କଠୁଆ ବଳାତ୍କାର ଓ ହତ୍ୟା ମାମଲା : ୭ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ

0

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଜାମ୍ମୁ କାଶ୍ମୀରର କଠୁଆ ନାବାଳିକା ଗଣବଳାତ୍କାର ଏବଂ ହତ୍ୟା ମାମଲାର ମୋଟ ୮ ଜଣଙ୍କ ମଧ୍ୟରୁ ୭ ଅଭିଯୁକ୍ତଙ୍କ ବିରୋଧରେ ପାଠାଣକୋଟ୍‍ ଜିଲା କୋର୍ଟ ଗୁରୁବାର ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି। ଏହି ମାମଲାରେ ୧୫ ପୃଷ୍ଠା ସମ୍ବଳିତ ଅଭିଯୋଗ ଫର୍ଦ ଦାଖଲ କରାଯାଇଛି। ଅଭିଯୁକ୍ତମାନେ ହେଲେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ରାଜସ୍ୱ ଅଧିକାରୀ ସାଞ୍ଜି ରାମ, ତାଙ୍କ ପୁଅ ବିଶାଳ ଜାଙ୍ଗୋତ୍ରା, ଏସ୍‍ପିଓ ଦୀପକ ଖଜୁରିଆ ଏବଂ ସୁରିନ୍ଦର କୁମାର, ପ୍ରବେଶ କୁମାର ଏବଂ ସାଞ୍ଜିରାମଙ୍କ ନାବାଳକ ପୁତୁରା। ତଦନ୍ତରେ ସମ୍ପୃକ୍ତ ଥିବା ମୁଖ୍ୟ କନଷ୍ଟେବଳ ତିଳକ ରାଜ ଏବଂ ସବ୍‍ଇନ୍ସପେକ୍ଟର ଆନନ୍ଦ ଦତ୍ତଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ ଅଭିଯୋଗ ରହିଛି। ସୁପ୍ରିମକୋର୍ଟ ଏହି ମାମଲାକୁ ଜାମ୍ମୁ କାଶ୍ମୀରରୁ ବାହାରକୁ ସ୍ଥାନାନ୍ତର କରିବାର ନିର୍ଦେଶ ଦେବା ପରେ ମେ ୩୧ରେ ପଠାଣକୋଟ୍‍ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ସୁପ୍ରିମକୋର୍ଟ ନିର୍ଦେଶକ୍ରମେ କ୍ୟାମେରା ସମ୍ମୁଖରେ ଅଭିଯୁକ୍ତଙ୍କ ବିରୋଧରେ ରହିଥିବା ଅଭିଯୋଗ ଉପରେ ପ୍ରତ୍ୟହ ଶୁଣାଣି ହୋଇ ବୁଧବାର ଶେଷ ହୋଇଥିଲା। ୨୦୧୮ ଜାନୁଆରୀ ୧୦ରେ ଘୋଡ଼ା ଚରାଇବାକୁ ଯାଇଥିବା ମାତ୍ର ୮ ବର୍ଷ ବୟସ୍କା ନାବାଳିକାକୁ ଅପହରଣ ପରେ ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା। ଏକ ମନ୍ଦିରରେ ସପ୍ତାହକରୁ ଊର୍ଦ୍ଧ୍ବ ଦିନ ପର୍ଯ୍ୟନ୍ତ ତାକୁ ବନ୍ଦି କରି ରଖି ଗଣବଳାତ୍କାର କରାଯିବା ପରେ ହତ୍ୟା କରାଯାଇଥିଲା।

Leave A Reply