁଖ ପର୍ବ ରଥଯାତ୍ରା ସମୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‍କାଟ ପ୍ରତିବାଦରେ ରବିବାର ପୂର୍ବାହ୍ନରେ ପୁରୁଣାବଜାରର ବହୁ ବୁଦ୍ଧିଜିବୀ ଟିପିଏନଓଡିଏଲ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରାଉ କରିଛନ୍ତି। ମରାମତି ଓ ହାତୀ ଚଳପ୍ରଚଳ ଆଳ ଦେଖାଇ ବର୍ଷତମାମ ପୁରୁଣାବଜାରରେ ଅଘୋଷିତ ବିଦ୍ୟୁତ୍‍କାଟ ଅଞ୍ଚଳବାସୀଙ୍କୁ ଯେତିକି ବ୍ୟଥିତ ନକରିଛି, ରଥଯାତ୍ରା ସମୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‍କାଟ ଉପଭୋକ୍ତା ଓ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ସେତିକି ନିରାଶ କରିଥିବା ପ୍ରତିବାଦରେ ରବିବାର ପୁରୁଣାବଜାରବାସୀ ବାଧ୍ୟ ହୋଇ ବିଭାଗୀୟ ଅଧିକାରୀଙ୍କୁ ଘେରିଥିବା କାଉନସିଲର ଶରତ କୁମାର ସାହୁ ଓ ନିହାର ଦାସ କ୍ଷୋଭର ସହ ଏହା କହିଛନ୍ତି। କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ୧୦ଦିନବ୍ୟାପୀ ଅନୁଷ୍ଠିତ ହେବାକୁଥିବା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ଯଥେଷ୍ଟ ସମୟ ପୂର୍ବରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗକୁ କାର୍ଯ୍ୟାଦେଶ ହୋଇଥିଲା। ଜିଲାର ଏହି ପ୍ରସିଦ୍ଧ ରଥଯାତ୍ରାରେ ରଥାଋଢ଼ ତିନିଠାକୁରଙ୍କୁ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ ନିମନ୍ତେ ଜିଲାର କୋଣ ଅନୁକୋଣରୁ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ପୁରୁଣାବଜାରରେ ଏହି ସମୟରେ ବିଶେଷକରି ପାନୀୟଜଳ, ପରିମଳ ଓ ବିଦ୍ୟୁତ୍‍ ଯୋଗାଣରେ ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହାକୁ ଆଖିଆଗରେ ରଖି ପୁରୁଣାବଜାରସ୍ଥିତ ବଡଦାଣ୍ଡରେ ୧୦ଦିନପାଇଁ ଉଜ୍ୱଳ ଆଲୋକୀକରଣ ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ରଥଯାତ୍ରା ଆରମ୍ଭ ଢ଼େର ଦିନ ପୂର୍ବରୁ ଦିନରାତି ବଦ୍ୟୁତ୍‍ କାଟ କରାଯାଇ କାର୍ଯ୍ୟ ଜାରି ରହିଥିଲେ ହେଁ ଏହା କେବଳ ଲୋକଦେଖାଣିଆ ହୋଇ ରହିଥିବା ସ୍ଥାନୀୟ କାଉନସିଲର ଶରତ କୁମାର ସାହୁ ଓ ନିହାର ଦାସ ଅତ୍ୟନ୍ତ କ୍ଷୋଭର ସହ ଏହା କହିଛନ୍ତି। ବଡଦାଣ୍ଡରେ ରଥଯାତ୍ରା ସମୟରେ ଉଜ୍ୱଳ ଆଲୋକୀକରଣ ପାଇଁ ପ୍ରସ୍ତୁତି ବୈଠକରେ ଜିଲାପାଳ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ତ ଦୂରର କଥା ରଥଯାତ୍ରା ସମୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‍ କାଟ ଶୃଙ୍ଖଳିତ ରଥାଯାତ୍ରା ନେଇ ସନ୍ଦେହ ସୃଷ୍ଟି କରିଛି ବୋଲି ବରିଷ୍ଠ ନାଗରିକ ନବ କିଶୋର ଦାସ ଅଭିଯୋଗ କରିଛନ୍ତି। ଆଗକୁ ବାହୁଡା ଯାତ୍ରା ଓ ସୁନାବେଶ ସହ ରଥାଯାତ୍ରା ଉପଲକ୍ଷେ ବଡଦାଣ୍ଡରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଥିବାରୁ ଉଜ୍ୱଳ ଆଲୋକୀକରଣ ବ୍ୟବସ୍ଥାରେ ସୁଧାର ଆଣିବା ସହ ଅଘୋଷିତ ବିଦ୍ୟୁତ୍‍ କାଟ୍‍ ବନ୍ଦ କରାନଗଲେ ଏଥିପାଇଁ ଉତ୍ପନ୍ନ ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଦେବୁ ପଟ୍ଟନାୟକ, ଗୋପୀନାଥ ରାମ ଓ ସୁରେଶ ଦାଶ ସତର୍କ କରାଇ ଦେଇଛନ୍ତି। ଆଗାମୀ ସୁନାବେଶ ପର୍ଯ୍ୟନ୍ତ ନିରବଛିନ୍ନ ବିଦ୍ୟୁତ୍‍ ଯୋଗାଣ କରାଯିବା ସହ ଜୁଡିଆଘାଟିରୁ ପୁରୁଣାବଜାରକୁ କେବୁଲ ଯୋଗେ ବିଦ୍ୟୁତ୍‍ ଯୋଗାଣ କାର୍ଯ୍ୟ ଶିର୍ଘ ଶେଷ ହେବାପରେ ବିଦ୍ୟୁତକାଟ୍‍ ହେବନାହିଁ ବୋଲି ଟିପିଏନଓଡିଏଲ ଅଧିକ୍ଷଣ ଯନ୍ତ୍ରୀ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେବାପରେ ଘେରାଉରୁ ନିବୃତ୍ତ ରହିଥିଲେ।

kalyan agarbati

Comments are closed.