ଫେସ୍‍ବୁକ୍‍, ଗୁଗୁଲ୍‍, ଟ୍ୱିଟର, ୟୁଟ୍ୟୁବ୍‍କୁ କୋର୍ଟ ନୋଟିସ୍‍

0

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କାଠୁଆର ଆଠ ବର୍ଷର କନ୍ୟାକୁ ବଳାତ୍କାର ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ଫଟୋ ସାର୍ବଜନୀନ କରିଥିବା ଅଭିଯୋଗରେ ଫେସ୍‍ବୁକ୍‍, ଗୁଗୁଲ୍‍, ଟ୍ୱିଟର ଓ ୟୁଟ୍ୟୁବକୁ ଦିଲ୍ଲୀ ହାଇକୋର୍ଟ ନୋଟିସ୍‍ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟବିଚାରପତି ଗୀତା ମିତ୍ତଲ ଓ ଜଷ୍ଟିସ୍‍ ହରି ଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପୀଡ଼ିତାଙ୍କ ଫଟୋ ପ୍ରଘଟ ଆଇନତଃ ଗର୍ହିତ ଥିବା ବେଳେ ଉପରୋକ୍ତ ସଂସ୍ଥାଗୁଡ଼ିକ ଫଟୋ ପ୍ରଘଟ କରିବା ପରେ ସମସ୍ତ ସାମାଜିକ ଗଣମାଧ୍ୟମରେ ତାହା ସାର୍ବଜନୀନ ହୋଇଥିଲା। ଏହି ଘଟଣା ପୀଡ଼ିତାଙ୍କ ପରିବାର ସମେତ ସମଗ୍ର ଦେଶ ପାଇଁ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଥିଲା। ଅପରପକ୍ଷରେ ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିଥିବା କିିଛି ଗଣମାଧ୍ୟମ ବିରୋଧରେ ପ୍ରେସ୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ନେଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଖଣ୍ଡପୀଠ ରହିତାଦେଶ ଜାରି କରିଛନ୍ତି। ପୀଡ଼ିତାଙ୍କ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜମ୍ମୁକଶ୍ମୀରର କେତେକ ଅଟୋ ଓ ବସ୍‍ ପଛରେ ତାଙ୍କର ଫଟୋ ଲାଗିଥିବା ଦେଖିବାକୁ ମିଳିଥିଲା। ଏଥିରେ ପ୍ରେସ୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ କ୍ଷୁବ୍ଧ ହୋଇ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷଷ୍ଠାନ ସ୍ୱରୂପ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିଭରଣା ଜୋରିମାନା ରାଶି ପୈଠ କରିବାକୁ କହିଥିଲେ। ସେହି ଟଙ୍କା ଜମ୍ମୁକଶ୍ମୀର ପୀଡ଼ିତା କ୍ଷତିପୂରଣ ପାଣ୍ଠିରେ ଜମା କରାଯିବ ବୋଲି କୁହାଯାଇଥିଲା। ଏହାପରେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା କୋର୍ଟରେ କ୍ଷମାପ୍ରାର୍ଥନା କରିଥିଲେ।

Leave A Reply