www.samajalive.in
Monday, December 15, 2025
24.1 C
Bhubaneswar

ଆଖିରେ ମୋତିଆବିନ୍ଦୁ ଯୋଗୁଁ ମିଳୁନି ଆଧାରକାର୍ଡ଼: କାଖରେ କଟିଲାଣି ୧୪ବର୍ଷ, ଅର୍ଥାଭାବରୁ ହୋଇପାରୁନି ଭିନ୍ନକ୍ଷମ ବାଳିକାର ଚିକିତ୍ସା

କେନ୍ଦୁଝର: ଧୂଳିଖେଳ ବୟସରେ ଅସହ୍ୟ କଷ୍ଟ ଭୋଗିବାକୁ ପଡ଼ୁଛି ନାବାଳିକା ବେବିନାଙ୍କୁ। ଖଟରେ ପଡ଼ିରହି ସମୟ ବିତାଇବା ବ୍ୟତୀତ ଅନ୍ୟ କିଛି ପନ୍ଥା ନାହିଁ। ଏପରିକି ନିଜର ନିତ୍ୟକର୍ମ ସାରିବାକୁ ଅକ୍ଷମ ଥିବା ବେବିନା ଇତିମଧ୍ୟରେ ତା’ ମାଆଙ୍କ କାଖରେ ୧୪ ବର୍ଷ କାଟିସାରିଲାଣି। ଏଥିପାଇଁ ଉଭୟ ପିତାମାତା ଚିନ୍ତିତ ହୋଇପଡ଼ିଲେଣି। ତେବେ ବେବିନାଙ୍କ ଚିକିତ୍ସା ପାଇଁ ଉଚ୍ଚ ଅଙ୍କର ଅର୍ଥ ଆବଶ୍ୟକତା ଥିବାବେଳେ ସରକାରୀ କଳ ଘଟଣା ସମ୍ପର୍କରେ ଜାଣି ନଜାଣିବା ଭଳି ଅଭିନୟ କରୁଛି। ଫଳରେ ଏଭଳି ସ୍ଥିତିରେ ଅତ୍ୟନ୍ତ ଅସହାୟ ହୋଇପଡ଼ିଛନ୍ତି ସଦର ବ୍ଲକ ଅନ୍ତର୍ଗତ ଶଙ୍କରପୁର ନିକଟବର୍ତ୍ତୀ ମହାନ୍ତ ସାହିରେ ରହୁଥିବା ବିକଳାଙ୍ଗ ବେବିନା ମହାନ୍ତଙ୍କ ବିପିଏଲ ତାଲିକାଭୁକ୍ତ ପିତା ରୋହିତଚନ୍ଦ୍ର ମହାନ୍ତ ଓ ମାତା ପ୍ରମିଳା ମହାନ୍ତ।

