ତାରିଣୀ ଦର୍ଶନ ନୋହିଲା:ଦୁର୍ଘଟଣାରେ ୮ ତୀର୍ଥଯାତ୍ରୀ ମୃତ,୧୨ ଗୁରୁତର

ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଲେ ଜିଲାପାଳ

କେନ୍ଦୁଝରଗଡ: ଟାଟା ୱିଙ୍ଗର ଯୋଗେ ଗଞ୍ଜାମ ଜିଲା ପାଟପୁର ଥାନା ପୁଡାମାରୀ ବତାଗଡରୁ ମା’ ତାରିଣୀଙ୍କ ଦର୍ଶନ ନିମନ୍ତେ କେନ୍ଦୁଝର ଜିଲା ଘଟଗାଁ ଅଭିମୁଖେ ଗୁରୁବାର ରାତିରୁ ବାହାରିଥିବା ଦର୍ଶନାର୍ଥୀ ଘଟଗାଁ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ୮ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଗାଁ ପହଞ୍ଚିବାକୁ ଆଉ ମାତ୍ର ଅଳ୍ପ ରାସ୍ତା ବାକିଥିବା ବେଳେ ୨୦ନଂ ଜାତୀୟ ରାଜପଥ ବାଲିଯୋଡି ନିକଟରେ ରାସ୍ତା ପାଶ୍ୱର୍ରେ ଅଟକି ରହିଥିବା ଏକ ଟ୍ରକ ପଛପଟେ ତାରିଣୀ ଦର୍ଶନାର୍ଥୀଙ୍କୁ ନେଇ ଆସୁଥିବା ୱିଙ୍ଗର ଯାନ ଭୋର ପ୍ରାୟ ସାଢ଼େ ୩ରୁ ୪ଟା ମଧ୍ୟରେ ଧକ୍କା ଦେବାକୁ ଘଣାସ୍ଥଳରେ ୭ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଚିକିତ୍ସାଳୟରେ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଚାଳକ ଫେରାର ଥିବାବେଳେ ଗୁରୁତର ଆହତ ୧୧ଜଣଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଆହତ ରଞ୍ଜିତା ଗୌଡ, ମାମା ଗୌଡ, କ୍ରୀଷ୍ଣା ଗୌଡ, ସନ୍ତୋଷିନୀ ଗୌଡ, ହରିଓମ୍‍ ଗୌଡ, କୁନା ଗୌଡ, ଝୁମୁରି ଗୌଡ, ସ୍ୱରାଜ ଗୌଡ, ଶାଳିନୀ ଗୌଡ, ବାସନ୍ତୀ ଗୌଡ ଓ ଚିନ୍ମୟ ଗୌଡଙ୍କୁ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସେହିଭଳି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ମିତା ପ୍ରଧାନ, ଆକାଶ ପ୍ରଧାନ, ବାବୁଲା ଗୌଡ, ମଦନ ଗୌଡ, ବାୟାଧନ ଗୌଡ, ପଦ୍ମୀନି ଗୌଡ, ଲିଳା ଗୌଡ ଓ ରୁଦ୍ର ଗୌଡ ବୋଲି ଜଣାପଡିଛି। ମୃତକଙ୍କ ଶବକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପରେ ଅପରାହ୍ନ ୪ଟାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣାରେ ଆହତଙ୍କୁ କିଭଳି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତ୍ୱରିତ୍‍ ଚିକିତ୍ସା ସହାୟତା ଯୋଗାଇ ଦେବାସହ ସଙ୍କଟାପନ୍ନଙ୍କୁ କିଭଳି କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇ ଆଶୁ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ଖୋଦ୍‍ ଜିଲାପାଳ ଆଶିଷ ଠାକରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦାରଖ କରିଥିଲେ।

ଏଥିସହ ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା ସହ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଏହି ଦୁର୍ଘଟଣା ସମଗ୍ର ରାଜ୍ୟରେ ଶୋକରଛାୟା ଖେଳାଇ ଦେଇଛି। ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲା ପାଟପୁର ଥାନା ପୁଡାମାରୀ ଅଞ୍ଚଳର ବତାଗଡ ଗ୍ରାମର ପରିବାର ସମେତ ପାଳଧାଡି, ଡୁଳବ ଓ ଦେଓଖାଳି ଅଞ୍ଚଳର ସମୁଦାୟ ୪ଟି ପରିବାରର ୨୦ଜଣ ଘଟଗାଁ ମା’ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଶୁକ୍ରବାର ଗୋର ପ୍ରାୟ ୪ଟାରେ ଦୁର୍ଘଟଣାର ଶୀକାର ହୋଇଥିଲେ।

Comments are closed.