କେଜରିୱାଲଙ୍କୁ ଶିବସେନାର ସମର୍ଥନ
ନୂଆଦିଲ୍ଲୀ : ଆଇଏଏସ୍ମାନଙ୍କ ଧର୍ମଘଟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବିଜେପି ଉପରେ ଅସନ୍ତୁଷ୍ଟ ଶିବସେନା ସମର୍ଥନ କରିଛି। କେଜରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦ୍ମୀ ପାର୍ଟି (ଆପ୍) ଏକ ନିର୍ବାଚିତ ସରକାର ଗଠନ କରିଛି। ଏଣୁ ଦିଲ୍ଲୀର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କର କାର୍ଯ୍ୟ କରିବାର ଅଧିକାର ରହିଛି। ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅଭିଯାନ ଅସାଧାରଣ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ କହିଛନ୍ତି। ଏକ ସପ୍ତାହ ପୂର୍ବେ ଏହି ପ୍ରସଙ୍ଗରେ କେଜରିୱାଲଙ୍କ ସହ ଆଲୋଚନାବେଳେ ଉଦ୍ଧବ ଏହା କହିଥିଲେ ବୋଲି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ୍ ପ୍ରକାଶ କରିଛନ୍ତି। କେଜରିୱାଲ ଏବଂ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଯାହା ଘଟିଯାଇଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ରାଉତ୍ ଦର୍ଶାଇଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ଶିବସେନା ବିଜେପି ସହିତ ମେଣ୍ଟ ଉଚ୍ଛେଦ ସମ୍ବନ୍ଧରେ ବିଧିବଦ୍ଧ ଭାବେ ଘୋଷଣା କରି ନ ଥିଲେ ମଧ୍ୟ ବିରୋଧୀ ଦଳକୁ ଏଭଳି ଖୋଲାଖୋଲି ସମର୍ଥନ କରିବା ଘଟଣାରୁ ମେଣ୍ଟଭଙ୍ଗ ଆଶଙ୍କାକୁ ସମ୍ପୂର୍ଣ୍ଣ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ସଙ୍କେତ ମିଳୁଛି। ସେହିଭଳି ବିଜେପିକୁ ସବୁବେଳେ ସମାଲୋଚନା କରିଆସୁଥିବା ଦଳୀୟ ନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ କେଜରିୱାଲଙ୍କୁ ସମର୍ଥନ କରିଛନ୍ତି। କେଜରିୱାଲ ଜଣେ ରାଷ୍ଟ୍ରକର୍ମୀ ଭଳି କାର୍ଯ୍ୟ କରିଛନ୍ତି ବୋଲି ଦର୍ଶାଇ ଆଇଏଏସ୍ଙ୍କ ଧର୍ମଘଟ ଦାବିରେ କେଜରିୱାଲଙ୍କ ଅନଶନକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିରେ ହସ୍ତକ୍ଷେପ କରିବାକୁ ଶତ୍ରୁଘ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟର୍ ମାଧ୍ୟମରେ ନିବେଦନ କରିଛନ୍ତି। ଗୋଆ, ମଣିପୁର, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ଗଣତନ୍ତ୍ର ପ୍ରତି ବିପଦ ଆସିଥିବା ବେଳେ ଆପ୍ ହିଁ ପ୍ରଥମେ ସ୍ୱର ଉଠାଇଥିଲା। କିନ୍ତୁ ଦିଲ୍ଲୀରେ ଗଣତନ୍ତ୍ରର ହତ୍ୟା ହେଉଥିବା ସମୟରେ କଂଗ୍ରେସ କାହିଁକି ନିରବ ରହିଛି ବୋଲି ଆପ୍ ନେତା ସଞ୍ଜୟ ସିଂହ ପ୍ରଶ୍ନ କରିଛନ୍ତି।