ଜନ୍ମରୁ ବେବିନା ଦେଖିପାରୁ ନଥିବାବେଳେ କିଛି ମଧ୍ୟ କହିପାରୁନି। ଏଭଳି ଅବସ୍ଥା ଜଣାପଡ଼ିବା ପରେ ରୋହିତ ନିକଟବର୍ତ୍ତୀ ହସପିଟାଲରେ ତାଙ୍କୁ ଦେଖାଇଥିଲେ ହେଁ ଘଟଣାର କିଛି ସମାଧାନ ହୋଇପାରି ନଥିଲା। ଚାଷବାସ କରି ପରିବାର ଚଳାଉଥିବା ରୋହିତ ଗୁରୁତର ଆର୍ଥିକ ପରିସ୍ଥିତି ଦେଇ ଗତିକରୁଥିବାବେଳେ ବେବିନାଙ୍କ ଚିକିତ୍ସା ପାଇଁ ଏକଦା କଟକ ବଡ଼ ଡ଼ାକ୍ତରଖାନା ଆସି ଡ଼ାକ୍ତରଙ୍କ କଥା ଶୁଣିବା ପରେ ବିଚଳିତ ହୋଇପଡ଼ିଥିଲେ। ବେବିନାଙ୍କ ଚିକିିତ୍ସା ପାଇଁ ଉଚ୍ଚ ଅଙ୍କର ଅର୍ଥ ଆବଶ୍ୟକତା ଥିବାରୁ ରୋହିତ ଏହା ଯୋଗାଡ଼ କରିବା ଲାଗି ନିଜର ଅକ୍ଷମତା ପ୍ରକାଶ କରି ଭାଗ୍ୟକୁ ଆଦରି ଘରେ ପଡ଼ିରହିଛନ୍ତି। ଏହାଛଡ଼ା ଏହି ଦିବ୍ୟାଙ୍ଗ ବାଳିକା ପାଇଁ ଖାଦ୍ୟ ଯୋଗାଡ଼ କରିବା କଷ୍ଟସାଧ୍ୟ ହୋଇଛି ଉଭୟ ପିତାମାତାଙ୍କୁ। କେବଳ କିଛି ପରିମାଣର କ୍ଷୀର ଏବଂ ବିସ୍କୁଟ ଏହି ବାଳିକାର ଖାଦ୍ୟ ହୋଇଛି। ଏହି ଘଟଣା ସଂକ୍ରାନ୍ତରେ ବ୍ଳକ ପ୍ରଶାସନକୁ ବାରମ୍ବାର ଅବଗତ କରାଯିବା ପରେ ୨୦୧୧ ମସିହାରୁ ଉକ୍ତ ବାଳିକାକୁ ମାତ୍ର ୨ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ଅବଶ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ବୃଦ୍ଧି ପାଇ ୭ଶହ ଟଙ୍କାରେ ପହଞ୍ଚିଥିବାବେଳେ ଏବେ ଆଧାର କାର୍ଡ଼ ନଥିବାରୁ ତାଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଉନି। ଫଳରେ ବେବିନା ପାଇଁ ଖାଦ୍ୟ ଯୋଗାଡ଼ କରିବାରେ ତାଙ୍କୁ ସମସ୍ୟା ଭୋଗିବାକୁ ପଡ଼ୁଛି। ଅନ୍ୟପକ୍ଷରେ ରୋହିତ ବିପିଏଲ ତାଲିକା ଭୁକ୍ତ ହୋଇଥିଲେ ହେଁ ତାଙ୍କୁ ଆଗରୁ ମାତ୍ର ୧୦ କିଲୋ ଚାଉଳ ଦିଆଯାଉଥିଲେ ହେଁ ବର୍ତ୍ତମାନ କରୋନା ଆଳରେ ତାଙ୍କୁ ଏହି ଚାଉଳ ପ୍ରଦାନ କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି। ଏହାଛଡ଼ା ଆଗରୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ବନ୍ଦ କରାଯିବାର କାରଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ଉକ୍ତ ବାଳିକାର ଆଧାର କାର୍ଡ଼ ନଥିବାରୁ ଆର୍ଥିକ ସହାୟତା ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବେବିନାର ଆଖିରେ ମୋତିଆବିନ୍ଦୁ ଥିବାରୁ ତାଙ୍କର କୌଣସି ପରିସ୍ଥିତିରେ ଆଧାର କାର୍ଡ଼ ହୋଇପାରିବ ନାହିଁ ବୋଲି ଆଧାର କାର୍ଡ଼ ପ୍ରସ୍ତୁତି ଦାୟିତ୍ୱରେ ଥିବା ଅଧିକାରୀ ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ଗୁରୁତର ଆର୍ଥିକ ସମସ୍ୟା ଯୋଗୁଁ ବେବିନାର ଉଚ୍ଚ ଚିକିତ୍ସାରେ ଡ଼ୋରି ବନ୍ଧା ଯାଇଥିବାରୁ ତୁରନ୍ତ ଏଥିପ୍ରତି ଜିଲାପାଳ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଯଦି କୌଣସି ସହୃଦୟ ବ୍ୟକ୍ତି ବେବିନାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବାକୁ ଚାହାଁନ୍ତି, ତେବେ ମୋବାଇଲ ନଂ-୮୨୪୯୬୬୭୧୦୮ରେ ଯୋଗାଯୋଗ କରିପାରିବେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories